ବ୍ରହ୍ମଗିରି ୩୦/୦୬: ଶ୍ରୀଅଲାରନାଥଙ୍କ ପୀଠରେ ମଙ୍ଗଳବାର ଠାରୁ ଅଣସର ଦର୍ଶନ ଆରମ୍ଭ ହେବ । ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର । ୧୪ ଦିନ ଧରି ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ ଦେବେ । ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିର, ବିଗ୍ରହ, ସିଂହଦ୍ୱାରରେ ଦୁଇ ସିଂହ, ଆନନ୍ଦ ବଜାରକୁ ରଙ୍ଗ ବେରଙ୍ଗରେ ସଜ୍ଜିତ କରାଯାଇଛି । ନବସ୍ଥାପିତ ଅରୁଣ ସ୍ତମ୍ଭ ପ୍ରତିଷ୍ଠା ସହିତ ମନ୍ଦିରରେ ଧ୍ୱଜାବନ୍ଧା କାର୍ଯ୍ୟ ସମାପ୍ତ ହୋଇଛି ।

ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ତରଫରୁ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି । ଯାନବାହାନକୁ ନିୟନ୍ତ୍ରଣ କରାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଗୋପଛକ ମୁଖ୍ୟ ରାସ୍ତାରୁ ଭକ୍ତମାନେ ଚାଲି ଚାଲି ଯିବେ । ଭିଆଇପି, ଭିଭିଆଇପିଙ୍କ ଯାନବାହାନ ଯାତ୍ରୀ ନିବାସଠାରେ ରହିବା ପାଇଁ ସ୍ଥିର ହୋଇଛି । ସାଧାରଣ ଶ୍ରଦ୍ଧାଳୁଙ୍କ ୩ ଓ ୪ ଚକିଆ ଯାନ ଚନ୍ଦନ ପୋଖରୀ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେବାୟତଙ୍କ ଯାନବାହାନ ପାନ୍ଥ ନିବାସ ନିକଟରେ ରହିବା ପାଇଁ ପ୍ରଶାସନର ନିର୍ଦ୍ଦେଶ ରହିଛି ।

ଅଲାରପୁର ଗାଁ ଭିତର ଦେଇ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କଠାରେ ରାଜରାସ୍ତାକୁ ଯାନ ବାହାନ ବାହାରିବ । ଅପରପକ୍ଷରେ ଅଲାରପୁର ଭୋଇସାହି ରାସ୍ତାରେ ବ୍ରହ୍ମଗିରି ଦେଇ ଯାନବାହାନ ରାଜରାସ୍ତାକୁ ବାହାରିବା ପାଇଁ ନିର୍ଦ୍ଧାରଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୫ ଜଣ ଇନ୍ସପେକ୍ଟରଙ୍କ ସମେତ ୧୭ ଅଫିସର, ୮ ପ୍ଲାଟୁନ୍ ଫୋର୍ସ, ୭୦ରୁ ଅଧିକ ହୋମଗାର୍ଡ, ୬ ଜଣ ଟ୍ରାଫିକ ପୁଲିସ୍, ୨ ପ୍ଲାଟୁନ୍ ସାଦା ପୋଷାକଧାରୀ ପୁଲିସ୍ ମୁତୟନ ରହିବେ ବୋଲି ବ୍ରହ୍ମଗିରି ଥାନା ଆଇଆଇସି ବାମଦେବ ସ୍ୱାଇଁ ସୂଚନା ଦେଇଛନ୍ତି ।

 

ଆହୁରି ପଢ଼ନ୍ତୁ...Anavasara Darshan: ମହାପ୍ରଭୁ ଅଲାରନାଥଙ୍କ ପୀଠରେ ଟ୍ରାଫିକ୍ କଟକଣା, ୩୦ରୁ ୧୩ ଯାଏଁ ଭାରୀ ଯାନ ଚଳାଚଳ ମନା

ଚଳିତ ବର୍ଷ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରାୟ ୫୦ରୁ ଅଧିକ ସିସି କ୍ୟାମେରା ଲଗାଯାଇଛି । ମନ୍ଦିର ଭିତର, ବେଢ଼ା ଓ ମନ୍ଦିର ଚାରିପାଖ ସମେତ ପାର୍କିଂ ସ୍ଥାନରେ ମଧ୍ୟ ସିସି କ୍ୟାମେରା ନଜର ରଖିବ । ଅଣସର ଦର୍ଶନ ଶେଷ ପର୍ଯ୍ୟନ୍ତ ଭାରୀଯାନ ଯାତାୟାତ ଉପରେ କଟକଣା କରାଯାଇଛି । ପୁରୀ ମଙ୍ଗଳା ଘାଟରୁ ସାତପଡ଼ା, ଖଜୁରିଆଠାରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଯାତାୟାତରେ ରୋକ ଲଗାଯାଇଛି । ଗୋପଛକ, ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଛକ, ମାଢୁଆଳି କୋଠା, ଚନ୍ଦନ ପୋଖରୀ ଛକ, ଅଲାରପୁର ଛକ ଇତ୍ୟାଦି ସ୍ଥାନରେ ଟ୍ରାଫିକ୍ ପୁଲିସ ମୁତୟନ ରହିବେ ।