ପୁରୀ ୧୬/୦୧: ୪ ଦିନ ପରେ ଆଜିଠୁ ପୁଣି ଆରମ୍ଭ ହେଲ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଭିତର ଓ ବାହାର ରତ୍ନଭଣ୍ଡାର (ଉଭୟର  ଭିତର ପାଶ୍ୱର୍) ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ  ଉପର ଆଡୁ ଚୁନ ଛଡ଼ା କାମ ସରିଛି । ଏବେ  ଭିତର ରତ୍ନଭଣ୍ଡାର ଭିତର ପାଶ୍ୱର୍ରେ ଖରାପ ହୋଇଯାଇଥିବା ପଥରଗୁଡ଼ିକ କାଢ଼ି ନୂଆ ପଥର  ଲଗାଯାଉଛି । ପଥର-ପଥର ଭିତରେ ଥିବା ଜଏଣ୍ଟ  ସିଲିଂ (ଯୋଡ଼େଇ ପ୍ଲାଷ୍ଟର)କୁ ପରିଷ୍କାର କରାଯାଇ  ନୂଆ ଜଏଣ୍ଟ ସିଲିଂ କରାଯାଉଛି । ଏହି ଦୁଇ କାମ  ସରିବା ପରେ କେମିକାଲ ଟିମ୍‌ କେମିକାଲ ପ୍ରଲେପ  ଦେବା କାମ କରିବ । ପରେ ଚଟାଣରେ ରହିଥିବା ପ୍ଲାଷ୍ଟରକୁ ଛଡ଼ାଇ ଗ୍ରାନାଇଟ୍‌ ପଥର ପକାଯିବ ।  ଭିତର ଭଣ୍ଡାର ଦକ୍ଷିଣ ପାଶ୍ୱର୍ର ଗ୍ରିଲ ଉପରେ ରହିଥିବା ବିମ୍‌କୁ ବଦାଇ ଦିଆଯିବ । ଏହି ବିମ୍‌  ପୁରୁଣା ପିଟା ଲୁହାରେ ପ୍ରସ୍ତୁତ ହୋଇଥିବାରୁ ପାଣି  ଲିକ୍‌ ଯୋଗୁଁ କଳଙ୍କି ଖାଇ ଫୁଲିଯାଇଛି ଓ ପଥରକୁ  ମଧ୍ୟ ଫଟାଇ ଦେଇଛି । ତେଣୁ ବିମ୍‌କୁ ବଦାଇବା  ସହ ଠଣା(ପକେଟ)କୁ ମରାମତି କରାଯିବ।

ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଜାନୁଆରୀ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ରତ୍ନଭଣ୍ଡାର କାମ ବନ୍ଦ ରହିଥିଲା । ଗୁରୁବାରଠୁ ପୁଣି ରତ୍ନଭଣ୍ଡାର ମରାମତି ଆରମ୍ଭ ହୋଇଛି। ମାର୍ଚ୍ଚ ‌ଶେଷ ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ସାରିବାକୁ ଏଏସ୍‌ଆର ଟିମ୍ ଲକ୍ଷ୍ୟ ରଖିଛି। ମରାମତି ସରିବା ପରେ ଗଣତି ମଣତି କରାଯିବ ବୋଲି ଜଣାପଡିଛି। ସେପଟେ ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ। ଯାହା ଦ୍ବାର ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ସହଜରେ ଦର୍ଶନ କରିପାରିବେ।