ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୫ରେ ଲଗାତାର ଦୁଇ ଥର ପାକିସ୍ତାନ ପରାଜୟ ଭୋଗିଛି । ରବିବାର ମହାମୁକାବିଲାରେ ଭାରତୀୟ ଟିମ୍‌ ପାକିସ୍ତାନକୁ ପରାସ୍ତ କରିଛି । ଏହା ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଉତକ୍ଷୀପ୍ତ ହୋଇଉଠିଛନ୍ତି । ସେ ପାକିସ୍ତାନ ଟିମ୍‌ର ଅଧିନାୟକ, ବୋଲର ଏବଂ କୋଚ୍‌ଙ୍କ ଉପରେ ବର୍ଷିଛନ୍ତି । ଗତକାଲି ଭାରତ ବିପକ୍ଷରେ ପାକିସ୍ତାନ ୧୦ ଓଭରରେ ୧ ୱିକେଟ୍ ହରାଇ ୯୧ ରନ୍ କରିଥିଲା ​​କିନ୍ତୁ ପରବର୍ତ୍ତୀ ପାଞ୍ଚ ଓଭରରେ ମାତ୍ର ୨୮ ରନ୍ ଯୋଡିଥିଲା । ଶିବମ୍ ଦୁବେ ସେହି ପର୍ଯ୍ୟାୟରେ ଦୁଇ ଓଭରରେ ମାତ୍ର ୧୧ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ।  ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ମ୍ୟାଚ୍‌ର ସେହି ପର୍ଯ୍ୟାୟକୁ  ଗେମ ଚେଞ୍ଜର ବୋଲି କହିଛନ୍ତି । 

 ପରାଜୟ ପାଇଁ ଦଳ ଚୟନ ସହିତ କୋଚ ମାଇକ ହେସନ ଏବଂ ଅଧିନାୟକ ସଲମାନ ଆଗାଙ୍କୁ ଦାୟୀ କରିଛନ୍ତି ସୋଏବ । ସୋଏବ ଅଖତର କହିଛନ୍ତି ଯେ, ସେ ବ୍ୟାଟର ମହମ୍ମଦ ନୱାଜଙ୍କୁ ଚୟନ କରିବା ସହ ସ୍ପିନରଙ୍କ ବଦଳରେ ଆଉ ଜଣେ କିମ୍ବା ଦୁଇଜଣ ଦ୍ରୁତ ବୋଲରଙ୍କୁ ଚୟନ କରିଥାନ୍ତେ। ପାକିସ୍ତାନ ଟିମ୍‌ର କୋଚ୍‌ ମାଇକ୍‌ ହେସନଙ୍କ ଭୂମିକାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ସେହିଭଳି ଅଧିନାୟକ ସଲମାନ ଆଗାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କୁ କିଛି ଜଣାନାହିଁ ବୋଲି ସୋଏବ କହିଛନ୍ତି । ଅଧିନାୟକ ହୋଇ ସେ ମିଡିଲ୍‌ ଅର୍ଡରରେ କାହିଁକି ଖେଳୁଛନ୍ତି ବୋଲି ପିଟିଭି ସ୍ପୋର୍ଟସରେ କହିଛନ୍ତି ପାକିସ୍ତାନର ପୂର୍ବତନ ଷ୍ଟାର ବୋଲର ।

ସଲମାନ ଆଗାଙ୍କ ପ୍ରଦର୍ଶନକୁ ନେଇ ସୋଏବ ପ୍ରଶ୍ନ କରିଛନ୍ତି ଯେ,  ‘ସେ ଯେଉଁ ସ୍ଥାନରେ ଖେଳୁଛନ୍ତି ସେଠାରେ ଖେଳିବା ପାଇଁ କ'ଣ ସେ ଯୋଗ୍ୟ ? କେହି ଏ ବିଷୟରେ ଆଲୋଚନା କରିବେ ନାହିଁ। ସେ ମଧ୍ୟଭାଗରେ ସବୁଠାରୁ ଦୁର୍ବଳ । ସେ କ'ଣ କରିଛନ୍ତି ? ମୋତେ କୁହନ୍ତୁ । ସେ ନମ୍ବର ୬ ରେ ଆସିଛନ୍ତି । ହେଲେ ଭାରତ ପାଇଁ  ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ତିଳକ ଏହି ସ୍ଥାନରେ ଆସୁଛନ୍ତି ।  ତା’ପରେ ଅଖତର କହିଛନ୍ତି, ୨୨ ଟି-୨୦ରୁ ୧୫୮.୧୯ ଷ୍ଟ୍ରାଇକ୍ ରେଟ୍ ଥିବା ବ୍ୟାଟର ହାସନ ନୱାଜଙ୍କୁ ଚୟନ କରାଯିବା ଉଚିତ ଥିଲା।

