ପୁରୀ,୨୬/୦୬: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଓ ଦେବୀ ଋକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଶୁକ୍ରବାର ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ପର୍ବ । ଏହି ଅବସରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଗୁଆଲି ଯାତ୍ରା । ରାତିରେ ଏକ ବର୍ଣ୍ଣାଢ୍ୟ ପଟୁଆରରେ ନବବିବାହିତ ଦେବ-ଦମ୍ପତି ନଗର ପରିକ୍ରମା କରିବେ । ପାରମ୍ପରିକ ବାଦ୍ୟନୃତ୍ୟ ସାଙ୍ଗକୁ ଶହ ଶହ ସେବକ ଓ ଭକ୍ତ ଗଣ ଶୋଭାଯାତ୍ରାରେ ସାମିଲ ହେବେ ।
ଅଧିକ ପଢ଼ନ୍ତୁ :- Rath Khala Update: ପାରାଭାଡ଼ି ଉଠି ରଥରେ ବସିଲା ଖପୁରି, ପଡ଼ିଲା ୬ ନମ୍ବର ହରିବୋଲ, ଚାଲିଛି ମହାପ୍ରଭୁଙ୍କ ସିଂହାସନ କାମ
ଗୁଆଲି ଯାତ୍ରା ଅବସରରେ ପାଲିଙ୍କିରେ ଶ୍ରୀମନ୍ଦିରରୁ ବାହାରି ଠାକୁର ଠାକୁରାଣୀ ପ୍ରଥମେ ଶ୍ରୀନଅରରେ ବିଜେ ହେବେ । ପରେ ବାଲିସାହି ହୋଇ ଜିଅରସ୍ୱାମୀ ମଠ ହୋଇ ବାଲିସାହି ବାରାହୀ ମନ୍ଦିର ହୋଇ ପଞ୍ଚୁଆତି ଜାଗା ହୋଇ ହରଚଣ୍ଡୀ ସାହି ଦେଇ ଶ୍ରୀଜମ୍ବେଶ୍ୱରଙ୍କ ମନ୍ଦିରରେ ନୀତି ହୋଇ ମଣିକର୍ଣ୍ଣିକା ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ରାତିରେ ୪ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ନଗର ପରିକ୍ରମା କରିବ ପଟୁଆର । ହଜାର ହଜାର ଦର୍ଶନାର୍ଥୀ ଚମ୍ପକ ଦ୍ୱାଦଶୀର ପ୍ରଶାସନିକ ନୀତି ନୀର୍ଘଣ୍ଟ ଅନୁସାରେ ଶୁକ୍ରବାର ସକାଳ ୬ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି। ୬ଟା ୪୫ରେ ମଙ୍ଗଳ ଆଳତି ସମ୍ପନ୍ନ ହୋଇଛି । ୧୦ଟା ୧୫ରୁ ସକାଳ ଧୂପ, ୧୨ଟା୪୦ରେ ଭୋଗମଣ୍ଡପ, ୨ୟ ଭୋଗମଣ୍ଡପ ଉଠିବ ଅପରାହ୍ଣ ୩ଟା ୪୫ରେ, ଦକ୍ଷିଣିଘର ଭୋଗ ୪ଟା ୪୫ରେ ହୋଇ ବିବାହ ଠାକୁର ଭିତରକୁ ବିଜେ କରିବେ ଅପରାହ୍ଣ ୫ଟାରେ । ପରେ ବନ୍ଦାପନା ସରି ପରିକ୍ରମା ପାଇଁ ଦେବଦମ୍ପତି ସନ୍ଧ୍ୟା ୬ଟାରେ ପାଲିଙ୍କିକୁ ବିଜେ କରିବେ । ବିଳମ୍ବିତ ରାତି ୧ଟା ୧୫ରେ ବିବାହ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ ବୋଲି ସମୟ ଧାର୍ଯ୍ୟ ହୋଇଛି।
‘ବିଜେ ମାର୍ଗର ପବିତ୍ରତା ରକ୍ଷା ନିବେଦନ’
ଠାକୁରଙ୍କ ଗୁଆଲି ଯାତ୍ରା ଅବସରରେ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀମହାପାତ୍ର ଠାକୁରଙ୍କ ବିଜେ ମାର୍ଗର ସ୍ୱଚ୍ଛତା ରକ୍ଷା ନେଇ ପୁରୀ ପିଏମ୍ସି କମିଶନରଙ୍କୁ ଅନୁରୋଧ କରିଛନ୍ତି । ସଂପୃକ୍ତ ମାର୍ଗର ସଫେଇ ଓ ବ୍ଲିଂଚି ପକାଇବା ସହ ଆଲୋକୀକରଣ କରିବାକୁ ପତ୍ର ଦ୍ୱାରା ଜଣାଯାଇଥିବା ଶ୍ରୀକ୍ଷେତ୍ର ଆଠ ସାହି ଆଖଡ଼ା ସମନ୍ୱୟ କମିଟି ସଂଯୋଜକ ନରେନ୍ଦ୍ର ମହାନ୍ତି କହିଛନ୍ତି । ଖାଲି ପାଦରେ ଶତାଧିକ ସେବାୟତ ଠାକୁରଙ୍କ ପାଲିଙ୍କି ନେଇ ଶୋଭାଯାତ୍ରାରେ ସାମିଲ ହେବେ । ସହସ୍ରାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେବେ । ଏଣୁ ଦେବ କାର୍ଯ୍ୟରେ ପବିତ୍ରତା ବଜାୟ ରଖିବା ପାଇଁ ପ୍ରଶାସନ ସମେତ ସହରବାସୀଙ୍କୁ ନିବେଦନ କରିଛନ୍ତି ଛତିଶା ନିଯୋଗ ନାୟକ ଶ୍ରୀ ପାଟଯୋଶୀମହାପାତ୍ର ।