ପୁରୀ,୨୦/୦୯: ଶ୍ରୀମନ୍ଦିରରେ ହାଉଯାଉ ହେଉଛି ମହାପ୍ରଭୁଙ୍କ ନକଲି ପୁଷ୍ପ ଅଳଙ୍କାର । ଘର ତଥା ଅନୁଷ୍ଠାନର ମଙ୍ଗଳ ପାଇଁ ଅଧିକ ଟଙ୍କା ଦେଇ ଦାରୁଦିଅଁଙ୍କ ଗୁଣା ଓ  ଝୁମ୍ପା ଆଦି ପୁଷ୍ପ ଅଳଙ୍କାର ନେବାକୁ ଭକ୍ତ ପ୍ରତିଯୋଗିତା କରୁଛନ୍ତି । ଏହାର ସୁଯୋଗ ନେଇ ଯିଏ ଯେମିତି ପାରିଲା ଭକ୍ତର ବିଶ୍ୱାସରେ ବିଷ ଦେଇ ନକଲି  ଅଳଙ୍କାର ବିକୁଛନ୍ତି । ମହାପ୍ରଭୁଙ୍କ  ନାମରେ ଏସବୁ ନକଲି ଅଳଙ୍କାରର  କଳାବଜାର ଖୋଲିଛି । ଗୋଟିଏ ପୁଷ୍ପ  ଅଳଙ୍କାରକୁ ୫ଶହରୁ ୨ହଜାର ଭଳି  ଟଙ୍କା ନିଆଯାଉଛି । ଏହାଦ୍ୱାରା କେବଳ ଭକ୍ତଙ୍କୁ ବିଶ୍ୱାସଘାତ ନୁହେଁ ମହାପ୍ରଭୁଙ୍କ ଅସଲ ମହିମା ମଧ୍ୟ କ୍ଷୁଣ୍ଣ ହୋଇଛି ।  ମହାପ୍ରଭୁଙ୍କ ପୁଷ୍ପଅଳଙ୍କାର ବିକାକିଣାକୁ  ନେଇ ଶ୍ରୀମନ୍ଦିରରେ ଚାପା ଅସନ୍ତୋଷ  ଅନେକ ଦିନରୁ ଦେଖାଗଲାଣି । ଏନେଇ ପୁଷ୍ପାଳକ ନିଯୋଗ ପକ୍ଷରୁ ଲିଖିତାକାରେ  ଶ୍ରୀମନ୍ଦିର ପ୍ରଶାସନକୁ ଜଣାଯାଇଛି ।  ହେଲେ ପ୍ରଶାସକ ଏନେଇ ମୁଣ୍ଡ  ନଖେଳାଇବାରେ ଏହି ପ୍ରସଙ୍ଗ ଉଗ୍ର ରୂପ ନେବାଭଳି ପରିସ୍ଥିତି ସୃଷ୍ଟି ହେଲାଣି ।  

ଅସଲି ଭକ୍ତଙ୍କୁ ନକଲି ପୁଷ୍ପଅଳଙ୍କାର ବିକ୍ରି ଏବେ ସୀମାପାର  କରିଥିବା ଅଭିଯୋଗ ହୋଇଛି ।  ଜଗନ୍ନାଥଙ୍କ ଲାଗି ନାମରେ ଠାକୁରଙ୍କ  ପୁଷ୍ପ ଅଳଙ୍କାର ବିକ୍ରୟ ଏବେ ଲାଭଜନକ ବ୍ୟବସାୟ ପାଲଟିଛି ।  ପାଶ୍ୱର୍ ଦେବତାଙ୍କୁ ଲାଗି କରି ଯିଏ  ଯେତେ ପାରିଲା ଚଢ଼ା ଦରରେ ବିକ୍ରୟ  କରୁଛନ୍ତି । ଅଧିକାଂଶ ଭକ୍ତ ଜାଣନ୍ତି  ଏସବୁ ଅଳଙ୍କାର ମହାପ୍ରଭୁଙ୍କୁ ଲାଗି  ହେଉଛନ୍ତି । ଏଣୁ ସମର୍ପଣ ଭାବ ଓ  ଆଗ୍ରହରେ ଏସବୁ ଅଳଙ୍କାରର ମୂଲ୍ୟ  ସେବକଙ୍କୁ ଦେଇ ଭକ୍ତ ସଂଗ୍ରହ  କରୁଛନ୍ତି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଓ ଦକ୍ଷିଣଦ୍ୱାର ଉପବନରେ ମହାପ୍ରଭୁଙ୍କ  ପୁଷ୍ପ ଅଳଙ୍କାର ତିଆରି ହୋଇ ଠାକୁରଙ୍କୁ  ଲାଗି ହୁଏ । ହେଲେ ଅଧିକ ସଂଖ୍ୟକ  ଅଳଙ୍କାର ସବୁ ବିଭିନ୍ନ ସ୍ଥାନରେ ତିଆରି  କରାଇ ଶ୍ରୀମନ୍ଦିର ବେଢ଼ା ଦେବତାଙ୍କୁ  ଲାଗି କରି ଭକ୍ତର ଭାବାବେଗ ସଙ୍ଗେ  ଖେଳୁଥିବା ଅଭିଯୋଗ ହେଉଛି ।

