ପୁରୀ,୧୭/୧୨: ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ଦ୍ୱିତୀୟ ଭୋଗ ମଣ୍ଡପ ସରିବା ପରେ ଦିନ  ପ୍ରାୟ ସାଢ଼େ ୧୨ଟା ବେଳକୁ ବିଧି ମୁତାବକ  ରତ୍ନଭଣ୍ଡାର ଖୋଲାଯିବ । ଏଏସ୍‌ଆଇ ଅଧିକାରୀ ଓ  କର୍ମଚାରୀମାନେ ଏହା ପରେ ଏସ୍‌ଓପି ପାଳନ କରି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ । ପ୍ରଥମ ଦିନ  ଭିତର ଓ ବାହାର ରତ୍ନଭଣ୍ଡାରରେ ଭାରା ବନ୍ଧାଯିବ । ଭାରାରେ ଚଢ଼ି ଏଏସ୍‌ଆଇ ଅଧିକାରୀମାନେ ସ୍ଥିତିକୁ ନିରୀକ୍ଷଣ କରିବା ପରେ ଛାତ, କାନ୍ଥ ଓ ଚଟାଣରୁ ପ୍ଲାଷ୍ଟର ଛଡ଼ାଯିବ । ପଥରର ସଂଯୋଗ ସ୍ଥଳଗୁଡ଼ିକର ସ୍ଥିତି ଦେଖି ଆବଶ୍ୟକ ମରାମତି ଏବଂ ସଂରକ୍ଷଣ  କରାଯିବ । 

ଏଏସ୍‌ଆଇର ସୁପରିଣ୍ଟେଣ୍ଡେଣ୍ଟ  ଓ ଅନ୍ୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ  ଯାଞ୍ଚ, ମରାମତି ଓ ସଂରକ୍ଷଣ କାମ କରାଯିବ । ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି,  ମୋଟ ୫୫ ଜଣ ଅଧିକାରୀ, କର୍ମଚାରୀ, କୁଶଳୀ  ଓ ଅଣକୁଶଳୀ ଶ୍ରମିକ ରତ୍ନଭଣ୍ଡାର ସଂରକ୍ଷଣ ଓ  ମରାମତି କାମରେ ନିୟୋଜିତ ହେବେ । ସମସ୍ତଙ୍କୁ  ସ୍ୱତନ୍ତ୍ର ପରିଚୟପତ୍ର ଦେବାକୁ ଶ୍ରୀମନ୍ଦିରକୁ ତାଲିକା  ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣେ  ନୋଡାଲ ଅଫିସର ଉପସ୍ଥିତ ରହି ମରାମତି ବେଳେ  ଅନୁମତିପ୍ରାପ୍ତ ଏଏସ୍‌ଆଇର ଅଧିକାରୀ, କର୍ମଚାରୀ ଓ  ଶ୍ରମିକମାନଙ୍କୁ ରତ୍ନଭଣ୍ଡାର ଭିତରକୁ ଛାଡ଼ିବେ । ମୁକ୍ତି  ମଣ୍ଡପ ଦେଇ ବେହେରଣ ଦ୍ୱାର ବାଟେ କର୍ମଚାରୀ  ଓ ଶ୍ରମିକମାନେ ଆବଶ୍ୟକ ଜିନିଷ, ଯନ୍ତ୍ରପାତି,  ପଥର ପ୍ରଭୃତି ନେଇ ରତ୍ନଭଣ୍ଡାର ଭିତରକୁ ଯିବେ । 

