ପୁରୀ,୨୪/୦୭: ପ୍ରସ୍ତାବିତ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ଜାରି ରହିଛି ସରକାରୀ ଉଦ୍ୟମ ।  ପୁରୀ ଗସ୍ତରେ ଆସି କେନ୍ଦ୍ରୀୟ ୱାଇଲ୍ଡ ଲାଇଫ୍‌ ଇଷ୍ଟିଚ୍ୟୁଟ୍‌  ଅଫ୍‌ ଇଣ୍ଡିଆର ବିଶେଷଜ୍ଞ ଟିମ୍‌ ଶ୍ରୀଜଗନ୍ନାଥ ବିମାନ  ବନ୍ଦର ନିମନ୍ତେ ପ୍ରସ୍ତାବିତ ଜମିକୁ ଯାଇ ବୁଧବାର  ଅନୁଧ୍ୟାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ସୁପାରିସରେ  ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ମତାମତ ଲୋଡିଥିଲେ  ରାଜ୍ୟ ସରକାର । ଜଙ୍ଗଲ ଜମି କିସମ ପରିବର୍ତ୍ତନ  ହେବାକୁ ଥିବା ୨୭.୮୭୭ ହେକ୍ଟର ଜମିର ସ୍ଥିତି ଏହି  ଟିମ୍‌ ଅନୁଧ୍ୟାନ କରିଛନ୍ତି । ସ୍ଥିତି ଦେଖିବା ପରେ ଏହି  ଟିମ୍‌ ନିଜର ମତାମତ ପୁରୀ ଡିଏଫ୍‌ଓଙ୍କୁ ଦେଇଛନ୍ତି ।  

ସେହିପରି ୱାଇଲ୍ଡ ଲାଇଫ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର  ବିଶେଷଜ୍ଞ ଟିମ୍‌ ଏଠାରେ ପ୍ରକଳ୍ପ ହେଲେ ବିଦେଶୀ ପକ୍ଷୀ,  ଡଲ୍‌ଫିନ୍‌, ଅଲିଭ ରିଡ୍‌ଲେଙ୍କ ଆତଯାତରେ କିପରି  ପ୍ରତିକୂଳ ପ୍ରଭାବ ପଡ଼ିବ ତାହାକୁ ଆକଳନ କରିଥିଲେ ।  ଯାହାକୁ ସେମାନେ ପୁରୀ ଡିଏଫ୍‌ଓଙ୍କ ନିକଟରେ ଉପସ୍ଥାପିତ କରିଥିବା ଟିମ୍‌ ସଦସ୍ୟମାନେ ମତ  ଦେଇଛନ୍ତି । ସେହିପରି ଏହାକୁ ନେଇ ଏହି ବିଶେଷଜ୍ଞ  ଟିମ୍‌ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ ।  ଉଭୟ ଜୈବ ବିବିଧତା ଓ ବନ୍ୟଜନ୍ତୁ ଅନୁଶୀଳନକୁ  ନେଇ ଏହି ରିପୋର୍ଟ ପ୍ରସ୍ତୁତ ହେବ । ଡିଏଫ୍‌ଓ ଏହାକୁ  ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି  ଜଣାପଡ଼ିଛି ।  

ସୂଚନା ଥାଉକି, ପୁରୀରେ ବିଶ୍ୱସ୍ତରୀୟ ସହରରେ  ପରିଣତ କରିବା ସହ ଏହାର କାୟା ପରିବର୍ତ୍ତନ ନିମନ୍ତେ  ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଯାହା ଭିତରେ  ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଲକ୍ଷ୍ୟ ରହିଛି ।  ଏବାବଦରେ ପରିବେଶ ମଞ୍ଜୁରି ଓ ଅନ୍ୟାନ୍ୟ ଆବଶ୍ୟକ  ମଞ୍ଜୁରି ନିମନ୍ତେ ସରକାର ପଦକ୍ଷେପ ଜୋରଦାର  କରିଛନ୍ତି।