ନୂଆଦିଲ୍ଲୀ,୧୨/୦୯: ପାହାଡ଼ ଉପରେ ଆକାଶରୁ ମୃତ୍ୟୁ ଖସିଛି । ପାହାଡ଼ୀ ରାଜ୍ୟରେ ବାଦଲ ଫାଟିବା ଏବଂ ଭୂସ୍ଖଳନ ଘଟଣା ଲଗାତାର ଭାବରେ ଦେଖିବାକୁ ମିଳୁଛି । ଜମ୍ମୁକାଶ୍ମୀର, ଉତ୍ତରାଖଣ୍ଡ ପରେ ସିକିମରେ ପ୍ରକୃତି କୋପ ଦେଖିବାକୁ ମିଳିଛି । ପଶ୍ଚିମ ସିକିମର ୟାଙ୍ଗଥାଙ୍ଗ ଅପର ରିମ୍ବୀରେ ମଧ୍ୟରାତ୍ରିରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ନିଖୋଜ ଅଛନ୍ତି । ଭୂସ୍ଖଳନ ସମୟରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ, ସ୍ଥାନୀୟ ଗ୍ରାମବାସୀ ଏବଂ ଏସ୍ଏସବି କର୍ମଚାରୀମାନେ ମିଶି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସୋସିଆଲ ମଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି କି ପୋଲିସ ଜଣଙ୍କୁ ପାଣିରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।
କାଠ ସାହାଯ୍ୟରେ ବନ୍ୟାଗ୍ରସ୍ତ ହ୍ୟୁମ୍ ନଦୀ ଉପରେ ଏକ ଅସ୍ଥାୟୀ ସେତୁ ନିର୍ମାଣ କରାଯାଇଛି । ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସେହି ଅସ୍ଥାୟୀ ସେତୁ ଜରିଆରେ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯାଉଛି । ସେମାନେ ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଅନ୍ୟ ନିଖୋଜ ୩ ଜଣଙ୍କର କୌଣସି ଖୋଜଖବର ମିଳୁନାହିଁ । ମୃତ ୪ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।
ଏସପି ଶେରିଂ ଶୋରର୍ପା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ''ଭୂସ୍ଖଳନ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରୁ ୩ ଜଣ ଘଟଣାସ୍ଥଳରେ ଆଖି ବୁଜିଛନ୍ତି । ନଦୀରୁ ଉଦ୍ଧାର ୨ ମହିଳାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ''
ହ୍ୟୁମ୍ ନଦୀରେ ଜଳ ପ୍ରବାହ ଯୋଗୁଁ ଘରେ ପଶିଲା ପାଣି- ଏହା ସହିତ, ଏସପି କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ବାଦଲ ଫାଟି ବଡ଼ ଭୂସ୍ଖଳନ ହୋଇଛି । ହ୍ୟୁମ୍ ନଦୀରେ ବନ୍ୟା ପାଣି ମାଡିଆସି ଘରେ ଘରେ ପାଣି ପଶିଛି । ସିକିମରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି । ଆଗକୁ ଅଧିକ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି ।