ଭୁବନେଶ୍ୱର,୧୯/୦୮: ସ୍କୁଲରେ ନାମ ଲେଖାଇଥିବା ସମସ୍ତ ଶିଶୁ ବାଟିକା ପିଲାଙ୍କୁ ବଣ୍ଟନ ହେବ ସ୍କୁଲ ୟୁନିଫର୍ମ । ପ୍ରଥମ ଶ୍ରେଣୀ ପିଲାଙ୍କ ପରି ଶିଶୁ ବାଟିକା ପିଲାଙ୍କୁ ମଧ୍ୟ ଦିଆଯିବ ସ୍କୁଲ ପୋଷାକ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍-ପାଣ୍ଟ, ଟୋପି ଓ ପରିଚୟ ପତ୍ର । ଏଥିପାଇଁ ଖର୍ଚ୍ଚ ହେବ ଜଣଙ୍କ ପିଛା ୧୦୦୦ ଟଙ୍କା । ଚଳିତ ଶିକ୍ଷାବର୍ଷରେ ରାଜ୍ୟର ମୋଟ୍ ୩ ଲକ୍ଷ ୧୦ ହଜାର ୮୩୯ଜଣ ଶିଶୁ ବାଟିକା ପିଲାଙ୍କୁ ଏହି ୟୁନିଫର୍ମ ବଣ୍ଟନ କରାଯିବ । ଏଥିପାଇଁ ମୋଟ୍ ୩୧ କୋଟି ୮ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଯୋଜନା ପ୍ରସ୍ତୁତ କରୁଛି। ପିଲାମାନେ ଖୁସିରେ ସ୍କୁଲ ଯିବେ ଓ ଅଭ୍ୟାସରେ ପରିଣତ ହେବେ । ସ୍କୁଲ ଛାଡ଼ିବା ପାଇଁ ମନ କରିବେ ନାହିଁ ଏବଂ ଡ୍ରପ୍ ଆଉଟ୍ କିପରି ବଢିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦କୁ ପ୍ରାଧ୍ୟାନ୍ୟ ଦେଇ ରାଜ୍ୟ ସରକାର ଗତ ଏପ୍ରିଲ୍ ୨ ତାରିଖରେ ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି । ସରକାରଙ୍କ ଏହା ଲକ୍ଷ୍ୟ ରହିଛି ଯେ, ରାଜ୍ୟରେ ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରକୁ ସୁଦୃଢ଼ କରିବ ଶିଶୁ ବାଟିକା । ପିଲାମାନେ ଏକ ସୁନ୍ଦର ଓ ମନୋଜ୍ଞ ପରିବେଶରେ ପାଠ ପଢ଼ିବେ । ଛୋଟ ପିଲାଙ୍କ ମାନସିକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ ସେମାନଙ୍କ ପାଇଁ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରିଛନ୍ତି । ଶିଶୁ ବାଟିକା ପାଇଁ ୟୁନିଫର୍ମର ବ୍ୟବସ୍ଥା କରାଯାଇଛି।