ପୁରୀ,୨୮/୦୭: ଅଗଷ୍ଟ ୪  ତାରିଖ ସୋମବାରଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଝୁଲଣ  ଯାତ୍ରା । ଠାକୁରଙ୍କ ଏହା ହେଉଛି ବର୍ଷାକାଳୀନ ରାହାସ ଉତ୍ସବ ।  ଶ୍ରୀମନ୍ଦିର ମୁକ୍ତିମଣ୍ଡପ କୁଞ୍ଜରେ ଝୁଲିବେ ଶ୍ରୀମଦନମୋହନଙ୍କ ସହ ଲକ୍ଷ୍ମୀ ଓ ସରସ୍ୱତୀ । ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ଲୀଳା ସ୍ମରଣେ ଚଳଚଞ୍ଚଳ ହେବ ମଠ ମନ୍ଦିର । ସୁସଜ୍ଜିତ ଝୁଲଣ  କୁଞ୍ଜରେ ବିଜେ ହେବେ ଦେବଦେବୀ । ଶ୍ରଦ୍ଧାଳୁମାନେ ଦେବଦେବୀଙ୍କୁ ଦର୍ଶନ କରିବା ସହ ଝୁଲଣ ସଜାର  ଆନନ୍ଦ ନେବେ ।  

ଆଉ ମାତ୍ର ସପ୍ତାହକ ପରେ ଝୁଲଣ ଯାତ୍ରା ।  କୁଞ୍ଜକାନନର ପଶୁପକ୍ଷୀଙ୍କ କଳରବ ମଧ୍ୟରେ ଠାକୁରେ  ଝୁଲୁଥିବେ । ଯାତ୍ରା ପାଇଁ ଶ୍ରୀମନ୍ଦିର ସମେତ ମଠବାଡ଼ିରେ  ପ୍ରସ୍ତୁତି ଚାଲିଛି । ମୁକ୍ତିମଣ୍ଡପରେ ଝୁଲଣ ମଣ୍ଡପରେ  ସଜାସଜି ସମ୍ପନ୍ନ ହେବ । ମହୋତ୍ସବ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି । ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ  ପରେ ତିନି ବାଡ଼ରେ ସର୍ବାଙ୍ଗ ଲାଗି ଓ ବେଶ ହେବ ।  ମହାଜନମାନେ ସିଂହାସନରୁ ଲକ୍ଷ୍ମୀ ସରସ୍ୱତୀଙ୍କୁ ଓ  ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି  ବିଜେ କରାଇବେ । ପୂଜାପଣ୍ଡା  ସାମନ୍ତ ମାଣ୍ଡୁଅ ଭୋଗ ଅର୍ପଣ  କରିବେ । ତିନି ବାଡ଼ରେ ଆଳତି  ହେବ । ଏହାପରେ ତିନି ମୂର୍ତ୍ତିଙ୍କୁ  ଝୁଲଣମଣ୍ଡପ ଦୋଳିକୁ ଅଣାଯିବ । 

୭ ଦିନ ବ୍ୟାପି ଚାଲିବ ଯାତ୍ରା ।  ଦ୍ୱାପର ଯୁଗ ଆଧାରିତ ଶ୍ରୀକୃଷ୍ଣ  ଲୀଳା ଓ ପ୍ରକୃତିର ରଙ୍ଗରୂପ ପ୍ରସ୍ତୁତ  ହେଉଛି । ପାରମ୍ପରିକ କାରିଗରିର  ଜରିଜମ୍ଭୁରା ସାଜରେ ଝଲସିବ କୁଞ୍ଜ । ଏଭଳି କାରିଗରି  କାମ ପୁରୀରେ ସ୍ୱତନ୍ତ୍ର । କୁଞ୍ଜରେ ଶୁଆଶାରୀ, ବଣିପାରା,  ଗୁଣ୍ଡୁଚି ମୂଷା, ଗାଈ, ମାଙ୍କଡ ଆଦି ମୂର୍ତ୍ତି ଖଞ୍ଜାଯାଉଛି ।  ଜୀବଜନ୍ତୁଙ୍କ ଛାଞ୍ଚରେ ସୋଲପଟିରେ କାଗଜ ଗୁଡ଼ାଯାଇ  ରଙ୍ଗ ଦିଆଯାଏ । କାରିଗରମାନେ ମଠରେ ଥିବା ସାଜକୁ  ସଜାଡ଼ି କୁଞ୍ଜ ନିର୍ମାଣରେ ଲାଗିଛନ୍ତି । ୧୦ ତାରିଖ  ରବିବାର ବଡ଼ଦେଉଳରେ ଝୁଲଣ ଯାତ୍ରା ଶେଷ ହେବ ।