ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ସ୍ଥାନୀୟ ଇଞ୍ଜିନିୟର ଓ ଅଧିକାରୀମାନଙ୍କ ଦ୍ୱାରା ଶ୍ରୀମନ୍ଦିରର ରତ୍ନଭଣ୍ଡାର ବାହାର ପାଶ୍ୱର୍ରୁ ଓ ୨୦୧୮ ମସିହାରେ ବାହାର ଭଣ୍ଡାର ଭିତରେ ପ୍ରବେଶ କରି ରତ୍ନଭଣ୍ଡାରର ସ୍ଥିତି ବିପଦସଙ୍କୁଳ ଅବସ୍ଥାରେ ରହିଥିବା ରିପୋର୍ଟ ପ୍ରଦାନ କରିଥିଲେ । ଏହାପରେ ଶ୍ରୀମନ୍ଦିର ପରିଚଳନା କମିଟିରେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ମରାମତି ଓ ସଂରକ୍ଷଣ କାର୍ଯ୍ୟ ନିମିତ୍ତ ଭିତର ଭଣ୍ଡାର ଖୋଲାଯିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଥିଲା । ତଦନୁଯାୟୀ ନୂତନ ଭାବେ ଦାୟିତ୍ୱ ନେଇଥିବା ରାଜ୍ୟ ସରକାର ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ସମ୍ବନ୍ଧୀୟ ସ୍ଥିତି ଓ ଗଣତି ମଣତି ଉଦ୍ଦେଶ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ।

ଏହି ସ୍ୱତନ୍ତ୍ର କମିଟି ବୈଠକରେ ଆଲୋଚନା ଅନୁଯାୟୀ ଏକ ମାର୍ଗଦର୍ଶିକା ପ୍ରସ୍ତୁତ ପୂର୍ବକ ପରିଚାଳନା କମିଟିରେ ଉପସ୍ଥାପନ କରାଯାଇ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା । ଏହାପରେ ୨୦୨୪ ମସିହା ଜୁଲାଇ ୧୪ ତାରିଖ (ପବିତ୍ର ସନ୍ଧ୍ୟାଦର୍ଶନ) ଦିବା ୧ଘଣ୍ଟା ୨୮ମିନିଟ୍ ସମୟରେ ଉଚ୍ଚସ୍ତରୀୟ କମିଟି ସଦସ୍ୟ, ଶ୍ରୀମନ୍ଦିର ସେବକ ପ୍ରତିନିଧି, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୁରୀ ଓ ଆରକ୍ଷୀ ଅଧିକ୍ଷକ, ପୁରୀ, ପ୍ରଥମେ ବାହାର ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ । କିନ୍ତୁ ଭିତର ରତ୍ନଭଣ୍ଡାରର ଚାବିରେ ତାଲା ନଖୋଲିବାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇ ପୁନଶ୍ଚ ଦୁଇଟି ନୂତନ ତାଲା ପକାଯାଇ ସିଲ୍ କରାଯାଇଥିଲା । କିନ୍ତୁ ସେଦିନ ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନାଳଙ୍କାର ପ୍ରାୟ ୨୫ଫୁଟ ଦୂରରେ ଥିବା ଚାଙ୍ଗଡ଼ା ଏବଂ ଫୁଲଘରକୁ ସ୍ଥାନାନ୍ତର ହୋଇଥିଲା ।

 

