ଭୁବନେଶ୍ୱର,୨୧/୧୧: ଶୁକ୍ରବାର  ଶଙ୍ଖ ଧ୍ୱନି, ହୁଳହୁଳି ଆଉ ବେଦମନ୍ତ୍ରରେ କମ୍ପି  ଉଠିବ । ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଯିବେ ବର-ବଧୂ । ବାହାଘରକୁ ଆଉ ଦିନଟିଏ ବାକି ଥିବାବେଳେ ଖଣ୍ଡଗିରି ଜୀବନଜ୍ୟୋତି ଶିଶୁସୁରକ୍ଷା  ଯତ୍ନଗୃହରେ ସେଥିପାଇଁ ଚାଲିଛି ଜୋରଦାର୍‌  ପ୍ରସ୍ତୁତି । ତେବେ ଏହି ବାହାଘରର ଭିନ୍ନତା  ହେଉଛି ଅନାଥାଶ୍ରମର ଅନ୍ତେବାସିନୀ ସୀମା  (୨୦)ଙ୍କୁ ଜୀବନସାଥୀ କରିବେ ଅନନ୍ତ ନାରାୟଣ  ଶତପଥୀ (୨୭) ।  

ପିଲାଟିବେଳୁ ସୀମା ବାପାମା’ଙ୍କୁ ହରାଇବା  ପରେ ଏହି ଆଶ୍ରମରେ ବଡ ହୋଇଛନ୍ତି । ସେ  ଆଇଟିଆଇ ପାସ୍‌ କରିବା ପରେ ଆଶ୍ରମରେ ରହି ସେବା କାର୍ଯ୍ୟ କରୁଛନ୍ତି । ସବୁ ଝିଅଙ୍କ ଭଳି ସୀମା ବି ବାହାଘର ଲାଗି ସ୍ୱପ୍ନ ଦେଖିଥିଲେ ଯାହା  ସତ ହେବାକୁ ଯାଉଛି । ସୀମାଙ୍କ ହାତ ଧରିବେ  କଳାରାହାଙ୍ଗ ନିବାସୀ ପ୍ରମିଳା ଶତପଥୀ ଏବଂ  ସ୍ୱର୍ଗତଃ ବିଷ୍ଣୁଚରଣ ଶତପଥୀଙ୍କ ପୁଅ ଅନନ୍ତ ।  ଅନନ୍ତ ଓଡିଶା କନଷ୍ଟ୍ରକସନ୍‌ କର୍ପୋରେସନ୍‌  (ଓସିସି)ରେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ।  ଏକ ଆଶ୍ରମର ଝିଅକୁ ବୋହୂ କରି ନେବାକୁ  ସେ ଓ ତାଙ୍କ ପରିବାରର ଇଚ୍ଛା ଥିଲା । ସେଥିପାଇଁ  ସେମାନେ ମନଲାଖି ଝିଅଟିଏ ଖୋଜୁଥିଲେ । ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଜୀବନଜ୍ୟୋତି  ଆଶ୍ରମକୁ ଆସିଥିଲେ । ତେବେ ସୀମାଙ୍କୁ ଦେଖିବା ପରେ ଅନନ୍ତଙ୍କ କନିଆ ଖୋଜାରେ ପୂର୍ଣ୍ଣଚ୍ଛେଦ  ପଡ଼ିଥିଲା । ତାଙ୍କୁ ବୋହୂ କରି ନେବାକୁ ନିଷ୍ପତ୍ତି  ନେଇଥିଲେ ଅନନ୍ତଙ୍କ ପରିବାର । ବୁଧବାର  ଅନୁକୂଳ ବଡ଼ି ପଡିଛି । ଗୁରୁବାର ହେବ ମେହେନ୍ଦି । ଆଉ ଶୁକ୍ରବାର ବେଦିରେ ମଙ୍ଗନ ସହ ବାହାଘର ।  

ଏଇ ଆଶ୍ରମ ମୋ ପାଇଁ ସବୁ କିଛି । ମୋ  ସ୍ୱପ୍ନ ସତ ହେବାକୁ ଯାଉଥିବାରୁ ମୁଁ ବହୁତ ଖୁସି ।  ମୋ ଭାବି ସ୍ୱାମୀ  ଅନନ୍ତଙ୍କ ଖୁସିରେ  ମୋର ଖୁସି । ସେ  ମୋର ବହୁତ  ଧ୍ୟାନ ରଖୁଛନ୍ତି ।  ସେ ଦିନକୁ ଅତି  କମରେ ଦୁଇ ଥର  ଫୋନ କରି ମୋର ଭଲମନ୍ଦ ପଚାରି ବୁଝୁଛନ୍ତି । ତାଙ୍କର ପନିର ଆଉ ପୋଟଳ ତରକାରୀ  ବହୁତ ପସନ୍ଦ । ତେଣୁ ମୁଁ ତାଙ୍କୁ ରୋଷେଇ  କରି ଖୁଆଇବି । ଏଥିସହ ଆଗକୁ ତାଙ୍କ  ସହଯୋଗରେ ସମାଜସେବା କରିବାକୁ ଲକ୍ଷ୍ୟ  ରଖିଛି ।