ଗୁଣପୁର, ୨୮l୭: ନଦୀରେ ବୁଡ଼ି ଯାଇ ଜଣେ ବୋଲବମ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁବକ ଜଣକ ରାୟଗଡ଼ା ଜିଲ୍ଲା ଭୀମପୁର ପଞ୍ଚାୟତ ଦିନବନ୍ଧୁପୁର ଦେଇ ଯାଇଥିବା ମହେନ୍ଦ୍ର ତନୟା ନଦୀରେ ବୁଡ଼ି ଯାଇଥିଲେ । ବୋଲବମ୍ ଭକ୍ତ ହେଲେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ କେ ଝାଲର ସିଂ ଗ୍ରାମର ଦେବଦତ୍ତ ବେହେରା ।
ସୁଚାନାନୁସାରେ, ଭକ୍ତ ଜଣକ ଗାଁର ୩୦ ଜଣ ଭକ୍ତଙ୍କ ସହ ସୋମବାର ଭୀମପୁର ଶୈବପୀଠକୁ ଜଳ ଲାଗି ପାଇଁ ଆସିଥିଲେ । ଶୌଚ ହେବା ପାଇଁ ନଦୀକୁ ଯାଇ ଆଉ ଫେରିନଥିଲେ । ତାଙ୍କ ସହ ଯାଇଥିବା ଅନ୍ୟ କାଉଡ଼ିଆ ଭକ୍ତମାନେ ସ୍ଥାନୀୟ ଲୋକଙ୍କ ସହାୟତରେ ତାଙ୍କୁ ଖୋଜାଖୋଜି କରିଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସ୍ଥାନୀୟ ଲୋକ ମୃତ ଶରୀରକୁ ଉଦ୍ଧାର କରିଥିଲେ । ନୂଆଗଡ଼ ଅଗ୍ନିଶମ ବିଭାଗ ଓ ପୁଟାସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।