ପୁରୀ,୭/୧୨: ଶୁକ୍ରବାର ଶ୍ରୀମନ୍ଦିରରେ ଠାକୁରଙ୍କ ଘୋଡ଼ ଲାଗି (ସ୍ୱତନ୍ତ୍ର  ଶୀତବସ୍ତ୍ର) ସବୁ ଅଧିବାସ ହୋଇଛି । ପଞ୍ଚମୀ ତିଥି ରାତିରେ ଠାକୁରଙ୍କ ଚନ୍ଦନଲାଗି ନୀତି ସରିବା ପରେ ଅଧିବାସ ନୀତି ସମ୍ପନ୍ନ ହୋଇଛି । ଶନିବାର  ବଡ଼ଦେଉଳରେ ଓଢ଼ଣ ଷଷ୍ଠୀ । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଶ୍ରୀବିଗ୍ରହ ସ୍ୱତନ୍ତ୍ର  ଶୀତବସ୍ତ୍ର ପରିଧାନ କରିବେ । ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି । 

ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜି ସେବକ ଏହି ଘୋଡ଼ ପ୍ରସ୍ତୁତି କରି ଶ୍ରୀମନ୍ଦିର ଗାରଦ  ଜିମା ଦେଇଥିଲେ । ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ ଶୀତବସ୍ତ୍ର  ପ୍ରସ୍ତୁତ ହୋଇଛି । ଘୋଡ଼ଲାଗି ବେଶ ପାଇଁ ଖଟ ପାଛୁଡ଼ି ୩ଟି, ୭୨ହାତର ଲମ୍ବା ପଟି ୨ଟି,  ୧୬ ହାତ ୪ପଟିଆ ୪ଟି, ୩ଟି ଥୋଡ଼ ପାହାଡ଼ିଆ, ୧୨ହାତ ୪ପଟିଆ ୨ଟି, ମୁଦିରଥ  ୧ଟି, ଫୁଲଛେଦା ୨ଟି ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଗୋଟି ଘୋଡ଼ ତିଆରି କରାଯାଇଛି ।  ଷଷ୍ଠୀରେ ଠାକୁରଙ୍କୁ ଘୋଡ଼ ଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ ।  ଏଥିସହ ମଦନମୋହନ, ସୁଦର୍ଶନ, ଗରୁଡ଼, ପତିତପାବନ, ନୃସିଂହ ମହାପ୍ରଭୁ,  ସୂର୍ଯ୍ୟଦେବ, ଦକ୍ଷୀଣକାଳୀକା ଓ କାକୁଡ଼ିଖାଇଙ୍କୁ ମଧ୍ୟ ସ୍ୱତନ୍ତ୍ର ବସ୍ତ୍ର ଲାଗି କରାଯିବ।