ପୁରୀ, ୦୫/୦୬: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏହି ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଙ୍କ ସହ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ରହିବେ। ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ଭାଗ ନେବେ। ବୈଠକରେ ଗତ ୩୧ ତାରିଖ ଛତିଶା ନିଯୋଗ ଏବଂ ନୀତି ସବ୍ମିଟି ବୈଠକରେ ଅନୁମୋଦନ ପାଇଥିବା ରଥ ଯାତ୍ରା ଓ ସ୍ନାନ ଯାତ୍ରାର ନୀତି ନିର୍ଘଣ୍ଟ, ବ୍ୟବସ୍ଥାବଳୀକୁ ଚୂଡ଼ାନ୍ତ ଅନୁମୋଦନ ମିଳିବ ।
ଅଧିକ ପଢ଼ନ୍ତୁ :- World Environment Day : ବିକାଶ ପାଇଁ ୧୦ ବର୍ଷରେ କଟିଛି ୧୭ ଲକ୍ଷ ଗଛ, ବିପର୍ଯ୍ୟୟ ଗିଳିଛି ୧୦ କୋଟି, ପର୍ଯ୍ୟାପ୍ତ ଅମ୍ଳଜାନ ଓ ଛାଇ ଆସିବ କେଉଁଠୁ ?
ଆଜି ଦିନ ସାଢ଼େ ୧୦ଟାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହି ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀକୁ ମୋହର ମରାଯିବ।
ଚଳିତ ବର୍ଷ ସ୍ନାନଯାତ୍ରା ଓ ଘୋଷଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଏବଂ ସୁରୁଖୁରୁରେ ଆୟୋଜନ ହେବ ସେନେଇ ବୈଠକରେ ଆଲୋଚନା ହେବ। ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ମଧ୍ୟ ଆଲୋଚନା ହେବ। ଏଥିସହ ମାର୍ଚ୍ଚ ୨ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ ଉପରେ ଆଲୋଚନା ହେବ। ବିଭିନ୍ନ ସବ୍ କମିଟି ଏବଂ ନୀତି ସବ୍ କମିଟି, ସୁରକ୍ଷା ସବ୍ କମିଟି ବୈଠକର ବିବରଣୀ ଉପରେ ଆଲୋଚନା ହେବ। ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏଥିସହ ଗୁଣ୍ଡିଚା ମନ୍ଦିରରେ ଚାଲିଥିବା ସମସ୍ତ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ଆଲୋଚନା ହେବ। ବିଗତ ବର୍ଷ ରଥଯାତ୍ରା ସମୟରେ ଘଟିଥିବା ଅଘଟଣ ର ଯେଭଳି ପୁନରାବୃତ୍ତି ନହେବ ସେନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ। ସେପଟେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥରେ ଚାରି ନାହାକା ଉଠିବା ପରେ ରଥରେ ଗୟଳ ପକାଇବା କାର୍ଯ୍ୟ କରୁଛନ୍ତି ମହାରଣା।