ସୂଚନାଯୋଗ୍ୟ ଯେ, ଏହି ଘରକୁ ଅସ୍ଥାୟୀ ଭାବେ ଷ୍ଟ୍ରଙ୍ଗରୁମ୍ରେ ପରିଣତ କରାଯାଇଥିଲା । ସମୟ ଅଭାବରୁ ସେଦିନ ଭିତର ରତ୍ନଭଣ୍ଡାରର ମୂଲ୍ୟବାନ ରତ୍ନାଳଙ୍କାର ସ୍ଥାନାନ୍ତର କାର୍ଯ୍ୟ ସମ୍ଭବପର ହୋଇନଥିଲା । ପୁନଶ୍ଚ ମାର୍ଗଦର୍ଶିକା ଆଧାରରେ ୨୦୨୪ ମସିହା ଜୁଲାଇ ୧୮ ତାରିଖ (ଅଧରପଣା) ଦିନ ସକାଳ ୯ଟା ୫୧ମିନିଟ୍ରେ ରତ୍ନଭଣ୍ଡାରକୁ ପ୍ରବେଶ କରି ସେଠାରେ ଥିବା ସମସ୍ତ ରତ୍ନାଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀକୁ ଭଣ୍ଡାର ଗୃହଠାରୁ ପ୍ରାୟ ୧୦ଫୁଟ୍ ଦୂରତା ମଧ୍ୟରେ ରହିଥିବା ଖଟଶେଯ ଘର (ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍)କୁ ସ୍ଥାନାନ୍ତରପୂର୍ବକ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ପକାଯାଇ ସିଲ୍ କରାଯାଇଥିଲା । ଏହି ସ୍ଥାନାନ୍ତର ପ୍ରକ୍ରିୟା ଚାଲୁଥିବା ସମୟରେ ଶ୍ରୀମନ୍ଦିର ପରିଚଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ମଧ୍ୟ କିଛି ସମୟ ଉପସ୍ଥିତ ରହି ଏହି କାର୍ଯ୍ୟର ନିରୀକ୍ଷଣ କରିଥିଲେ । ପରେ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଉଭୟ ଭଣ୍ଡାରର ଖାଲି ଥିବା ଆଲମିରା ଓ ସିନ୍ଦୁକଗୁଡ଼ିକୁ ତା୨୩.୦୮.୨୦୨୪ରିଖ ଦିନ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ବାହାରବେଢ଼ା ପରିସରସ୍ଥ ନୀଳାଦ୍ରିବିହାର ମ୍ୟୁଜିୟମ୍ ଠାରେ ଥିବା ଏକ କୋଠରିରେ ରଖାଯାଇଥିଲା । ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ: ରତ୍ନଭଣ୍ଡାରରୁ ସମସ୍ତ ରତ୍ନାଳଙ୍କାର ସ୍ଥାନାନ୍ତର କରାଯିବା ପରେ ୨୦୨୪ ମସିହା ସେପ୍ଟେମ୍ବର ୧୮ ତାରିଖରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ) ପକ୍ଷରୁ ପ୍ରାଥମିକ ନିରୀକ୍ଷଣ କରାଯାଇଥିଲା । ଏହାପରେ ସେପ୍ଟେମ୍ବର ୨୧ ଏବଂ ୨୨ ତାରିଖ ଦୁଇଦିନ ଏଏସ୍ଆଇ ପକ୍ଷରୁ ବିସ୍ତୃତଭାବେ ରତ୍ନଭଣ୍ଡାରର ବୈଜ୍ଞାନିକ ବୈଷୟିକ ସର୍ଭେ କରାଯାଇଥିଲା ।

ମାର୍ଗଦର୍ଶିକା ଅନୁସାରେ, ରତ୍ନଭଣ୍ଡାରର କୌଣସି ଅଦୃଶ୍ୟ ଚାମ୍ବର, ଜିନିଷ ରଖିବା ସ୍ଥାନ, ଭୂମି ତଳେ ସୁଡ଼ଙ୍ଗ ଆଦିର ସମ୍ଭାବନାକୁ ନଜରରେ ରଖି ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା । ଏ.ଏସ୍.