ନୂଆଦିଲ୍ଲୀ,୨୯।୧୨: ବୁଲିୟନ ବଜାରରେ ଆଜି ଯାହା ହୋଇଛି, ତାହା ନିବେଶକଙ୍କୁ ଚକିତ କରିଛି। ଗତ ସପ୍ତାହ ଲଗାତାର ରେକର୍ଡ ସୃଷ୍ଟି କରୁଥିଲା ରୁପା। ସୋମବାର କାରବାର ଆରମ୍ଭରୁ ରୁପାର ମୂଲ୍ୟ ୨,୫୪,୧୭୪ ଟଙ୍କା ପ୍ରତି କିଲୋରେ ପହଁଞ୍ଚିଛି। କିନ୍ତୁ ଏହାର ଏକ ଘଣ୍ଟା ପରେ ୨୧ ହଜାର ଟଙ୍କା ହ୍ରାସ ପାଇଥିଲା। ଏମ୍‌ସିଏକ୍ସରେ ରୁପାର ମାର୍ଚ୍ଚ ଫ୍ୟୁଚର୍ସରେ ମଧ୍ୟାହ୍ନର କାରବାର ବେଳେ କେବଳ ଏକ ଘଣ୍ଟା ଭିତରେ ଏହି ହ୍ରାସ ଦେଖିବାକୁ ମିଳିଛି। ଏହା ସହ ରୁପା ୨,୩୩,୧୨୦ର ନିମ୍ନ ସ୍ତରରେ ପହଁଞ୍ଚିଛି। ଏହି ହ୍ରାସ କେବଳ ଭାରତ ପର୍ଯ୍ୟନ୍ତ ସୀମିତ ନୁହେଁ। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରୂପାର ଦାମ୍‌ରେ ବୃଦ୍ଧି ଓ ହ୍ରାସ ଦେଖିବାକୁ ମିଳିଛି।

ସୋମବାର ରୁପାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୮୨ ଡଲାର ପ୍ରତି ଆଉନ୍ସ ପାର କରି ପ୍ରଥମ ତର ପହଁଞ୍ଚିଛି। କିନ୍ତୁ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ମଧ୍ୟରେ ଏକ ଶାନ୍ତି ଚୁକ୍ତିର ଆଶା ଉପରେ ୭୫ ଡଲାର ସ୍ତର ତଳକୁ ଖସିଗଲା। ଟ୍ରମ୍ପ ରବିବାର କହିଥିଲେ ସେ ଏବଂ ଜେଲେନ୍ସକି ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିର ନିକଟତର ହେଉଛନ୍ତି। ଏହି ଖବର ନିବେଶକମାନଙ୍କୁ ଆଶ୍ୱସ୍ତ କରିଛି ଏବଂ ସୁରକ୍ଷିତ ନିବେଶ ଭାବରେ ପରିଚିତ ଧାତୁର ଚାହିଦା ହ୍ରାସ ହୋଇଛି।

ଏମସିଏକ୍ସରେ ୫ ମାର୍ଚ୍ଚର ଡେଲିଭରି ଥିବା ରୁପା ଗତ ସିଜିନ୍‌ ୨,୩୯,୭୮୭ ଟଙ୍କାରେ ବନ୍ଦ ହୋଇଥିଲା। ଆଜି ୨,୪୭,୧୯୪ ଟଙ୍କାରେ ଖୋଲିଥିଲା। ପ୍ରାରମ୍ଭିକ କାରବାରରେ ଏହା ୨,୫୪,୧୭୪ ଟଙ୍କା ପର୍ଯ୍ୟନ୍ତ ପହଁଞ୍ଚିଥିଲା। କିନ୍ତୁ ପରେ ଏଥିରେ ହ୍ରାସ ଘଟିଛି। ଏକ ସମୟରେ ଏହା ପ୍ରାୟ ୨୧,୦୦୦ ଟଙ୍କାକୁ ହ୍ରାସ ସହିତ ୨,୩୨,୬୬୩ ଟଙ୍କା ପର୍ଯ୍ୟନ୍ତ ଆସିଯାଇଥିଲା। ୨.୪୭ ରେ ଏହା ୨,୩୩,୯୦୦ ଟଙ୍କାରେ ଟ୍ରେଡ୍ କରୁଥିଲା। ନିକଟର କିଛି ଦିନରେ ରୁପାର ମୂଲ୍ୟରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ରୁପା ୧୮୧%ର ରିଟର୍ଣ୍ଣ ଦେଇଛି, ଯାହାକି ସୁନାଠାରୁ ଖୁବ୍ ଭଲ ପ୍ରଦର୍ଶନ କରିଛି। ଏହାର ବହୁ କାରଣ ରହିଛି। ଆମେରିକା ରୁପାକୁ ଏକ ଗୁରୁତ୍ବପୂର୍ଣ୍ଣ ଖଣିଜ ଘୋଷିତ କରିଛି। ଉତ୍ପାଦନ ଓ ଯୋଗାଣରେ କିଛି ବାଧାର କାରଣରୁ ଏହାର ଯୋଗାଣରେ ଅଭାବ ଆସିଛି। ବଜାରରେ ରୁପାର ଷ୍ଟକ୍ କମ୍ ରହିଛି। ସେଭଳି ଔଦଗିକ ଓ ନିବେଶ ଦୁଇ କ୍ଷେତ୍ରରୁ ରୂପାର ଦାବି ବଢିବାରେ ଲାଗିଛି।

ଆହୁରି ପଢନ୍ତୁ :‘ସବୁଠୁ ବଡ଼ ଦୁଇ ପଳାତକ’, ବିଜୟ ମାଲ୍ୟାଙ୍କ ସହ ଭିଡିଓ ଭାଇରାଲ ପରେ ବିବାଦ : ଏବେ ସରକାରଙ୍କୁ କ୍ଷମା ମାଗିଲେ ଲଳିତ ମୋଦି