ଲାଞ୍ଜିଗଡ଼,୦୧/୦୯(ଆପ୍ର): ଗାଁକୁ ଭଲ ରାସ୍ତା ଖଣ୍ଡେ ନ' ଥିବା ଯୋଗୁଁ ଲୋକେ ଅନେକ ସମୟରେ ଯମ ଯନ୍ତ୍ରଣା ଭୋଗୁଛନ୍ତି । ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ତିଆରି କରୁଛନ୍ତି ସତ। ହେଲେ ଉପାନ୍ତ ଅଞ୍ଚଳର ଅନେକ ଗାଁରେ ଅପହଞ୍ଚ ମୌଳିକ ସୁବିଧା। ଏବେ ବି ଭଲ ରାସ୍ତା ଖଣ୍ଡେ ନ' ଥିବା ଯୋଗୁଁ ବିଭିନ୍ନ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏହିଭଳି ଅଭିଯୋଗ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ ବେଡ଼ାଗାଁ ପଞ୍ଚାୟତ ଅନ୍ତର୍ଗତ ଗାରେଶ ଗାଁରୁ।
ସୂଚନା ମୁତାବକ ସିନ୍ଧିବାହାଲିରୁ ଗାରେସ ଓ ଦେହେଡ଼ାକୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ହୋଇଥିବା ବେଳେ ସ୍ୱଳ୍ପ ବର୍ଷା ହେଲେ ପ୍ରବଳ କାଦୁଅ ହେଇଯାଉଛି। ଏଣୁ ଏହି ରାସ୍ତାରେ ଯାନବାହାନ ଯିବା ତ ଦୂରର କଥା ପାଦରେ ଚାଲିଯିବା କଷ୍ଟ ସାଧ୍ୟ ହୋଇପଡୁଛି। ଊକ୍ତ ରାସ୍ତା କୁମଖାଲ ଛକରୁ ସିନ୍ଧିବାହାଳୀ ଦେଇ ଗାରେସ୍ ଓ ଦେହେଡ଼ାକୁ ସଂଯୋଗ କରୁଥିବାବେଳେ କୁମଖାଲ୍ ଛକରୁ ସିନ୍ଧିବାହାଲି ପର୍ଯ୍ୟନ୍ତ ପି.ଏମ୍.ଜୀ. ରାସ୍ତା ନିର୍ମାଣ ହୋଇଛି ସତ ହେଲେ ତାହା ବି ବର୍ତମାନ ଅତି ଶୋଚନୀୟ ଅବସ୍ଥା। କୁମଖାଳ ଛକରୁ ସିନ୍ଧିବାହାଳୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଯୋଜନାରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ସିନ୍ଧିଁବାହାଲି ମଶାଣି ଜଙ୍ଗଲରୁ ଗାରେଶ୍ ପର୍ଯ୍ୟନ୍ତ ଅବଡ଼ା ଖବଡ଼ା ମାଟି ରାସ୍ତା ଟିଏ ରହିଛି। ଯାହା ଫଳରେ ଅଳ୍ପ ବର୍ଷା ହେଲେ କାଦୁଅ ପଚ ପଚ ହେବା ସହ ଛୋଟ ବଡ଼ ଖାଲଖମାରେ ପାଣି ଜମି ରହୁଛି। ସେ ସମୟରେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଅନେକ ଗର୍ଭବତୀ ଓ ଗୁରୁତର ରୋଗୀ। ଚାରି ଚକିଆ ଯାନବାହାନ ଯିବା ତ ଛାଡ଼ନ୍ତୁ ଦୁଇ ଚକିଆ ଗାଡ଼ିରେ ଯିବା ବି କାଠିକର ପାଠ ହେଉଛି।
ଯିବା ସମୟରେ ଅଳ୍ପ ଅସାବଧାନତା ହେଲେ ଦୁର୍ଘଟଣାର ହେବାର ଅତ୍ୟାଧିକ ସମ୍ଭାବନା ରହିଛି। ଏମିତି କି ଏକାଧିକ ଲୋକେ ଦୁର୍ଘଟଣାର ଶିକାର ହୋଇ ଆହତ ମଧ୍ୟ ହୋଇସାରିଲେଣି। ଏହି ରାସ୍ତାରେ ଗାରେଶ, ଦେହେଡ଼ା, ବେଲଭଟା, ବେଲଗୁଡ଼ାଙ୍ଗ, ସର୍ଗିଲେପା, ମନସ୍ତରା, ତାଡ଼ିଝୋଲା, ଆଡ଼େଶ୍ୱର ଓ ସଲପାଙ୍ଗରୁ ଏକ ହଜାରରୁ ଉର୍ଦ୍ଧ ଲୋକ ଯାତାୟାତ କରୁଥିବାବେଳେ ଏହି ରାସ୍ତା ଦେଇ ଲୋକେ ହାଟ ବଜାର ସମେତ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଯାତାୟାତ କରିଥାଆନ୍ତି। ଉକ୍ତ ରାସ୍ତାରେ ସ୍କୁଲ ଶିକ୍ଷକ ମାନେ ଯିବାପାଇଁ ମଧ୍ୟ ବାଧକ ସୃଷ୍ଟି କରିଥାଏ ଓ ବିଭିନ୍ନ ସମୟରେ ଅନେକ ହଇରାଣ ହରକତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏନେଇ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବହୁବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁନ'ଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।
ତେଣୁ ଯଥା ସମ୍ଭବ ଉକ୍ତ ରାସ୍ତା ପ୍ରତି ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରି ରାସ୍ତା ନିର୍ମାଣ ନିର୍ମାଣ କରିବାକୁ କାଳିଆ ବିଭାର, ବିପିନ୍ଦ୍ର ବିଭାର, ଫଗୁଲାଲ ହରପାଳ, ଅଚ୍ୟୁତ ହରପାଳ, ଗଗନେ ବିଭାର, ଗୋବିନ୍ଦ ହରପାଳ, ଦିନେଶ ମାଝୀ, ଅଶୋକ କୁମାର ହରପାଳ ସମେତ ଗାରେଶ ଗ୍ରାମବାସୀ ପ୍ରମୁଖ ଦାବୀ କରିଛନ୍ତି।