ଗୌହାଟୀ,୨୩/୧୧: ଆହତ ହୋଇଥିବା ଟିମ ଇଣ୍ଡିଆ ଅଧିନାୟକ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଖେଳି ପାରିବେ ନାହିଁ । ୩୦ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ଗିଲଙ୍କ ବେକରେ ଆଘାତ ଲାଗିଥିଲା । ଏପରିକି ତାଙ୍କୁ ଡାକ୍ତରଖାନାରେ ଗୋଟିଏ ଦିନ ଚିକିତ୍ସିତ ହେବାକୁ ପଡ଼ିଥିଲା । ସେ ଦଳ ସହ କୋଲକାତାରୁ ଗୌହାଟୀ ଯାତ୍ରା କରିଥିଲେ ହେଁ ଦ୍ୱିତୀୟ ଟେଷ୍ଟରେ ଖେଳୁ ନାହାନ୍ତି । ବିସିସିଆଇ ଗିଲଙ୍କ ଯନ୍ତ୍ରଣା ସ୍ଥାନର ସ୍କାନ ରିପୋର୍ଟ ମୁମ୍ବାଇର ଡାକ୍ତର ଦିନଶ’ ପର୍ଡିୱାଲାଙ୍କୁ ଦେଖାଇଥିଲା । ଅତି କମ୍ରେ ଆଉ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହାପରେ ସେ ଆଉ ଥରେ ଆଘାତ ସ୍ଥାନର ସ୍କାନ କରାଇବେ । ଉକ୍ତ ରିପୋର୍ଟ ଦେଖିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ପୂର୍ବରୁ ଶ୍ରେୟାସ ଆୟର ମଧ୍ୟ ଆହତ ରହିଛନ୍ତି । ଉଭୟ ଗିଲ୍ ଓ ଆୟର ଦିନିକିଆ ଦଳର ଅଧିନାୟକ ଓ ଉପ ଅଧିନାୟକ । ଉଭୟଙ୍କ ଅନୁପସ୍ଥିତିରେ ଦିନିକିଆ ସିରିଜ ପାଇଁ ନୂଆ ଅସ୍ଥାୟୀ ଅଧିନାୟକ ଓ ଉପଅଧିନାୟକ ନିଯୁକ୍ତ କରାଯିବ । ବର୍ତ୍ତମାନର ଦିନିକିଆ ଦଳରେ ବହୁ ଡାହାଣ ହାତି ବ୍ୟାଟର ରହିଛନ୍ତି । ତେଣୁ ଗିଲ ଓ ଆୟରଙ୍କ ଅନୁପସ୍ଥିତିରେ ବାମ ହାତି ବ୍ୟାଟରଙ୍କୁ ଅଗ୍ରାଧିକାର ମିଳିବା ନିଶ୍ଚିତ । ଗିଲଙ୍କ ସ୍ଥାନରେ ଯଶସ୍ୱୀ ଜୈସ୍ୱାଲ ଓପନର ଭାବେ ସ୍ଥାନ ପାଇବେ । ଆୟରଙ୍କ ସ୍ଥାନକୁ ନେଇ ରିଷଭ ପନ୍ତ ଓ ତିଳକ ବର୍ମାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ । ଅକ୍ଷର ପଟେଲ ଅଧିନାୟକ ନିଯୁକ୍ତି ପାଇବାର ସମ୍ଭାବନା ରହିଛି । ସେହିପରି ୱାସିଂଟନ ସୁନ୍ଦରଙ୍କୁ ଅନ୍ୟ ଅଲ୍ରାଉଣ୍ଡର ଭାବେ ସ୍ଥାନ ମିଳିବା ଆଶା କରାଯାଉଛି ।