ପୁରୀ ୧୭/୧୨: ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ପାଇଁ ପହଞ୍ଚିଲେ ଏଏସଆଇ ଟିମ୍। ଏଏସଆଇ ଅଧିକ୍ଷକ ଡି.ବି ଗଡ଼ନାୟକଙ୍କ ସହ ଏଏସଆଇ କର୍ମଚାରୀ ସାମିଲ୍ ହୋଇଛି। ଏଏସ୍‌ଆଇ ଅଧିକାରୀ ଓ  କର୍ମଚାରୀମାନେ ଏସ୍‌ଓପି ପାଳନ କରି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ । ପ୍ରଥମ ଦିନ  ଭିତର ଓ ବାହାର ରତ୍ନଭଣ୍ଡାରରେ ଭାରା ବନ୍ଧାଯିବ । ଭାରାରେ ଚଢ଼ି ଏଏସ୍‌ଆଇ ଅଧିକାରୀମାନେ ସ୍ଥିତିକୁ ନିରୀକ୍ଷଣ କରିବା ପରେ ଛାତ, କାନ୍ଥ ଓ ଚଟାଣରୁ ପ୍ଲାଷ୍ଟର ଛଡ଼ାଯିବ । ପଥରର ସଂଯୋଗ ସ୍ଥଳଗୁଡ଼ିକର ସ୍ଥିତି ଦେଖି ଆବଶ୍ୟକ ମରାମତି ଏବଂ ସଂରକ୍ଷଣ  କରାଯିବ । ୧୫ ଜଣ କର୍ମଚାରୀ ପ୍ରଥମ ଦିନରେ ନିୟୋଜିତ ରହିବେ। ପରେ ଆବଶ୍ୟକ ଅନୁସାରେ କୁଶଳୀ  ଓ ଅଣକୁଶଳୀ ଶ୍ରମିକ ରତ୍ନଭଣ୍ଡାର ସଂରକ୍ଷଣ ଓ  ମରାମତି କାମରେ ନିୟୋଜିତ ହେବେ।

ଭିତର ଓ ବାହାର ରତ୍ନଭଣ୍ଡାର କାନ୍ଥ  ଏବଂ ଛାତରେ କିଛି ଅଂଶରେ ସିମେଣ୍ଟ ପ୍ଲାଷ୍ଟର  ରହିଛି । ଏହାକୁ ପ୍ରଥମେ ଛଡ଼ାଯିବ । ଖରାପ ପଥରକୁ ବଦଳାଯିବ । ପଥରକୁ ପଥର ସଂଯୋଗ  କରୁଥିବା ସ୍ଥାନକୁ ପୁନଃ ପ୍ଲାଷ୍ଟର କରାଯିବ ।  ଆବଶ୍ୟକ କେମିକାଲ ପ୍ରଲେପ ଦିଆଯିବ । ପରେ ଚଟାଣରେ ଥିବା ସିମେଣ୍ଟ ପ୍ଲାଷ୍ଟରକୁ ଛଡ଼ାଯିବ ।  ପୂରା ରତ୍ନଭଣ୍ଡାର ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ  ହୋଇଛି । ଏହାର କାନ୍ଥ, ଛାତ ଓ ଚଟାଣରେ  ମୋଟା ଖଣ୍ଡୋଲାଇଟ୍‌ ପଥର ପଡ଼ିଛି । ଚଟାଣରେ  କଳାମୁଗୁନି ପଥର ପକାଇବାକୁ ଯୋଜନା ରହିଛି ।  ସେହିପରି ରତ୍ନଭଣ୍ଡାର ଭିତରେ କାନ୍ଥ ଓ ଛାତକୁ  ଧରି ରଖିଥିବା ପୁରୁଣା ପିଟା ଲୁହା କଳଙ୍କି ଲାଗି  ଯାଇଥିବାରୁ ଏହାକୁ କାଢ଼ି ବଦଳାଇ ଦିଆଯିବ ।  ପୁରୁଣା ପିଟା ଲୁହା ସ୍ଥାନରେ ଷ୍ଟେନ୍‌ଲେସ୍‌  ଷ୍ଟିଲ୍‌ର ଶକ୍ତ ଲୁହା ବିମ୍‌ ଦିଆଯିବ । ଏଥିନିମନ୍ତେ  ଏଏସ୍‌ଆଇ ପକ୍ଷରୁ ୧୨ ଏମ୍‌ଏମ୍‌ ଓ ୧୬ ଏମ୍‌ଏମ୍‌ର ଷ୍ଟେନଲେସ୍‌ ଷ୍ଟିଲ୍‌ ପ୍ଲେଟ୍‌ ମଗାଇ ରଖାଯାଇଛି ।  ପ୍ଲେଟକୁ ବ୍ୟବହାର କରି ଆବଶ୍ୟକ ମୁତାବକ  ବିମ୍‌ ତିଆରି କରାଯିବ ଓ ଭାରା ଦିଆଯିବ ।