ବାରିପଦା,୨୫/୦୪: ଦୀର୍ଘ  ଚାରି ଦଶନ୍ଧି ପରେ ବିଶ୍ୱପ୍ରସିଦ୍ଧ ଜୈବମଣ୍ଡଳ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶିମିଳିପାଳ ଇତିହାସରେ ଯୋଡ଼ିହୋଇଛି  ନୂଆଫର୍ଦ୍ଦ । ୨୦୨୫ ଏପ୍ରିଲ୍‌ ୨୪ ତାରିଖ କେବଳ ମୟୂରଭଞ୍ଜ ନୁହେଁ³  ସାରା ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ  ହୋଇଛି । ଭିତରକନିକା ପରେ  ଶିମିଳିପାଳ ଓଡ଼ିଶାର ଦ୍ୱିତୀୟ ଏବଂ  ଜାତୀୟସ୍ତରରେ ୧୦୭ତମ ଜାତୀୟ  ଉଦ୍ୟାନ ଭାବେ ପରିଗଣିତ ହେବ ।  

ଶିମିଳିପାଳ ଉଦ୍ୟାନକୁ ଓଡ଼ିଶା ସରକାର ସରକାରୀ ସ୍ତରରେ ଜାତୀୟ  ଉଦ୍ୟାନର ମାନ୍ୟତା ଦେଇଥିବାରୁ ଖୁସି  ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଏହି ନିଷ୍ପତ୍ତି ପାଇଁ  ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଓ ରାଜ୍ୟ ଜଙ୍ଗଲ ଓ ପରିବେଶ  ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ  ଧନ୍ୟବାଦ ଜଣାଇଛନ୍ତି । ସେ ଏକ୍ସରେ  ଉଲ୍ଲେଖ କରିଛନ୍ତି ଯେ ଏହି ନିଷ୍ପତ୍ତି  ଦ୍ୱାରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ  ଶିମିଳିପାଳର ସ୍ୱତନ୍ତ୍ର ପରିଚୟ ବିଶ୍ୱରେ  ବ୍ୟାପକ ହେବ । ପର୍ଯ୍ୟଟକଙ୍କ ସଂଖ୍ୟା  ଅଧିକ ବୃଦ୍ଧି ହେବ ।  ଏହା ସ୍ଥାୟୀ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ସହ ସ୍ଥାନୀୟ ନାଗରିକ  ବିଶେଷ ଭାବରେ ଜନଜାତିଙ୍କୁ ସଶକ୍ତ କରିବ । ଉଲ୍ଲେଖଯୋଗ୍ୟ ଯେ ୧୯୮୦ରେ  ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।  

୨୦୨୩ ମେ’ ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ବୁଲି ଯାଇଥିବା  ବେଳେ ଏହାର ବିକାଶ ଓ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦେବାକୁ ରାଜ୍ୟ ଜଙ୍ଗଲ  ଓ ପରିବେଶ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ।  ୨୦୨୪ରେ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଯଶୀପୁର ବିଧାୟକ  ଗଣେଶରାମ ସିଂ ଖୁଣ୍ଟିଆ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର  ମନ୍ତ୍ରୀ ହୋଇଥିଲେ । ଏହାପରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ  ମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି  ପ୍ରସ୍ତାବକୁ ଅନୁମୋଦନ କରି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ୨୭୫୦  ବର୍ଗ କିମିରୁ ମାତ୍ର ୮୪୫.୭୦ ବର୍ଗ କିମି ବିଶିଷ୍ଟ ଅଞ୍ଚଳକୁ ନେଇ ଶିମିଳିପାଳ  ଜାତୀୟ ଉଦ୍ୟାନର ସୀମା ନିର୍ଦ୍ଧାରଣ କରାଯାଇଛି । ଏହାପରେ ଶିମିଳିପାଳ  ରାଜ୍ୟର ଦ୍ୱିତୀୟ ତଥା ସର୍ବବୃହତ୍‌ ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ହାତେଇଛି ।