ପୁରୀ, ୩୧/୦୩: ଆଜି ଶ୍ରୀମନ୍ଦିରରେ ଠାକୁରଙ୍କ ଦୟଣା ଚୋରି ନୀତି ପାଳନ ହେବ । ଜଗନ୍ନାଥ ବଲ୍ଲଭକୁ ଠାକୁରଙ୍କ ସହ କନ୍ଦର୍ପପଟି ବିଜେ ହେବେ । ପରେ ଦୟଣା ଚୋରି କରି ବନ୍ଧା ହେବେ ଠାକୁରେ ।
ମଙ୍ଗଳବାର ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମହାପ୍ରଭୁଙ୍କ ଦୟଣା ଚୋରି ନୀତି ହେବ । ମଧ୍ୟାହ୍ନ ଧୂପ ସରିଲେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ମଠରେ ପହଞ୍ଚିବେ । ଅଧିବାସ ହୋଇଥିବା କନ୍ଦର୍ପ ପଟିଙ୍କୁ ପାଲିଙ୍କି ସମ୍ମୁଖରେ ସ୍ଥାପନା କରାଯାଇଥିବ । ଶ୍ରୀରାମକୃଷ୍ଣ ଓ କନ୍ଦର୍ପପଟି ମଠ ପରିସରରେ ବିଜେ ହେବେ । କନ୍ଦର୍ପପଟିଙ୍କୁ ସମ୍ମୁଖରେ ବିଜେ କରାଯାଇ ବିଧି ଅନୁସାରେ ହୋମ ଯଜ୍ଞ ହେବ । ପ୍ରସାଦ ଲାଗି, ବନ୍ଦାପନା ଓ ଚାମର ଆଲଟ ବଢ଼ିବ । ଠାକୁରଙ୍କୁ ଖିରି ପିଠା ଭୋଗ ଲାଗିବ । ପରେ ବିଧି ମତେ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ଦୟଣା ଲାଗି କରାଯିବ । କୁହାଯାଏ ଇନ୍ଦ୍ରଦେବଙ୍କ ଉଦ୍ୟାନ ମାଳି କନ୍ଦର୍ପଙ୍କୁ ବାନ୍ଧି ଦୟଣା ଗଛ ଚୋରି କରିଥିବେ ଶ୍ରୀରାମକୃଷ୍ଣ । ପରେ ସୁବାସିତ ଦୟଣା ଗଛ ଚୋରି କରିବା ଅଭିଯୋଗରେ ଠାକୁରେ ବନ୍ଧା ହେବେ । ଶ୍ରୀମନ୍ଦିର ଭୋଗମଣ୍ଡପ ଘରେ ବନ୍ଧନ ଅବସ୍ଥାରେ ଠାକୁରଙ୍କୁ ରାତି ବିତାଇବାକୁ ହେବ । ଏସବୁ କାହିଁ କେଉଁ କାଳର ବଡ଼ଦେଉଳରେ ପ୍ରଚଳିତ ଠାକୁରଙ୍କ ବିଧି ।
ଅଧିକ ପଢ଼ନ୍ତି :- ଶ୍ରୀମନ୍ଦିର ନିବେଶ କମିଟି ବୈଠକ, ମହାପ୍ରଭୁଙ୍କର ଦାନ ଅର୍ଥରୁ ନିବେଶ ଉପରେ ହେବ ଆଲୋଚନା