ଆଇ. ପକ୍ଷରୁ ବୈଜ୍ଞାନିକ ଉପାୟରେ ଅନୁଷ୍ଠିତ ସର୍ଭେ ସମୟରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଉଥିବାବେଳେ ଶ୍ରୀମନ୍ଦିର ପରମ୍ପରାକୁ କ୍ଷୁଣ୍ଣ ନହେବାପାଇଁ ଦୃଷ୍ଟି ଦିଆଯାଇଥିଲା । ସର୍ଭେ ରିପୋର୍ଟ ଆଧାରରେ ୨୦୨୪ ମସିହା ଡିସେମ୍ବର ୧୭ ତାରିଖଠାରୁ ଶ୍ରୀବିଗ୍ରହମାନଙ୍କ ବିଶେଷ ନୀତି ଓ ପର୍ବୋତ୍ସବ ବ୍ୟତୀତ ଅନ୍ୟ ଦିନମାନଙ୍କରେ ରତ୍ନଭଣ୍ଡାରର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ଚାଲୁ ରହିଥିଲା । ୧୭.୧୨.୨୦୨୪ ତାରିଖ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍ଓପି(ମାର୍ଗଦର୍ଶିକା) ମୁତାବକ ରତ୍ନଭଣ୍ଡାରର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତା୨୦.୧୨.୨୦୨୪ରିଖ ଶୁକ୍ରବାର ଦିନ ଭିତର ରତ୍ନଭଣ୍ଡାରରୁ ଚୂନ ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୨୦ଜଣ କୁଶଳୀ ଶ୍ରମିକ, ଇଞ୍ଜିନିୟର ଏହି ସଂରକ୍ଷଣ ତଥା ମରାମତି କାର୍ଯ୍ୟରେ ନିୟୋଜିତ ଥିବାବେଳେ ବିଶେଷଜ୍ଞ ଟିମ୍ ସହ ଶ୍ରୀମନ୍ଦିରର ବୈଷୟିକ ଦଳ, ଏ.ଏସ୍.ଆଇ. ପୁରୀ ସର୍କଲର ଅଧିକାରୀମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟ ପୂର୍ବରୁ ପ୍ରାରମ୍ଭରେ ଜିଲ୍ଲା ଟ୍ରେଜେରୀରୁ ଚାବି ଅଣାଯିବା ପରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ସେବକଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ । ପାରମ୍ପରିକ ଲୁଗା, ଗାମୁଛା ବସ୍ତ୍ର ପରିଧାନ କରି ଶ୍ରମିକ ଓ ଅଧିକାରୀମାନେ ସଂରକ୍ଷଣ କାର୍ଯ୍ୟ ନିମିତ୍ତ ଭଣ୍ଡାର ଭିତରକୁ ଯାଇଥିଲେ । ଆସନ୍ତା ୧୦୦ ବର୍ଷକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାରର ସ୍ଥାୟୀ ମରାମତି ଓ ସଂରକ୍ଷଣ ନିମିତ୍ତ ଏ.ଏସ୍.ଆଇ. ସଂସ୍ଥା ପଦକ୍ଷେପ ନେଇଥିବା ଜଣାଯାଏ ।

୨୦୨୫ ମସିହା ଜୁଲାଇ ୬ ତାରିଖ ଦିନ ରତ୍ନଭଣ୍ଡାରର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଥିଲା । ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ ବଳରେ ୧୯୬୦ ମସିହାଠାରୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ବୈଧାନିକ କମିଟି ମାଧ୍ୟମରେ ପରିଚାଳନା କରିବା ପରଠାରୁ ପ୍ରଥମ ଥର ନିମନ୍ତେ ୨୦୨୪ ମସିହାରେ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଇଥିଲା । ପ୍ରଥମେ ଭିତର ଭଣ୍ଡାର ଗୃହର ନଷ୍ଟ ହୋଇଥିବା ଚୂନ ପଥର