ପୁରୀ,୧୩/୦୧: ସୋମବାର ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦେବାଭିଷେକ ନୀତି  ପାଳନ ଅବସରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ସହ ମକର ସଂକ୍ରାନ୍ତି ପୂର୍ବ ଦିନ ନୀତି ଅନୁସାରେ ନବାଙ୍କ ବେଶ ଅନୁଷ୍ଠିତ ହେବ । ଏକା ଦିନକେ ଠାକୁରଙ୍କ ଦୁଇଟି ବେଶର ଅଦ୍ଭୁତ ଯୋଗାଯୋଗ ବହୁ ବର୍ଷରେ ଆସିଥିବା କୁହାଯାଉଛି । ଦ୍ୱିପହର ଧୂପରେ ଠାକୁରଙ୍କ ସୁନା ବେଶ ଓ ସନ୍ଧ୍ୟା  ଧୂପରେ ନବାଙ୍କ ବେଶ ସମ୍ପନ୍ନ ହେବ । 

ପୌରାଣିକ କଥାବସ୍ତୁ ଆଧାରରେ  ପୌଷପୂର୍ଣ୍ଣିମାରେ ଶ୍ରୀରାମଚନ୍ଦ୍ର ବନବାସରୁ  ଫେରି ରାଜା ହୋଇଥିଲେ । ଏଣୁ ବଡ଼ଦେଉଳ ରତ୍ନସିଂହାସନରେ ମହାପ୍ରଭୁଙ୍କ ଅଭିଷେକ ନୀତି  ସମ୍ପନ୍ନ ହେବ । ଠାକୁରଙ୍କ ପୁଷ୍ୟାଭିଷେକ ପୂର୍ବରୁ  ରବିବାର ରାତିରେ ଅଙ୍କୁରାରୋପଣ ଓ ଜଳ  ଅଧିବାସ ଆଦି ବିଧି ସମ୍ପନ୍ନ ହୋଇଛି । ଚନ୍ଦନଲାଗି  ନୀତି ସରିଲାପରେ ଭୋଗମଣ୍ଡପ ଘରେ ଜଳ  ଓ ଘୃତ ଅଧିବାସ ହୋଇଛି । ସୋମବାର ସକାଳ  ଧୂପ ସରିଲେ ଠାକୁରଙ୍କ ସ୍ୱତନ୍ତ୍ର ନୀତିର ଶୁଭାରମ୍ଭ  ହେବ । ରତ୍ନସିଂହାସନ ନିମ୍ନରେ ଥିବା ଦର୍ପଣରେ  ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଭିଷେକ ନୀତି ଅନୁଷ୍ଠିତ  ହେବ । ଏହାପରେ ମହାପ୍ରଭୁଙ୍କ ଚିତ୍ତାକର୍ଷକ  ସୁନାବେଶ ସମ୍ପନ୍ନ ହେବ । 

ଏହି ଅବସରରେ  ଭିତରଛ ମହାପାତ୍ର ଶ୍ରୀଲକ୍ଷ୍ମଣଙ୍କ ରୂପରେ ଦଣ୍ଡଛତ୍ର ଧରି ଦଣ୍ଡାୟମାନ ହେବେ । ଦଣ୍ଡଛତ୍ର  ମୂଳକୁ ଧାରଣ କରି ପାଳିଆ ଭଣ୍ଡାର ମେକାପ ଶ୍ରୀହନୁମାନଙ୍କ ରୂପରେ ଆଣ୍ଠୁମାଡ଼ି ବସିଥିବେ । ଷୋଡ଼ଷ ଉପଚାରରେ ମହାପ୍ରଭୁଙ୍କୁ ନୈବେଦ୍ୟ  ଅର୍ପଣ କରାଯିବ । ରାଜନୀତି ଓ ବନ୍ଦାପନା ନୀତି  ସମ୍ପନ୍ନ ହେବ । ଶ୍ରୀରଘୁନାଥ ରତ୍ନସିଂହାସନକୁ  ବିଜେ ହୋଇ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ  ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଠାକୁରଙ୍କ  ରାଜାଧିରାଜ ବେଶ ଓ ବିଶେଷ ନୀତି ଦର୍ଶନ କରି  ହଜାର ହଜାର ଭକ୍ତ କୃତାର୍ଥ ହେବେ ।