ସୋଏବ ଅଖତର ଆହୁରି କହିଛନ୍ତି,  ୧୦ ଓଭରରେ ୯୧ ରନ୍‌ ହୋଇଥିଲା । ୧୫ତମ ଓଭର ବେଳକୁ  ୧୪୦ ଏବଂ ଶେଷ ସୁଦ୍ଧ ୨୦୦ ରନ କରିପାରିଥାନ୍ତେ। ପିଚ୍ ବହୁତ ଭଲ ଥିଲା। ଯଦି ସେହି ସମୟରେ ଜଣେ ପ୍ରତିଷ୍ଠିତ ଖେଳାଳି ଖେଳୁଥାନ୍ତେ ଏଭଳି ହୋଇପାରିଥାନ୍ତା। ହୁସେନ ତଲାତ ଆସି ଧିମା ଖେଳିଲେ (ସେ ୧୧ ବଲ୍ ରୁ ୧୦ ରନ୍ କରିଥିଲେ)। ତା'ପରେ ମହମ୍ମଦ ନୱାଜ ୧୯ ବଲ୍ ଖେଳିଲେ (୨୧ ରନ୍ କରିଥିଲେ) ଏବଂ ରନ ଆଉଟ ହେଲେ। ଦ୍ୱିତୀୟରେ, ଯଦି ପାୱାରପ୍ଲେରେ ସୈମ ଆୟୁବଙ୍କୁ ବୋଲିଂ କରିବାକୁ ପଡ଼ୁଥିଲା,  ତେବେ ତୁମେ ହୁଏତ ଅଧିକ ଦ୍ରୁତ ବୋଲରଙ୍କୁ ବାଛି ପାରିଥାନ୍ତ। ସେମାନେ କ'ଣ ଭାବୁଛନ୍ତି? ଦଳ ଚୟନ ପଛରେ ପ୍ରକ୍ରିୟା କ'ଣ - ମୁଁ କେବଳ ଏତିକି ଜାଣିବାକୁ ଚାହୁଁଛି ବୋଲି ସେ କହିଛନ୍ତି । 

ଦଳରେ ହାସନ ନଓ୍ବାଜଙ୍କୁ ଚୟନ କରାନଯିବାକୁ ନେଇ ସୋଏବ ଅଖତର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦଳ ଚୟନ ପାଖରୁ ଆରମ୍ଭ କରି କୋଚ୍‌ ଏବଂ ଅଧିନାୟକଙ୍କ ଷ୍ଟ୍ରାଟେଜି ଉପରେ ସେ ପ୍ରଶ୍ନ କରିଛନ୍ତି । ସେହିଭଳି ଶାହୀନ ଶାହ ଆପ୍ରିଦିଙ୍କ ବୋଲିଂକୁ ସେ ନାପସନ୍ଦ କରିଛନ୍ତି । ଅଧିନାୟକ ସଲମାନ ଆଗା ନିଜର ସ୍ଥିତିକୁ ମଜଭୁତ କରିପାରିଲେ ନାହିଁ ଏବଂ ଭୁଲ ନିଷ୍ପତ୍ତି ନେଇଥିଲେ ବୋଲି ମଧ୍ୟ ସୋଏବ ଅଖତର ଅଭିଯୋଗ କରିଛନ୍ତି । ରବିବାର ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍‌ କରିଥିଲା । ଜବାବରେ ଭାରତୀୟ ଦଳ ୭ଟି ବଲ୍‌ ବାକି ଥାଇ ମ୍ୟାଚ୍‌କୁ ନିଜ ନାଁରେ କରିଥିଲା ।