ପ୍ଲାଷ୍ଟର ଛଡ଼ାଯାଇ କେମିକାଲ କ୍ଲିନିଂ କରାଯାଇଥିଲା । ଏତଦ୍ବ୍ୟତୀତ କଳଙ୍କ ଲାଗି ନଷ୍ଟ ହୋଇଯାଇଥିବା ଲୁହାକ୍ଲାମ୍ପଗୁଡ଼ିକ ପରିବର୍ତ୍ତନ କରାଯାଇଥିଲା । ୧୫ଟି ଷ୍ଟେନ୍ଲେସ୍ ଷ୍ଟିଲ୍ ବକ୍ସ ଫ୍ରେମ୍ ବିମ୍ ଉଭୟ ଭିତର ଓ ବାହାର ଭଣ୍ଡାରର ସଂରକ୍ଷଣ କାର୍ଯ୍ୟ ଅବସରରେ ସଂସ୍ଥାପିତ କରାଯାଇଥିଲା । ୨୧.୦୫.୨୦୨୫ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାରପାଶ୍ୱର୍ ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଥିଲା । ରତ୍ନଭଣ୍ଡାର ବାହାରପାଶ୍ୱର୍ ମରାମତି କାର୍ଯ୍ୟ ଅନେକ ନୂତନ ପଥରମାନ ସଂସ୍ଥାପନପୂର୍ବକ ପଲିମର ଗ୍ରାଉଣ୍ଟିଂ କାର୍ଯ୍ୟ ହୋଇଥିଲା । ମରାମତି ପରେ ବାହାରପାଶ୍ୱର୍ରେ କେମିକାଲ୍ ପ୍ରଲେପ ଦିଆଯାଇଥିଲା । ଫଳରେ ଏହାର ଜଏଣ୍ଟ ସିଲିଂ ପ୍ରଭାବିତ ହେବନି କିମ୍ବା ବର୍ଷାଜଳ ଭିତରକୁ ପ୍ରବେଶ କରିପାରିବନାହିଁ ।

ରତ୍ନଭଣ୍ଡାରର ବିଭିନ୍ନ ମରାମତି ଓ ସଂରକ୍ଷଣ କାର୍ଯ୍ୟ ମଧ୍ୟରେ କାନ୍ଥ, ଲିନ୍ଣ୍ଟେଲ୍, ଛାତ ଇତ୍ୟାଦି ସ୍ଥାନରେ ନଷ୍ଟ ହୋଇଥିବା ପଥରକୁ କଢ଼ାଯାଇ ପ୍ରାଥମିକ ସ୍ତରରେ ୫୨୦ଖଣ୍ଡ ନୂତନ ପଥର ସଂସ୍ଥାପନ, ୧୫ଟି ଷ୍ଟେନ୍ଲେସ୍ ଷ୍ଟିଲ୍ ବକ୍ସ ଫ୍ରେମ୍ ବିମ୍ ସଂସ୍ଥାପନ, କେମିକାଲ୍ ଇତ୍ୟାଦି ସଂସ୍ଥାପନ କାର୍ଯ୍ୟ ଅନ୍ୟତମ ଥିଲା । ସଂରକ୍ଷଣ କାର୍ଯ୍ୟରେ ବ୍ୟବହୃତ ସମସ୍ତ ପଥର ରାଜ୍ୟ ଖଣି ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଏତଦ୍ବ୍ୟତୀତ ପୂର୍ବରୁ ଭିତର ରତ୍ନଭଣ୍ଡାର ପ୍ରବେଶଦ୍ୱାର ଠାରେ ସଂସ୍ଥାପିତ ପ୍ରାଚୀନ ସମୟର ଲୌହ ଗ୍ରୀଲ୍ର କଳଙ୍କି ଛଡ଼ାଯାଇ ରାସାୟନିକ ପ୍ରଲେପ ଓ ରଙ୍ଗ ଇତ୍ୟାଦି ସଂରକ୍ଷଣ କାର୍ଯ୍ୟ କରାଯାଇଅଛି । ସେହିପରି ବାହାର ଭଣ୍ଡାରର ପ୍ରବେଶମାର୍ଗରେ ଭିତରେ ଷ୍ଟେନ୍ଲେସ୍ ଷ୍ଟିଲ୍ରେ ନିର୍ମିତ ନୂତନ ଗେଟ୍ ସଂସ୍ଥାପିତ କରାଯିବା ସମେତ ବାହାରପାଶ୍ୱର୍ରେ ବର୍ମାଟିକ୍ କାଷ୍ଠରେ କୁଶଳୀ ମହାରଣାମାନଙ୍କ ଦ୍ୱାରା ଏକ ନୂତନ ଦ୍ୱାର ଲଗାଯାଇଛି । ଫଳରେ ରତ୍ନଭଣ୍ଡାରର ମୁଖ୍ୟ ପ୍ରବେଶଦ୍ୱାରଟି ଅତ୍ୟନ୍ତ ଆକର୍ଷିତ ତଥା ସୁନ୍ଦର ଦୃଶ୍ୟମାନ ହେଉଅଛି ।

ସର୍ବଶେଷ ତଥ୍ୟ ଅନୁଯାୟୀ, ପ୍ରାୟ ୬୦୦ ଖଣ୍ଡ ନୂତନ ପ୍ରସ୍ତର ସଂରକ୍ଷଣ କାର୍ଯ୍ୟରେ ବ୍ୟବହାର ହୋଇଥିବାବେଳେ ଏଥିନିମନ୍ତେ ଏ.ଏସ୍.ଆଇ. ପକ୍ଷରୁ ପ୍ରାୟ ୫୮ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା । ରତ୍ନଭଣ୍ଡାରର ଏହି ସଂରକ୍ଷଣ ଓ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ସମ୍ମାନାସ୍ପଦ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ରତ୍ନଭଣ୍ଡାରର ବାହାର ଏବଂ ଭିତର ପ୍ରକୋଷ୍ଠର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ଅନୁଧ୍ୟାନପୂର୍ବକ ସନ୍ତୋଷ ପ୍ରକାଶ କରିଥିଲେ । ଏକ ହିସାବରୁ ଜଣାଯାଏ ଯେ, ୨୦୨୪ ମସିହା ଡିସେମ୍ବର ୧୭ ତାରିଖଠାରୁ ୨୦୨୫ ମସିହା ଜୁଲାଇ ୬ ତାରିଖ ମଧ୍ୟରେ ପ୍ରାୟ ୩୩୩ ଘଣ୍ଟା କାର୍ଯ୍ୟ ହୋଇଥିଲା । ଏଥିମଧ୍ୟରେ ଅଣସର ଓ ଅନ୍ୟ କେତେକ ବିଶେଷ ଉତ୍ସବ, ନୀତି ଦିନରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଥିଲା । ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟରେ ଜିଲ୍ଲାପାଳ, ପୁରୀ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପଦସ୍ଥ ଅଧିକାରୀ ସମେତ ଭୁବନେଶ୍ୱର ସର୍କଲର ପ୍ରତ୍ନତାତ୍ତ୍ୱିକ ଅଧିକ୍ଷକ ଶ୍ରୀ ଡି.ବି. ଗଡ଼ନାୟକ, ଉପଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଚିତ୍ତରଞ୍ଜନ ଦାଶ, ରାଡାର ବିଶେଷଜ୍ଞ, କୁଶଳୀ ଶ୍ରମିକ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏସ୍.ପି., ପୁରୀ, ରାଜ୍ୟ ଖଣି ନିଗମ, ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ, ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ୍, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ସଦସ୍ୟମାନଙ୍କ ସହଯୋଗରୁ ଏହି କାର୍ଯ୍ୟ ସଫଳ ଭାବେ ସମ୍ପାଦିତ ହୋଇଥିଲା ।

ସମ୍ପ୍ରତି ଗତ ୨୭.୧୨.୨୦୨୫ ତାରିଖରେ ରତ୍ନଭଣ୍ଡାର ସମ୍ବନ୍ଧିତ ଉଚ୍ଚସ୍ତରୀୟ କମିଟି ବୈଠକର ନିଷ୍ପତ୍ତି ମୁତାବକ ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ରତ୍ନାଳଙ୍କାରର ଗଣତି ମଣତି ପାଇଁ ୧୧ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ତାହାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ନିମିତ୍ତ ସୁପାରିସ କରାଯାଇଛି । ଗଣତି ମଣତି ସମୟରେ ବାହାରକାଠ ପାଖରୁ ଶ୍ରୀଜିଉଙ୍କ ଦର୍ଶନ ହେବ ବୋଲି ମାର୍ଗଦର୍ଶିକାରେ ସୂଚିତ ହୋଇଛି । ତିନିଟି ପର୍ଯ୍ୟାୟରେ ଚଳନ୍ତି ଭଣ୍ଡାର ରତ୍ନାଳଙ୍କାର, ବାହାର ଭଣ୍ଡାର ଅଳଙ୍କାର ଓ ଭିତର ଭଣ୍ଡାର ରତ୍ନାଳଙ୍କାରର ଗଣତି ମଣତି କରାଯିବ ।

