ନୂଆଦିଲ୍ଲୀ,୧୧/୦୬: କିଛି ଘଣ୍ଟାର ଅପେକ୍ଷା ଥିଲା । କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା । ହେଲେ ପୁଣି ଅଟକିଲା ଆକ୍ସିଓମ୍ ମିଶନ୍-୪ । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରାରେ ପୁଣି ବ୍ରେକ୍ ଲାଗିଛି । 'ଷ୍ଟେଟିକ୍‌ ଫାୟର' ପରୀକ୍ଷଣ ପରେ ବୁଷ୍ଟର ଯାଞ୍ଚ ବେଳେ ଲିକ୍ୟୁଇଡ୍‌ ଅକ୍ସିଜେନ୍‌ (LOx) ଲିକ୍‌ ହୋଇଥିଲା । ତେଣୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବହୁପ୍ରତୀକ୍ଷିତ ଆକ୍ସିଓମ୍‌-୪ ମିଶନ୍‌କୁ ସ୍ଥଗିତ ରଖାଯାଇଛି ।

ଆଜି (ବୁଧବାର) ସନ୍ଧ୍ୟା ୫.୩୦ରେ ମହାକାଶ ଯାତ୍ରା କରିଥାନ୍ତେ ଭାରତର ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଲା ଓ ତାଙ୍କ ଟିମ୍‌ । ନାସା ଓ ସ୍ପେସ୍‌ଏକ୍ସର ‘ଆକ୍ସିଓମ୍‌-୪’ ମିଶନରେ ଶୁଭାଂଶୁ ଓ ତାଙ୍କର ୩ ସାଥୀ ସ୍ପେସ୍‌ଏକ୍ସ ଡ୍ରାଗନ୍‌ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌କୁ ଯାତ୍ରା କରିଥାନ୍ତେ । ସ୍ପେସ୍‌ ଷ୍ଟେସନ୍‌ରେ ୧୪ ଦିନର ରହଣିରେ ଏହି ନକ୍ଷତ୍ରବିଜ୍ଞାନୀମାନେ ୬୦ ବୈଜ୍ଞାନିକ ଅଧ୍ୟୟନ ଓ ଗତିବିଧିରେ ଭାଗ ନେଇଥାନ୍ତେ । ଆକ୍ସିଓମ୍‌ ମହାକାଶ ମିଶନରେ ହେବାକୁ ଯାଉଥିବା ଏହା ଏପର୍ଯ୍ୟନ୍ତର ସର୍ବାଧିକ ଅଧ୍ୟୟନ ହେବ । ହେଲେ ପୁଣି ଅନିର୍ଦ୍ଧିଷ୍ଟକାଳ ପାଇଁ ମିଶନ୍‌ରେ ବ୍ରେକ୍ ଲାଗିଛି ।

ଅଧିକ ପଢନ୍ତୁ...ଶୁଭାଂଶୁ ଶୁକ୍ଳାଙ୍କ ସହ ମହାକାଶ ଯିବ ଟାର୍ଡିଗ୍ରେଡ୍‌, ଏହି ଜୀବର ବିଶେଷତ୍ବ କ’ଣ ?


ମିଶନ ୱେବ୍‌ସାଇଟ୍‌ ଅନୁସାରେ,ଶୁଭାଂଶୁ ଏହି ୧୪ ଦିନିଆ ମିଶନରେ ବିଭିନ୍ନ ଭାରତୀୟ ଏଜେନ୍ସିଙ୍କ ପାଇଁ ୭ ଅନୁସନ୍ଧାନ କରିଥାନ୍ତେ । ସେଥିରେ ମାୟୋଜେନେସିସ୍‌, କ୍ରପ୍‌ ସିଡ୍‌ସ ଇନ୍‌ ଇଣ୍ଟରନ୍ୟାସ୍‌ନାଲ ସ୍ପେସ୍‌ ଷ୍ଟେସନ୍‌ (ମହାକାଶ କେନ୍ଦ୍ରରେ ଶସ୍ୟ ବୃଦ୍ଧି ପ୍ରୟୋଗ), ଭୋୟାଜର ଟାର୍ଡିଗ୍ରେଡ୍‌ସ, ସ୍ପେସ୍‌ ମାଇକ୍ରୋଏଲ୍‌ଗି, ସ୍ପ୍ରାଉଟିଂ ସିଡ୍‌ସ, ସାଇନୋବ୍ୟାକ୍ଟେରିଆ ଅନ୍‌ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌, ଭୋୟଜର ଡିସ୍‌ପ୍ଲେ ସାମିଲ ରହିଛି । ଏହି ମିଶନ କେବଳ ପ୍ରୟୋଗ ପାଇଁ ନୁହେଁ, ପରବର୍ତ୍ତୀ ସ୍ପେସ୍‌ ଷ୍ଟେସନ୍‌ ନିର୍ମାଣର ମାର୍ଗ ମଧ୍ୟ ଖୋଲିବ । ଶୁଭାଂଶୁ ଓ ଆକ୍ସିଓମ୍‌-୪ ମିଶନ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୈଜ୍ଞାନିକ ସମୁଦାୟର ପ୍ରଗତିରେ ଏହା ଯୋଗଦାନ ଦେବ ଏବଂ ପରବର୍ତ୍ତୀ ସ୍ପେସ୍‌ ଷ୍ଟେସନ୍‌ର ମୂଳଦୁଆ ପକାଇବ ।