ପୁରୀ,୨୮/୦୯: ଶ୍ରୀମନ୍ଦିରରେ ମହାସପ୍ତମୀ ଅବସରରେ ରବିବାର ଠାରୁ ବଡ଼ଦେଉଳରେ ମା’ ବିମଳାଙ୍କ ପୀଠରେ ତ୍ରିଦିନାତ୍ମକ ପୂଜାର ସ୍ୱତନ୍ତ୍ର ବିଧିବିଧାନ ଆରମ୍ଭ ହେବ । ଠାକୁରାଣୀଙ୍କ ନିଶାର୍ଦ୍ଧ ପୂଜା ଅନୁଷ୍ଠିତ ହେବ । ମା’ଙ୍କୁ ଆମିଷ ଭୋଗ ଲାଗିବ । ମା’ବିମଳାଙ୍କ କୂଅ ପଛ ପାଶ୍ୱର୍ ଅସ୍ଥାୟୀ ରୋଷ ଘର ପ୍ରସ୍ତୁତ ହୋଇ ସେଠାରେ ସଙ୍ଖୁଡ଼ି ରନ୍ଧା ହେବ। ଯେତେ ସବୁ ଆମିଷ ତଥା ସଙ୍ଖୁଡ଼ି ଭୋଗ ପଶ୍ଚିମଦ୍ୱାର ଦେଇ ଭିତର ବାହାର ହେବ । ମହାଅଷ୍ଟମୀ ଓ ମହାନବମୀରେ ଏପରି ପୂଜା ଅନୁଷ୍ଠିତ ହେବ । ଠାକୁରଙ୍କ ରାତ୍ର ପହୁଡ଼ ପରେ ସଙ୍ଖୁଡ଼ି ଭୋଗ ଦ୍ରବ୍ୟାଦି ଶ୍ରୀମନ୍ଦିରକୁ ପ୍ରବେଶ କରିବ ।
ଠାକୁରଙ୍କ କମାର ସେବକଙ୍କ ଘରୁ ଯାଏ ଖଡ୍ଗ । ପାଣିଆ ଆପଟ ସେବକଙ୍କ ଘରୁ ପୂଜାର୍ଚ୍ଚନା ହୋଇ ପନିକି ଯାଏ । ପୂଜା ତିନି ଦିନ ୨ଟି ଲେଖାଏଁ ବଳି ପଡ଼ିବାର ବିଧି କାହିଁ କେଉଁ କାଳରୁ ପାଳିତ ହେଉଛି । ଦେବୀଙ୍କ ପାଇଁ ଭକ୍ତଙ୍କ ମାନସିକ ବଳି କାକୁଡ଼ିଖାଇଙ୍କ ନିକଟରେ ପଡ଼ିଥାଏ । ସମସ୍ତ ସଙ୍ଖୁଡ଼ି ଭୋଗ ସେହି ପଶ୍ଚିମଦ୍ୱାର ଦେଇ ବାହାରକୁ ଯିବା ପରେ ଚୂନ ପାଣି ପଡ଼ି ଶ୍ରୀମନ୍ଦିର ଦ୍ୱାର ଫିଟାଯାଏ । ଏଥିସହ ଉକ୍ତ ତିନି ଦିନ ପୂଜାରେ ମଧ୍ୟ ଦୁର୍ଗାମାଧବ ରଥାକୃତି ବିମାନରେ ବିଜେ ହୋଇ ପୂର୍ବଭଳି ଶାକ୍ତ ଗୁଣ୍ଡିଚା ବିଧି ଅନୁଷ୍ଠିତ ହେବ ।