ନୂଆଦିଲ୍ଲୀ,୨୨।୯: ସିଙ୍ଗର ଜୁବିନ୍ ଗର୍ଗଙ୍କ ଦ୍ବିତୀୟ ଥର ହେବ ପୋଷ୍ଟମର୍ଟମ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସୋମବାର ଏହି ଘୋଷଣା କରିଛନ୍ତି। ଏହା ପୂର୍ବରୁ ସେ ମଙ୍ଗଳବାର ସନ୍ଧ୍ୟାରେ ଗର୍ଗଙ୍କ ଅନ୍ତିମ ସଂସ୍କାର ହେବ ବୋଲି କହିଥିଲେ। ଶୁକ୍ରବାର ସିଙ୍ଗାପୁରରେ ସମୁଦ୍ରରେ ବିନା ଲାଇଫ୍ ଜ୍ୟାକେଟ୍‌ରେ ସନ୍ତରଣ କରିବା ବେଳେ ଜୁବିନ୍‌ଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିଲା। ଖବର ରହିଛି ଯେ, ସିଙ୍ଗାପୁର ସରକାରଙ୍କ ପକ୍ଷରୁ ଜାରି ରିପୋର୍ଟରେ ତାଙ୍କର ମୃତ୍ୟୁ ପାଣିରେ ବୁଡିବା ଯୋଗୁଁ ହୋଇଛି ବୋଲି କୁହାଯାଇଥିଲା।

ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଦାବି ପରେ, ଜୁବିନଙ୍କ ମୃତଦେହର ଦ୍ବିତୀୟ ଥର ବ୍ୟବଚ୍ଛେଦ କରାଯିବ। ଏହା ମଙ୍ଗଳବାର ଗୌହାଟିର ଏକ ହସ୍ପିଟାଲରେ କରାଯିବ। କୁହାଯାଉଛି ଯେ, ତାଙ୍କ ମୃତ୍ୟୁ ମାମଲାରେ ସନ୍ଦେହ ଥିବାରୁ  ଏହି ନିଷ୍ପତ୍ତି ନିଆଯାଇଛି।

ରବିବାର ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ, ଜୁବିନଙ୍କ ଅନ୍ତିମ ସଂସ୍କାର ୨୩ ସେପ୍ଟେମ୍ବର ଅର୍ଥାତ ମଙ୍ଗଳବାର ଗୌହାଟି ପାଖରେ ଥିବା ତାଙ୍କ ଗାଁରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ କରାଯିବ। କାରଣ ତାଙ୍କ ପରିବାର ଲୋକ ଚାହାଁନ୍ତି ଜୁବିନଙ୍କ ଶେଷକୃତ୍ୟ ତାଙ୍କ ଗାଁରେ ହେଉ। ଜୁବିନଙ୍କ ପତ୍ନୀ ଗାରିମା ସୌକିଆୟ ଗର୍ଗ କହିଥିଲେ,  ଜୁବିନଙ୍କ ବାପାଙ୍କୁ ଏବେ ୮୫ ବର୍ଷ। ସେ ଜୋରହାଟ୍ ଯିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ତେବେ ଜୋରହାଟ୍‌ରେ ଥିବା ଲୋକ ଜୁବିନଙ୍କ ଅନ୍ତିମ ସଂସ୍କାର ସେଠାରେ କରିବାକୁ ଦାବି କରିଥିଲେ। କିନ୍ତୁ ପରିବାର ଲୋକଙ୍କୁ ଆମେ ପ୍ରାଥମିକତା ଦେଇଛୁ। ଜୋରହାଟ୍‌ର ଲୋକଙ୍କ ଭାବନାକୁ ମ ଆମେ ସମ୍ମାନ ଜଣାଉଛୁ। ସେଥିପାଇଁ ଜୁବିନ୍‌ଙ୍କ ଅସ୍ଥି ବିସର୍ଜନ ସେଠାରେ କରାଯିବା ସହ ଏକ ସ୍ମାରକୀ ତିଆରି କରାଯିବ