ପୁରୀ,୦୯/୦୨: ଏଣିକି ରାସାୟନିକଯୁକ୍ତ ଚାଉଳରେ ପ୍ରସ୍ତୁତ ହେବନି ମହାପ୍ରଭୁଙ୍କ ମହାପ୍ରସାଦ । ଜୈବିକ ସାରରେ ପ୍ରସ୍ତୁତ ହେଉଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରାଯିବ । ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିଲାଗି ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରସ୍ଥିତ କୃଷିଭବନର ତୃତୀୟ ମହଲା ସଭାଗୃହରେ ପରିସରରେ ଏକ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ।  

କୃଷି ଓ କୃଷକ ସଶକ୍ତୀକରଣ  ବିଭାଗର ପ୍ରମୁଖ ଶାସନ ସଚିବ  ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରିବେ । ବୈଠକରେ ସୁଆରମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ  ଯୋଗଦେବା ଲାଗି ଶ୍ରୀମନ୍ଦିର ନୀତି  ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଚିଠି କରିଛନ୍ତି । 

ଚିଠିରେ ସ୍ପଷ୍ଟ ଉଲ୍ଲେଖ  ରହିଛି, ଶ୍ରୀମନ୍ଦିର ରୋଷେଇରେ  ରାସାୟନିକମୁକ୍ତ ଜୈବିକ ପଦ୍ଧତିରେ  ଉତ୍ପାଦିତ ଚାଉଳ ବ୍ୟବହାର  କରାଯିବା ସମ୍ପର୍କରେ ବୈଠକରେ  ବିସ୍ତୃତ ଆଲୋଚନା ହେବ । ଶ୍ରୀମନ୍ଦିର  ପ୍ରଶାସନର ଏଭଳି ବ୍ୟବସ୍ଥାକୁ  ନିଯୋଗ ପକ୍ଷରୁ ସ୍ୱାଗତ କରାଯାଇଛି ।