ପୁରୀ,୨୪/୧୧: ଦିନଟିଏ ବିତିଗଲା । ହେଲେ ଶ୍ରୀମନ୍ଦିର ପରିକ୍ରମା  ମାର୍ଗରେ ବନ୍ଧୁକ ଧରି ବୁଲିଥିବା ୪ ଜଣ ଅଜଣା ବ୍ୟକ୍ତି କିଏ ତାହା ଜାଣିପାରିଲାନି  ପୁଲିସ । ସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିଛି ଶ୍ରୀମନ୍ଦିର । ସେଥିପାଇଁ  ଶ୍ରୀମନ୍ଦିର ଭିତର ଓ ବାହାର ୨୪ ଘଣ୍ଟିଆ ସୁରକ୍ଷା ବଳୟରେ ରହୁଥିବା ପୁଲିସ  କହୁଛି । ଗୋଟିଏ ପଟେ ଅଜଣା ବ୍ୟକ୍ତି ବନ୍ଧୁକ ଧରି ବୁଲିବା ପରେ ପଳାଇଥିବା ଓ  ଅନ୍ୟପଟେ ଏହି ଘଟଣାର କୌଣସି ସବିଶେଷ ସୂଚନା ପୁଲିସ ଦେଇନପାରିବା  ଘଟଣା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛି । 

ଶ୍ରୀମନ୍ଦିର ଭିତରେ ଓ ବାହାରେ ଜଣେ ଅତିରିକ୍ତ ଏସ୍‌ପି, ୪ ଜଣ ଆସିଷ୍ଟାଣ୍ଟ୍‌  କମାଣ୍ଡାଣ୍ଟ୍‌, ୧୦ ଜଣ ଇନ୍ସପେକ୍ଟର୍‌, ୬୩ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୮  ଜଣ ହାବିଳ୍‌ଦାର୍‌, ୯୬ ଜଣ କନ୍‌ଷ୍ଟେବଳ, ୩୬ ଜଣ ହୋମ୍‌ଗାର୍ଡ ଓ ୨୦  ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଏପରିକି ଘରୋଇ ସଂସ୍ଥାର ସୁରକ୍ଷା  କର୍ମୀମାନେ ମଧ୍ୟ ଡ୍ୟୁଟି କରୁଛନ୍ତି । ଆନନ୍ଦ ବଜାରକୁ ଜଗିଛନ୍ତି ଅବସରପ୍ରାପ୍ତ  ସେନା କର୍ମଚାରୀ । ପରିକ୍ରମା ମାର୍ଗକୁ ଜଗିଛନ୍ତି ପ୍ରାୟ ୩୦ ସିକ୍ୟୁରିଟି ଗାର୍ଡ । ଏହା  ହେଉଛି ଶ୍ରୀମନ୍ଦିରର ସୁରକ୍ଷା ବଳୟ । ଏଭଳି ସ୍ଥିତିରେ ଶୁକ୍ରବାର ଅପରାହ୍ନରେ ୪  ଜଣ ଯୁବକ ରାଇଫଲ୍‌ ଧରି ପରିକ୍ରମା ମାର୍ଗରେ ବୁଲୁଥିବା ଦେଖିବାକୁ ମିଳିଥିଲା ।  ସାଦା ପୋଷାକରେ ଥିବା ଏହି ୪ ଜଣ ଚପଲ ପିନ୍ଧିଥିଲେ । ଜଣକ ହାତରେ  ରାଇଫଲ୍‌ ଥିଲା । ସୁରକ୍ଷା ବଳୟ ଭିତରେ ପ୍ରବେଶ କରି ଏମାନେ ପରିକ୍ରମା  ମାର୍ଗ ଦେଇ ବାହାରକୁ ବାହାରି ଯାଇଥିଲେ । କେହି ସେମାନଙ୍କୁ ରୋକି ନଥିଲେ ।  

ଗତ ମାସ ୧୮ ତାରିଖରେ ପଶ୍ଚିମ ଦ୍ୱାର ଠାରେ ଶ୍ରୀମନ୍ଦିର ସୁପର୍‌ଭାଇଜର୍‌ଙ୍କୁ  ହାଣିବା ମାମଲାକୁ ମାତ୍ର ୧ ମାସ ବିତିଥିବାବେଳେ ବନ୍ଧୁକ ଧରି ବୁଲିଥିଲେ ଅଜଣା  ବ୍ୟକ୍ତି । ତତ୍‌କ୍ଷଣାତ୍‌ ଏ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ  ଯୋଗାଯୋଗ କରାଯାଇଥିଲା । କେହି ପୁଲିସ ଅଧିକାରୀ କିମ୍ବା ଯବାନ୍‌ ହୋଇଥାଇ  ପାରନ୍ତି ବୋଲି ଅଧିକାରୀ ଜଣକ ଖାମଖିଆଲ୍‌ ଢଙ୍ଗରେ ଉତ୍ତର ଦେଇଥିଲେ ।  କିନ୍ତୁ ଏଭଳି ଘଟଣାର ଅନୁସନ୍ଧାନ ବି କରିନଥିଲା ପୁଲିସ ।

