ରାୟଗଡା,୧୦।୩ : ସୋ’ ରୁମ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ନିଜ ଦୋକାନର କର୍ମଚାରୀ ହିଁ ଲୁଟ୍ କରିଥିଲେ ୨ଲକ୍ଷ ୩୨ ହଜାର ଟଙ୍କା। ରାୟଗଡା ସହରରେ ଥିବା ଏକ ସୋ’ ରୁମ୍ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍ ହେବା ଘଟଣାର ପର୍ଦ୍ଦାଫାସ୍ କରିଛି ଟାଉନ୍ ଥାନା ପୁଲିସ। ସୋ’ରୁମ୍ ର ଆକାଉଣ୍ଟାଣ୍ଟ ହିଁ ଟଙ୍କା ହଡପ କରି ଲୁଟ୍ ହୋଇଥିବା କାହାଣୀ ରଚିଥିଲା। ଏହି ଘଟଣାରେ ପୁଲିସ ଆକାଉଣ୍ଟାଟ୍ ରଂଜୀତ କୁମାର ଦଳେଇଙ୍କୁ ଗିରଫ୍ କରିଛି। ତାଙ୍କ ଠାରୁ ପୁଲିସ ଏକଲକ୍ଷ ୨୦ହଜାର ଟଙ୍କା ଜବତ କରିଛି।
ସୋମବାର କପିଳାସ ରୋଡରେ ଥିବା ଷ୍ଟେଟ୍ ବ୍ୟାଙ୍କ ନିକଟରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହେବା ପରେ ସୋରୁମ୍ ର ମ୍ୟାନେଜର ଅଜୟ ବିଭାର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ଯାଞ୍ଚ୍ କରିଥିଲା। ସିସିଟିଭି ଫୁଟେଜରେ ମଧ୍ୟ ସେମିତି କିଛି ଲୁଟ୍ ହୋଇନଥିବା ଜାଣିବାକୁ ପାଇଥିଲା। ତେବେ ଅଭିଯୁକ୍ତ ରଞ୍ଜିତକୁ ମାରାଥନ ଜେରା ପରେ ସେ ହିଁ ଟଙ୍କା ଖର୍ଚ୍ଚ କରି ଲୁଟ୍ ହୋଇଥିବାର ଅଭିନୟ ରଚିଥିଲା ବୋଲି ପୁଲିସ ନିକଟରେ ମାନିଥିଲା। ତେବେ ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି।