ନୂଆଦିଲ୍ଲୀ ୨୬/୦୮: ବଲିଉଡର ଦବଙ୍ଗ ଖାନ ସଲମାନ ‘ବ୍ୟାଟଲ୍ ଅଫ୍ ଗଲୱାନ୍’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ଏହାର ପ୍ରଥମ ସିଡ୍ୟୁଲର ସୁଟିଂ ଲଦାଖରୁ ଆରମ୍ଭ ହୋଇଛି। ଏହି ଫିଲ୍ମ ୨୦୨୦ରେ ଗଲୱାନ୍ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ଉପରେ ଆଧାରିତ। ଇତି ମଧ୍ୟରେ ସୁଟିଂ ସେଟର କିଛି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ଭାଇରାଲ ହୋଇଥିବା ଫଟୋରେ ସଲମାନ ନୀଳ ରଙ୍ଗର ସାର୍ଟ ସହ ଏକ ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବାର ଦେଖାଯାଇଛନ୍ତି। ଅବଶ୍ୟ ତାଙ୍କ ଚେହେରା ଦେଖାଯାଉ ନାହିଁ। ଏହି ଫଟୋ ସାମ୍ନାକୁ ଆସିବା ପରେ ସଲମାନଙ୍କ ପ୍ରଶଂସକମାନଙ୍କର ଫିଲ୍ମକୁ ନେଇ ଉତ୍ସାହ ବଢିଯାଇଛି। ସେପ୍ଟେମ୍ବର ୩ ଯାଏଁ ଲଦାଖରେ ସୁଟିଂ ହେବ ବୋଲି ଜଣାପଡିଛି। ସଲମାନ ଏଥିରେ କର୍ଣ୍ଣେଲ ବି ସନ୍ତୋଷ ବାବୁ ଭୂମିକାରେ ଦେଖାଯିବେ। ଅପୂର୍ବ ଲାଖିଆ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ସଲମାନଙ୍କ ସହ ଚିତ୍ରାଙ୍ଗଦା ସିଂହ, ଅଙ୍କୁର ଭାଟିଆ, ହର୍ଷିଲ ଶାହ ପ୍ରମୁଖ ନଜର ଆସିବେ। ସଲମାନ ଶେଷ ଥର ପାଇଁ ‘ସିକନ୍ଦର’ ଫିଲ୍ମରେ ନଜର ଆସିଥିଲେ। ଏଥିରେ ତାଙ୍କ ବିପକ୍ଷରେ ରଶ୍ମିକା ମନ୍ଦାନା ନଜର ଆସିଥିଲେ।