ଶନିବାର ସନ୍ଧ୍ୟାରେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଘନଶ୍ୟାମ ହେମ୍ବ୍ରମ୍‌ କହିଲେ  ଯେ, ସେମାନେ କୌଣସି ଏକ ଥାନାର ପୁଲିସ । ସେମାନେ ଶୁକ୍ରବାର ଅପରାହ୍ନରେ  ଆସିଥିଲେ । କଣ୍ଟ୍ରୋଲ୍‌ ରୁମ୍‌ରେ ରାଇଫଲ୍‌ ରଖି ଶ୍ରୀମନ୍ଦିର ଯାଇ ଦର୍ଶନ କରିଥିଲେ ।  ପରେ ରାଇଫଲ୍‌ ନେଇ ସେମାନେ ଫେରି ଯାଇଥିଲେ ବୋଲି ଆମର ଜଣେ ପୁଲିସ  କର୍ମଚାରୀ ଦେଖିଥିବା ସେ କହିଥିଲେ । ଯଦି ପୁଲିସ କର୍ମଚାରୀ ଜାଣିଥିଲେ ତେବେ  ସେହି ଅଜଣା ବ୍ୟକ୍ତି କିଏ ଅର୍ଥାତ୍‌ କେଉଁ ଥାନା ପୁଲିସ ଥିଲେ ତାହା ପୁରୀ ପୁଲିସର  କୌଣସି ବରିଷ୍ଠ ଅଧିକାରୀ କିମ୍ବା କର୍ମଚାରୀ କହିପାରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ  ଉଠିଛି । ଏହି ଅଜଣା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପିନ୍ଧିଥିବା ଟି-ସାର୍ଟ ପଛରେ ଶ୍ରୀମନ୍ଦିର  ଦଧିନଉତିର ଫଟୋ ଥିବାବେଳେ ପୁରୀ ଓ ଜୟ ଜଗନ୍ନାଥ ବୋଲି ଲେଖାଥିଲା ।  ବନ୍ଧୁକଧାରୀ ଜିନ୍ସ ପ୍ୟାଣ୍ଟ୍‌ ଓ ଚେକ୍‌ ସାର୍ଟ ପିନ୍ଧିଥିଲେ । ଅନ୍ୟ ୨ ଜଣ ସାଧାରଣ  ପୋଷାକ ପିନ୍ଧିଥିଲେ । ସଭିଙ୍କ ପାଦରେ ଚପଲ ଥିଲା । ସେମାନଙ୍କ ଚାଲିଚଳଣି  ସନ୍ଦେହ ସୃଷ୍ଟି କରୁଥିଲା । କିନ୍ତୁ ପ୍ରଥମେ ସେମାନେ କିଏ ବୋଲି ସୁରକ୍ଷା ଦାୟିତ୍ୱରେ  ଥିବା ପୁଲିସ କହିପାରିନଥିଲା । ହେଲେ ପରେ ଏହି ଅଜଣା ବ୍ୟକ୍ତି ବାହାରୁ ଆସିଥିବା  ପୁଲିସ ବୋଲି କହି ଘଟଣାକୁ ଏଡ଼ାଇ ଦେବାକୁ ଉଦ୍ୟମ କରୁଥିବା କୁହାଯାଉଛି ।

ଯଦି କେହି ବନ୍ଧୁକ ଆଣି କଣ୍ଟ୍ରୋଲ୍‌ ରୁମ୍‌ରେ ରଖି ନିଜକୁ ପୁଲିସ ବୋଲି  କହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରୁଛି ଏବଂ ସେମାନଙ୍କ ସମ୍ପୂର୍ଣ୍ଣ  ତଥ୍ୟ ରଖୁନି ପୁଲିସ ତେବେ ଏହା ଅତି ସାଂଘାତିକ ବୋଲି କହିଛନ୍ତି ବରିଷ୍ଠ  ଆଇନ୍‌ଜୀବୀ ଶୁଭେନ୍ଦୁ ମହାପାତ୍ର । ସେ କହିଛନ୍ତି ଯେ, ପର୍ଯ୍ୟଟନ କ୍ଷେତ୍ରରେ  ପୁରୀର ପରିଚୟ ସ୍ୱତନ୍ତ୍ର । ସେଥିରେ ଶ୍ରୀମନ୍ଦିର ହେଉଛି ମୁଖ୍ୟ ଆକର୍ଷଣ । ଯଦି  ଶ୍ରୀମନ୍ଦିର ଭଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଏତେ ଢିଲା ତେବେ ଅତି ସହଜରେ  ଆତଙ୍କବାଦୀ ଆକ୍ରମଣ ମଧ୍ୟ ସହଜ ହୋଇଯାଇପାରେ । ସୁରକ୍ଷା ବଳୟ ଭିତରେ  ପୁଣି ପୁଲିସ ସାମ୍ନାରେ ସାଦା ପୋଷାକରେ ବନ୍ଧୁକ ଧରି ବୁଲିବା ଘଟଣାକୁ  ପୁଲିସ ଏତେ ସହଜରେ ଏଡ଼ାଇ ଦେବା କଥା ନୁହେଁ । ଅନ୍ତତଃ ସେମାନେ କିଏ  ବୋଲି ତ ପୁଲିସ ଜାଣିବା କଥା ବୋଲି କହିଛନ୍ତି ଆଇନ୍‌ଜୀବୀ ଶ୍ରୀ ମହାପାତ୍ର।