ସୂଚନାଯୋଗ୍ୟ ଯେ, ୧୯୭୮ ମସିହାରେ ଅନୁଷ୍ଠିତ ଗଣତି ଓ ମଣତିର ଦୀର୍ଘ ୪୭ବର୍ଷ ପରେ ୨୦୨୬ ମସିହା ରଥଯାତ୍ରା ପୂର୍ବରୁ ଗଣତି ମଣତି କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି । ତେବେ ନିୟମ ମୁତାବକ ପରିଚାଳନା କମିଟିର ସୁପାରିସ ପରେ ରାଜ୍ୟ ସରକାରଙ୍କ ଅନୁମୋଦନ ହେଲେ ଏହି କାର୍ଯ୍ୟ ସମ୍ପନ୍ନ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ ରତ୍ନାଳଙ୍କାରର ଗଣତି ମଣତି ସମୟର ସମସ୍ତ ଦୃଶ୍ୟ ଭିଡିଓଗ୍ରାଫି କରାଯିବ । ଏତଦ୍ବ୍ୟତୀତ ଅଳଙ୍କାରର ଡିଜିଟାଇଜେସନ୍ ମଧ୍ୟ କରାଯିବ ।  ଗଣତି ମଣତି ସମୟରେ କେବଳ ଅଧିକୃତ ବ୍ୟକ୍ତି ଉପସ୍ଥିତ ରହିବେ । ଅଧିକୃତ ବ୍ୟକ୍ତି ଓ ସେବକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ । ଗଣତି ମଣତି କାର୍ଯ୍ୟ ନିମିତ୍ତ ଏକ ତଦାରଖ ଟିମ୍ ରହିବେ । ସେଥିରେ ପୁରୀ ଗଜପତି ମହାରାଜା, ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ଅଧିକୃତ ଅଧିକାରୀ ଏବଂ ଉଚ୍ଚସ୍ତରୀୟ କମିଟିର ଦୁଇଜଣ ସଦସ୍ୟ ରହିବେ । ଭିତର ରତ୍ନଭଣ୍ଡାର ଗଣତି ମଣତି ସମୟରେ ପରିଚାଳନା କମିଟିର ସେବକ ପ୍ରତିନିଧି, ଆର୍. ବି.ଆଇ.ର ଜଣେ ପ୍ରତିନିଧି ଓ ଜଣେ ବଣିଆ ସେବକ ଉପସ୍ଥିତ ରହିବେ । ଗଣତି ମଣତି ସହ ସମ୍ପୃକ୍ତ ସମସ୍ତ ଅଧିକୃତ ବ୍ୟକ୍ତିଙ୍କର ସୁରକ୍ଷା ଯାଞ୍ଚ ସହ ସ୍କ୍ରିନିଂ କରି ଛଡ଼ାଯିବ । ଏସବୁ ବ୍ୟବସ୍ଥାକୁ ପୁରୀ ଏସ୍.ପି. ତଦାରଖ କରିବେ । ଏହା ସହ ଜିଲ୍ଲାପାଳ, ପୁରୀ ଏହି ସମୟରେ ସ୍ୱତନ୍ତ୍ର ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ମୁତୟନ କରିବେ । ତେବେ ୧୧ପୃଷ୍ଠାର ଏହି ମାର୍ଗଦର୍ଶିକା ମଧ୍ୟରେ କେଉଁ ତାରିଖଠାରୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ ତାହାର ସୂଚନା ମିଳିପାରିନାହିଁ । ମହାପ୍ରଭୁଙ୍କ ଅଶେଷ କୃପାରୁ ଅଦ୍ୟାବଧି ରତ୍ନଭଣ୍ଡାରର ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହୋଇଆସିଅଛି ।