ମୁମ୍ବାଇ ୦୩/୦୧: ୨୦୨୪ ଶ୍ରଦ୍ଧା କପୁରଙ୍କ ପାଇଁ ଚମତ୍କାର ବର୍ଷ ଥିଲା । ତାଙ୍କ ଅଭିନୀତ ହରର୍‌ କମେଡି ‘ସ୍ତ୍ରୀ-୨’ କେବଳ ଦର୍ଶକୀୟ ଆଦୃତି ପାଇଲା ତାହା ନୁହେଁ, ବକ୍ସ ଅଫିସ୍‌ ରେକର୍ଡ ବି ଭାଙ୍ଗିଲା । ରାଜକୁମାର ରାଓଙ୍କ ସହ ତାଙ୍କ ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ଇଣ୍ଡଷ୍ଟ୍ରିରେ ସବୁଠୁ ଚର୍ଚ୍ଚାର ବିଷୟ ଥିଲା । ‘ସ୍ତ୍ରୀ-୨’ ରିଲିଜ୍‌କୁ ୪ ମାସ ବିତିଗଲାଣି । ଶ୍ରଦ୍ଧାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟକୁ ଚାତକ ପରି ଅପେକ୍ଷା କରିଛନ୍ତି ଫ୍ୟାନ୍‌ । ତାଜା ଖବର ଅନୁସାରେ, ଫ୍ୟାନ୍‌ଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଶ୍ରଦ୍ଧା ସ୍ପଷ୍ଟ କରିଛନ୍ତି, ସେ ଗୋଟିଏ ନୁହେଁ, ୩ଟି ନୂଆ ଫିଲ୍ମ ସାଇନ୍‌ କରିଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତଳାପରେ ସେ ଏହା ସ୍ପଷ୍ଟ କରିଛନ୍ତି । କିନ୍ତୁ ଫିଲ୍ମର ଟାଇଟଲ୍‌ ଘୋଷଣା କରିନାହାନ୍ତି । 

ଏ ବର୍ଷ ନୂଆ ଲୁକ୍‌ ନୂଆ ଭୂମିକାରେ ଦର୍ଶକଙ୍କୁ ସର୍‌ପ୍ରାଇଜ୍‌ ଦେବେ ଶ୍ରଦ୍ଧା । ଅନ୍ୟପକ୍ଷେ, ଅନେକ ଇଣ୍ଟର୍‌ନେଟ୍‌ ୟୁଜର୍‌ କହିଛନ୍ତି, ନୂଆ ଫିଲ୍ମରେ ସେମାନେ ଶ୍ରଦ୍ଧାଙ୍କଠୁ କିଛି ବେଶି ଆଶା କରୁନାହାନ୍ତି । ଶ୍ରଦ୍ଧାଙ୍କ ଅଭିନୟ ଦକ୍ଷତାକୁ ସେମାନେ ସମାଲୋଚନା କରିଛନ୍ତି । ଜଣେ ୟୁଜର୍‌ ଲେଖିଛନ୍ତି, ସବୁ ଫିଲ୍ମରେ ତାଙ୍କର ସମାନ ଅଭିନୟ ଦେଖିବାକୁ ମିଳିବ । ଅନ୍ୟ ଜଣେ ଲେଖିଛନ୍ତି, ଶ୍ରଦ୍ଧା ଜଣେ ଭଲ ଅଭିନେତ୍ରୀ ନ ହୋଇପାରନ୍ତି । କିନ୍ତୁ ଜଣେ ଭଲ ଏଣ୍ଟର୍‌ଟେନର୍‌ ଓ ଭଲ ଡ୍ୟାନ୍ସର୍‌ । ତାଙ୍କର ଅଧିକାଂଶ ଫିଲ୍ମ ସଫଳ ହୋଇଛି । କେବଳ ଅଭିନୟ ସୁଧାରିଲେ ସେ ଆହୁରି ଲୋକପ୍ରିୟ ହୋଇଯିବେ । କିଛି ୟୁଜର୍‌ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ବିଷୟରେ ଅନୁମାନ କରିଛନ୍ତି । ଫିଲ୍ମମେକର୍‌ ନିଖିଲ ଦ୍ୱିବେଦୀ ‘ନାଗିନ୍‌’ରେ ଶ୍ରଦ୍ଧାଙ୍କୁ ସାଇନ୍‌ କରିଛନ୍ତି । ‘କ୍ରିଶ୍‌୪’ରେ ଋତ୍ୱିକ ରୋଶନଙ୍କ ଅପୋଜିଟ୍‌ରେ ସେ ଆସିପାରନ୍ତି ବୋଲି ଖୁବ୍‌ ଚର୍ଚ୍ଚା ହେଉଛି ।