ଭୁବନେଶ୍ୱର,୧୩/୦୧:  ସୋମବାର ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ  ନୀତି କରାଯିବ । ଭୋଗମଣ୍ଡପ ନୀତି ବଢିବା ପରେ ବଡୁ  ସେବାୟତ ମାନେ ତୀର୍ଥ ପୁଷ୍କରିଣୀ ବିନ୍ଦୁ ସାଗରରୁ ୧୦୮ ଗରା  ପାଣି ଉତ୍ତୋଳନ କରି ମନ୍ଦିରକୁ  ଆଣିବେ । ବେହେରାଣ ମଣ୍ଡପରେ  ପୂଜାପଣ୍ଡାଙ୍କ ଦ୍ୱାରା ଅଧିବାସ  କରାଯିବା ପରେ ଅଭିଷେକ ନୀତି ବଢି ଠାକୁରଙ୍କୁ ବେଶ ଓ ଭାଗ ଲାଗି ହେବ । 

ସେହିପରି ସନ୍ଧ୍ୟାଧୂପ  ପରେ ମକର ନୀତିର ଆଦ୍ୟ ପର୍ବ ନବାଙ୍କ ବେଢା ଆରମ୍ଭ ହେବ । ସେବାୟତମାନେ ମେଘ ଡମ୍ବରୁ ଶୋଭାଯାତ୍ରା ସହ ସାମନ୍ତରାଙ୍କ ଘରକୁ ଯାଇ ଖିର ଆଣିବେ । ସେହି  ଖିରକୁ ଆଉଟା ଯାଇ ଦୁଗ୍ଧ ଘରେ ସଂରକ୍ଷଣ ରଖାଯିବ ।ସଂକ୍ରାନ୍ତିରେ  ଖିରକୁ ବ୍ୟବହାର କରି ମକର  ଚାଉଳ ପ୍ରସ୍ତୁତ ହୋଇ ଦିଅଁଙ୍କ  ଠାରେ ଲାଗି ହେବ ବୋଲି ନୀତି  ସୁପରଭାଇଜର ରାଜ କିଶୋର  ମହାପାତ୍ର ଓ ବଡୁ ସେବାୟତ ମୌସମ ବଡୁ ସୂଚନା ଦେଇଛନ୍ତି।