ବେଜିଂ : ଚୀନ୍ ଯୁଦ୍ଧକାଳୀନ ଭିତ୍ତିରେ କ୍ଷେପଣାସ୍ତ୍ର ଉତ୍ପାଦନ କରୁଛି । ବିଶେଷକରି, ଗତ ପାଞ୍ଚ ବର୍ଷ ମଧ୍ୟରେ ଚୀନ୍ ତା’ର କ୍ଷେପଣାସ୍ତ୍ର ଉତ୍ପାଦନକୁ ଯଥେଷ୍ଟ ବୃଦ୍ଧି କରିଛି। ୨୦୨୦ ମସିହାରୁ ଚୀନ୍ ଦ୍ରୁତ ଗତିରେ ତା’ର କ୍ଷେପଣାସ୍ତ୍ର ଉତ୍ପାଦନ ସ୍ଥଳକୁ ବିସ୍ତାର କରିଛି। ଏହି ସମ୍ପ୍ରସାରଣ ଆମେରିକା ଏବଂ ତା’ର ସହଯୋଗୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଚୀନ୍ର ଏହି ପଦକ୍ଷେପ ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି । ସେପଟେ ଚୀନ୍ର ବର୍ଦ୍ଧିତ କ୍ଷେପଣାସ୍ତ୍ର କ୍ଷମତା ପାକିସ୍ତାନ ଭଳି ଦେଶମାନଙ୍କୁ ଲାଭ ପହଞ୍ଚାଇପାରେ ।
ସିଏନ୍ଏନ୍ର ଏକ ରିପୋର୍ଟ ଅନୁଯାୟୀ, ଚୀନ୍ରୁ କେତେକ ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି । ଏଥିରୁ ଚୀନ୍ର ଗୁପ୍ତ କ୍ଷେପଣାସ୍ତ୍ର ଉତ୍ପାଦନ ସଂପର୍କରେ ଜଣାପଡ଼ିଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ୍ର ବର୍ତ୍ତମାନ ରକେଟ୍ ଫୋର୍ସ (PLARF) ଏବଂ ପ୍ରତିରକ୍ଷା ଉତ୍ପାଦନ ପାଇଁ ଉତ୍ସର୍ଗୀକୃତ ୧୩୬ଟି କେନ୍ଦ୍ର ରହିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି କେନ୍ଦ୍ରଗୁଡ଼ିକର ବ୍ୟାପକ ସଂପ୍ରସାରଣ ହୋଇଛି ।
ସାଟେଲାଇଟ୍ ଚିତ୍ରଗୁଡ଼ିକ ନୂତନ କାରଖାନା ଟାୱାର, ବଙ୍କର ଏବଂ ପରୀକ୍ଷଣ କେନ୍ଦ୍ରକୁ ଦର୍ଶାଉଛି । ଏଥିମଧ୍ୟରୁ କିଛି ସ୍ଥାନରେ କ୍ଷେପଣାସ୍ତ୍ର ଉପାଦାନ ବାହାରେ ସଂରକ୍ଷଣ କରାଯାଇଛି। ୨୦୨୦-୨୦୨୫ ମଧ୍ୟରେ ଏହିସବ କେନ୍ଦ୍ରର ପରିଧି ପ୍ରାୟ ୨୦ ଲକ୍ଷ ବର୍ଗ ମିଟର ବୃଦ୍ଧି ପାଇଛି। ଉତ୍ପାଦନ ସ୍ଥାନ ସୃଷ୍ଟି କରିବା ପାଇଁ ଅନେକ ଗାଁ ଏବଂ କୃଷି ଜମିକୁ ସାମରିକ କମ୍ପ୍ଲେକ୍ସରେ ପରିଣତ କରାଯାଇଛି।
ନାଟୋର ପୂର୍ବତନ ଯୁଦ୍ଧାସ୍ତ୍ର ନିୟନ୍ତ୍ରଣ ନିର୍ଦ୍ଦେଶକ ୱିଲିୟମ୍ ଆଲବର୍କ କହିଛନ୍ତି ଯେ, ଏହା ଚୀନର ମହାଶକ୍ତି ହେବର ସ୍ବପ୍ନ ପୂରଣ କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ। ଆମେ ବର୍ତ୍ତମାନ ଅନେକ ଦେଶରେ ଯୁଦ୍ଧାସ୍ତ୍ର ରେସ୍ ଦେଖୁଛୁ । କିନ୍ତୁ ଚୀନ୍ ପୂର୍ବରୁ ଏଥିରେ ବହୁ ଆଗରେ ରହିଛି । ଚୀନ୍ ବର୍ତ୍ତମାନ ଏକ ମାରାଥନ୍ ପାଇଁ ପ୍ରସ୍ତୁତି କରୁଛି ବୋଲି ସେ କହିଛନ୍ତି।
୨୦୧୨ ମସିହାରେ କ୍ଷମତା ଗ୍ରହଣ କରିବା ପରଠାରୁ ସି ଜିନପିଙ୍ଗ ପିପୁଲ୍ସ ଲିବରେସନ ଆର୍ମି (PLA)କୁ ଏକ ବିଶ୍ୱସ୍ତରୀୟ ସେନା ବାହିନୀରେ ପରିଣତ କରିବା ଉପରେ ଧ୍ୟାନ ଦେଇଛନ୍ତି। ପିପୁଲ୍ସ ଲିବରେସନ ଆର୍ମି ରକେଟ ଫୋର୍ସ ଏବେ ଚୀନ ଲାଗି ବେଶ ଗୁରୁତ୍ବପୂର୍ଣ୍ଣ । ଏହାକୁ ବିକଶିତ କରିବା ଲାଗି କାର୍ଯ୍ୟ ଚାଲିଛି । ଏହା ଆମେରିକା ବିରୋଧରେ ପ୍ରାଚୀର ପରି ଛିଡ଼ା ହେବା ଲାଗି କ୍ଷମତା ରଖିଛି । ଏପରିକି ସମ୍ଭାବ୍ୟ ତାଇଓ୍ବାନ ଲଢ଼େଇରେ ହିଁ ପିଏଲଏଆରଏଫ ପ୍ରମୁଖ ଭୂମିକା ଗ୍ରହଣ କରିପାରେ । ଭବିଷ୍ୟତରେ ତାଇଓ୍ବାନକୁ କବଜା କରିବାକୁ ଯୋଜନା ରଖିଥିବା ଚୀନ୍ ଆମେରିକା ପଟୁ ଥିବା ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି ବୋଲି କୁହାଯାଉଛି ।