ଭୁବନେଶ୍ୱର,୨୨/୦୩: ଶୁକ୍ରବାର ବିଳମ୍ବିତ ରାତିରେ ୟୁନିଟ-୩ ସ୍ଥିତ ଏକ ସପିଙ୍ଗ ମଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ କେହି ମୃତାହତ ହୋଇ ନାହାନ୍ତି । ଲକ୍ଷାଧିକ ଟଙ୍କାର ପୋଷାକପତ୍ର  ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ଅଗ୍ନିଶମ ବାହିନୀର ୨ଟି ଦମକଳ ପ୍ରାୟ ଘଣ୍ଟାଏ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିପାରିଛନ୍ତି।

ସୂଚନା ମୁତାବକ, ଶୁକ୍ରବାର ରାତି  ପ୍ରାୟ ସାଢେ ୧୦ଟା ରେ ଶ୍ରୀୟା ଛକ ନିକଟରେ ଥିବା ଅରେଲିଆ ସପିଙ୍ଗ ମଲ୍‌ର ଦ୍ୱିତୀୟ ମହଲାରୁ ଧୂଆଁ ବାହାରିଥିଲା । ମଲ୍‌ ବାହାରେ ଜଗିଥିବା ସୁରକ୍ଷାକର୍ମୀ  ଏହା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । କଳ୍ପନା ଓ ଲୋକସେବା ଭବନରୁ ୨ଟି ଦମକଳ ଗାଡି କିଛି ସମୟ ଭିତରେ  ଘଟଣାସ୍ଥଳରେ ପହଞ୍ଚିଲା । କିନ୍ତୁ ସପିଙ୍ଗ ମଲରେ  ତାଲା ପଡ଼ିଥିବାରୁ ଆଗ୍ନିକମାନେ ଭିତରକୁ ପଶି ପାରିନଥିଲେ । ପରେ ୨ଟି ସିଡ଼ି ଯୋଗେ ଅଗ୍ନିଶମ କର୍ମଚାରୀମାନେ ଦ୍ୱିତୀୟ ମହଲାକୁ ଚଢ଼ିଥିଲେ । ବାହାରପଟୁ କାଚ ଓ ଫାଇଭରକୁ ଭାଙ୍ଗି ଭିତରକୁ ପଶିଥିଲେ । ସେତବେଳକୁ ଦ୍ୱିତୀୟ ମହଲାର କିଛି  ଅଂଶ ଜଳୁଥିଲା । ଅଗ୍ନିଶମ କର୍ମଚାରୀମାନେ ପାଣି ସ୍ପ୍ରେ କରି ନିଆଁ ଲିଭାଇଥିଲେ । ସର୍ଟ ସର୍କିଟରୁ ନିଆଁ  ଲାଗିଥିବା ସନ୍ଦେହ କରାଯାଉଛି ।