ବରିଷ୍ଠ ସେବକମାନେ କୁହନ୍ତି,  ଶ୍ରୀମୁଖରେ ଠାକୁରେ ଲାଗି ହୁଅନ୍ତି  ଗୁଣା, ଝୁମ୍ପା ଓ ଅଧର । ମହାପ୍ରଭୁଙ୍କ  ଯେତେ ଧୂପ ଓ ଆଳତି ସେତେ ବେଶ ।  ଶ୍ରୀବିଗ୍ରହଙ୍କ ବଡ଼ସିଂହାର ବେଶ ଉଲାଗି  ପରେ ପୁଷ୍ପ ଅଳଙ୍କାର ଦେବତାଙ୍କୁ  ସମର୍ପଣ କରାଯାଏ । ଯଥାରୀତି ମା’  ବିମଳା, ଦେବୀ ଭୁବନେଶ୍ୱରୀ ଓ  ମହାଲକ୍ଷ୍ମୀଙ୍କୁ ଦିଆଯିବାର ଶ୍ରୀମନ୍ଦିର  ପରମ୍ପରା ରହିଛି । ଭକ୍ତଙ୍କ ଆଗ୍ରହ  ବଢ଼ିବାରେ ଆଜିକାଲି ଏହା ଏକ  ବ୍ୟବସାୟରେ ପରିଣତ ହୋଇଗଲା ।  ପୁଣି ଦାରୁବ୍ରହ୍ମଙ୍କ ଉଲାଗି ପୁଷ୍ପ  ଅଳଙ୍କାରରେ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସିଂହାରୀ ସେବକ ଓ ଖୁଣ୍ଟିଆ  ସେବକଙ୍କ ହକ୍‌ ରହିଥାଏ ।

ମହାପ୍ରଭୁଙ୍କ  ଜିନିଷ ବୋଲି ଗୃହ ତଥା ଅନୁଷ୍ଠାନର  ମଙ୍ଗଳ ପାଇଁ ଭକ୍ତ ଯଥାସାଧ୍ୟ ମୂଲ୍ୟ ଦେଇ ନିଅନ୍ତି। ହେଲେ ନକଲି ପୁଷ୍ପ ଅଳଙ୍କାର  ବିକ୍ରି ନେଇ ଆଖିବୁଜା ବ୍ୟବସାୟ ଆରମ୍ଭ  ହେବାରେ ବିବାଦୀୟ ପରିସ୍ଥିତି ସୃଷ୍ଟି  ହୋଇଛି । ଏନେଇ ପୁଷ୍ପାଳକ ନିଯୋଗ  ପକ୍ଷରୁ ଲିଖିତାକାରେ ଶ୍ରୀ ଜଗନ୍ନାଥ  ମନ୍ଦିର ପ୍ରଶାସନକୁ ଜଣାଯାଇଛି ।  ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ  ସଙ୍ଗେ ଯୋଗାଯୋଗ କରାଯାଇଥିଲେ  ସୁଦ୍ଧା ତାଙ୍କ ପ୍ରତିକ୍ରିୟା ମିଳିନାହିଁ ।