ଭିତର ଓ ବାହାର ରତ୍ନଭଣ୍ଡାର କାନ୍ଥ  ଏବଂ ଛାତରେ କିଛି ଅଂଶରେ ସିମେଣ୍ଟ ପ୍ଲାଷ୍ଟର  ରହିଛି । ଏହାକୁ ପ୍ରଥମେ ଛଡ଼ାଯିବ । ଖରାପ ପଥରକୁ ବଦଳାଯିବ । ପଥରକୁ ପଥର ସଂଯୋଗ  କରୁଥିବା ସ୍ଥାନକୁ ପୁନଃ ପ୍ଲାଷ୍ଟର କରାଯିବ ।  ଆବଶ୍ୟକ କେମିକାଲ ପ୍ରଲେପ ଦିଆଯିବ । ପରେ ଚଟାଣରେ ଥିବା ସିମେଣ୍ଟ ପ୍ଲାଷ୍ଟରକୁ ଛଡ଼ାଯିବ ।  ପୂରା ରତ୍ନଭଣ୍ଡାର ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ  ହୋଇଛି । ଏହାର କାନ୍ଥ, ଛାତ ଓ ଚଟାଣରେ  ମୋଟା ଖଣ୍ଡୋଲାଇଟ୍‌ ପଥର ପଡ଼ିଛି । ଚଟାଣରେ  କଳାମୁଗୁନି ପଥର ପକାଇବାକୁ ଯୋଜନା ରହିଛି ।  ସେହିପରି ରତ୍ନଭଣ୍ଡାର ଭିତରେ କାନ୍ଥ ଓ ଛାତକୁ  ଧରି ରଖିଥିବା ପୁରୁଣା ପିଟା ଲୁହା କଳଙ୍କି ଲାଗି  ଯାଇଥିବାରୁ ଏହାକୁ କାଢ଼ି ବଦଳାଇ ଦିଆଯିବ ।  ପୁରୁଣା ପିଟା ଲୁହା ସ୍ଥାନରେ ଷ୍ଟେନ୍‌ଲେସ୍‌  ଷ୍ଟିଲ୍‌ର ଶକ୍ତ ଲୁହା ବିମ୍‌ ଦିଆଯିବ । ଏଥିନିମନ୍ତେ  ଏଏସ୍‌ଆଇ ପକ୍ଷରୁ ୧୨ ଏମ୍‌ଏମ୍‌ ଓ ୧୬ ଏମ୍‌ଏମ୍‌ର ଷ୍ଟେନଲେସ୍‌ ଷ୍ଟିଲ୍‌ ପ୍ଲେଟ୍‌ ମଗାଇ ରଖାଯାଇଛି ।  ପ୍ଲେଟକୁ ବ୍ୟବହାର କରି ଆବଶ୍ୟକ ମୁତାବକ  ବିମ୍‌ ତିଆରି କରାଯିବ ଓ ଭାରା ଦିଆଯିବ । 

ରତ୍ନଭଣ୍ଡାର ଖୋଲିବାଠାରୁ ମରାମତି ସରିବା  ପର୍ଯ୍ୟନ୍ତ ମାର୍ଗଦର୍ଶିକା ମୁତାବକ, ଶ୍ରୀମନ୍ଦିର ବୈଷୟିକ  ଦଳ ସମେତ, ଦେଉଳ, କରଣ, ତଢ଼ଉ କରଣ,  ଭଣ୍ଡାର ମେକାପ ପ୍ରମୁଖ ଉପସ୍ଥିତ ରହିବେ ।  ଶ୍ରୀଲୋକନାଥଙ୍କୁ ପୂଜା କରିବା ପରେ ସମସ୍ତେ  ରତ୍ନଭଣ୍ଡାର ଭିତରେ ପଶିବେ ଓ ମରାମତି କରିବେ ।

 ସେପଟେ ମରାମତିରେ ନିୟୋଜିତ  କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ମେଡିକାଲ ଟିମ୍‌, ଅଗ୍ନିଶମ  ଟିମ୍‌, ପୁଲିସ ଫୋର୍ସ ମୁତୟନ କରାଯିବ ।  ଜଲ୍ଲା ଟ୍ରେଜେରିରୁ ଚାବି ଆଣି ରତ୍ନଭଣ୍ଡାର  ଖୋଲାଯିବ । ଏହି ସମୟରେ ଜିଲ୍ଲାପାଳ, ଶ୍ରୀମନ୍ଦିର  ପ୍ରାଶାସନିକ ଅଧିକାରୀ ଉପସ୍ଥିତ ରହିବେ ।