ଭୁବନେଶ୍ୱର,୨୨/୧୧: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଓଢଣ ଷଷ୍ଠୀକୁ ଆଉ ମାତ୍ର ୪ଦିନ ବାକି ରହିଲା । ହେଲେ ଏଯାଏ ଏହି ନୀତି କିପରି ପାଳନ କରାଯିବ ତାର ସ୍ପଷ୍ଟୀକରଣ ମନ୍ଦିର ଟ୍ରଷ୍ଟ ବୋର୍ଡ ରଖୁ ନାହାନ୍ତି ବୋଲି ପୂଜାପଣ୍ଡା ନିଯୋଗର ସେବାୟତମାନେ କହିଛନ୍ତି । ସେମାନେ କହିଛନ୍ତି, ଠାକୁରଙ୍କ ଓଢଣ ଷଷ୍ଠୀ ନୀତିରେ ଚଳିତ ବର୍ଷ ଘୋଡ଼(ଶୀତ ବସ୍ତ୍ର)ର ଅଧିବାସ(ସଂସ୍କାର)ପୂଜା ହେବ କି ନାହିଁ ତାହା ଆମେ ଜାଣିପାରିଲୁନାହିଁ ।

ଆମେ ଟ୍ରଷ୍ଟ ବୋର୍ଡର ଆଦେଶ ମୁତାବକ ଅଧିବାସ ପୂଜାର ଗୁରୁତ୍ୱ ଓ ତା’ ସମ୍ପର୍କିତ ସମସ୍ତ ଦସ୍ତାବିଜ ସମୟ ପୂର୍ବରୁ ରଖି ସାରିଛୁ । ଏହା ବ୍ୟତିତ ଏକ ସ୍ୱତନ୍ତ୍ର ଚିଠି ମଧ୍ୟ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ନିଯୋଗ ତରଫରୁ ଲେଖାଯାଇଛି । ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯଦି ଅଧିବାସ ପୂଜାକୁ ଓଢ଼ଣ ଷଷ୍ଠୀରେ ବାଦ୍ ଦିଆଯାଏ ତେବେ ପୂଜାପଣ୍ଡା ନିଯୋଗ ଆଦୌ ସହଯୋଗ କରିବ ନାହିଁ । କିନ୍ତୁ ତାର ଜବାବ ଆମେ ଏଯାଏ ପାଇଲୁ ନାହିଁ । ଆମେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବୁ । ପରେ ନିଯୋଗର ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ରହିବ ତାହା ୨୫ ତାରିଖରେ ଜଣାଇ ଦିଆଯିବ ବୋଲି ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି । ଏ ବାବଦରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି, ଓଢଣ ଷଷ୍ଠୀ ବାବଦରେ ସମସ୍ତ ନଥିପତ୍ର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ନିକଟକୁ ଯାଇସାରିଛି । ଆଶା କରୁଛୁ ସମୟ ପୂର୍ବରୁ ତାହା ଅନୁମୋଦନ ଲାଭ କରିବ ।