ନୂଆଦିଲ୍ଲୀ, ୨୪।୮: ଦିନକ ପରେ ଆରମ୍ଭ ହେବ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍‌ ୟୁଏସ ଓପନ । ଡିଫେଣ୍ଡିଂ ଚାମ୍ପିଅନ୍‌ ଜାନିକ ସିନର ଓ ଅର୍ନ୍ୟା ସାବାଲେଙ୍କା ଏଥର ମଧ୍ୟ ଟାଇଟଲ ଦାବିଦାର ରୂପେ ଗଣା ହେଉଛନ୍ତି । ମାତ୍ର ୨୫ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଲକ୍ଷ୍ୟରେ ରହିଥିବା ନୋଭାକ ଜୋକୋଭିକ୍‌ଙ୍କୁ ଅନ୍ୟତମ ଦାବିଦାର ରୂପେ ବିବେଚନା କରାଯାଉଛି । ସେ ସମ୍ପୂର୍ଣ୍ଣ ଫିଟ୍‌ ଓ ଫର୍ମରେ ରହିଛନ୍ତି । ଏଥର ସେ ୪୦ଡିଗ୍ରୀ ତାପମାତ୍ରାରେ ସିନସିନାଟି ମାଷ୍ଟର୍ସ ନଖେଳି ଶରୀରକୁ ବିଶ୍ରାମ ଦେଇଛନ୍ତି । ଜୋକୋଭିକଙ୍କୁ ଟାଇଟଲ ହାସଲ କରିବାକୁ ହେଲେ ପ୍ରଥମେ ସେମି ଫାଇନାଲ୍‌ରେ କାର୍ଲୋସ ଅଲ୍‌କାରାଜଙ୍କୁ ପରାସ୍ତ କରିବାକୁ ପଡ଼ିବ । ସିନସିନାଟି ମାଷ୍ଟର୍ସ ଫାଇନାଲ୍‌ ପୂର୍ବରୁ ଅସୁସ୍ଥ ହୋଇ ପଡ଼ିଥିବା ସିନର ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ମହିଳା ବର୍ଗରେ ସାବାଲେଙ୍କାଙ୍କୁ ଟକ୍କର ଦେବା ପାଇଁ ଇଗା ସ୍ୱିଟେକ ପ୍ରସ୍ତୁତ ରହିଛନ୍ତି । ସେ ନିକଟରେ ସିନସିନାଟି ଓପନ ଜିତି ମନୋବଳ ଦୃଢ ରଖିଛନ୍ତି । ମାତ୍ର ଘରୋଇ ପରିବେଶରେ କୋକୋ ଗୌଫ ମଧ୍ୟ ଅନ୍ୟତମ ଦାବିଦାର ରୂବେ ଗଣା ହେଉଛନ୍ତି । ଜୋକୋଭିକଙ୍କ ସମେତ ଆସନ୍ତା କାଲି ସାବାଲେଙ୍କା, ବେନ ସେଲଟନ, ଜେସିକା ପେଗୁଲା, ଏମା ରାଡୁକାନୁ, ଟେଲର ଫ୍ରିଜ, ଜସ୍ମିନ ପାଓଲିନି, ଡାନିଲ ମେଡଭେଡେଭ, ଭିକ୍ଟୋରିଆ ଆଜାରେଙ୍କା ପ୍ରମୁଖ ଷ୍ଟାର ଖେଳାଳିମାନେ ଅଭିଯାନ ଆରମ୍ଭ କରିବେ । ଆର୍ଥର ଏସ ଷ୍ଟାଡ଼ିୟମ୍‌ରେ ଷଷ୍ଠ ସିଡ୍‌ ସେଲଟନ ପ୍ରଥମ ରାଉଣ୍ଡ୍‌ରେ ଇଗ୍ନାସିଓ ବ୍ୟୁଜଙ୍କୁ ଭେଟିବେ । 

ସପ୍ତମ ସିଡ୍‌ ଜୋକୋଭିକ୍‌ ପ୍ରଥମ ରାଉଣ୍ଡରେ ଲର୍ନର ଟିନଙ୍କୁ ଭେଟୁଥିବାବେଳେ ଚତୁର୍ଥ ସିଡ୍‌ ଟେଲର ଫ୍ରିଜ ଅନ୍ୟ ଆମେରିକୀୟ ଏମିଲିଓ ନାଭାଙ୍କୁ, ୧୩ତମ ସିଡ୍‌ ମେଡଭେଡେଭ ଫ୍ରାନ୍ସର ବେଞ୍ଜାମିନ ବୋଞ୍ଜିଙ୍କୁ ଭେଟିବେ । ୧୬ତମ ସିଡ୍‌ ଜାକୁବ ମେନସିକ୍‌ ପ୍ରଥମ ରାଉଣ୍ଡ୍‌ରେ ନିକୋଲାସ ଜାରି, ୧୮ତମ ସିଡ୍‌ ଆଲିଜାନ୍ଦ୍ରୋ ଡେଭିଡୋଭିଚ ଫକିନା କାଜାଖସ୍ତାନର ଆନ୍ଦ୍ରେ ସେଭଚେଙ୍କୋ, ୨୦ତମ ସିଡ୍‌ ଜିରି ଲେହେକା କ୍ରୋଏସିଆର ବୋନା କୋରିକଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ସାବାଲେଙ୍କା ପ୍ରଥମ ରାଉଣ୍ଡ୍‌ରେ ସ୍ୱିଜରଲାଣ୍ଡର ରେବେକା ମାସାରୋଭାଙ୍କୁ ସାମ୍ନା କରିବେ । ଚତୁର୍ଥ ସିଡ୍‌ ପେଗୁଲା ଇଜିପ୍ଟର ମେୟର ସେରିଫଙ୍କୁ ଭେଟୁଥିବାବେଳେ ଲୁଇସ ଆର୍ମଷ୍ଟ୍ରଙ୍ଗ ଷ୍ଟାଡ଼ିୟମ୍‌ରେ ରାଡ଼ୁକାନୁ ଜାପାନର ଏନା ସିବାହାରାଙ୍କୁ ସାମ୍ନା କରିବେ । ସପ୍ତମ ସିଡ୍‌ ପାଓଲିନ୍‌ ଅଷ୍ଟ୍ରେଲିଆର ଡେଷ୍ଟାନି ଆଇଭାଙ୍କୁ, ଦଶମ ସିଡ୍‌ ଏମା ନାଭାରୋ ଚୀନ୍‌ର ୟାଫାନ ୟାଙ୍ଗଙ୍କୁ, ୧୬ତମ ସିଡ୍‌ ବେଲିଣ୍ଡା ବେନକିକ୍‌ ଚୀନ୍‌ର ସୁଆଇ ଝାଙ୍ଗଙ୍କୁ, ଆଜାରେଙ୍କା ଆମେରିକାର ହିନା ଇନୋୟୁଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ଏଥର ୟୁଏଓ ଓପନରେ କିଛି ନୂଆ ତାରକାଙ୍କୁ ଦେଖିବା ପାଇଁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ମହିଳା ବର୍ଗରେ ଆଲେକଜାନ୍ଦ୍ରା ଏଲା, ଭିକ୍ଟୋରିଆ ମବୋକୋ, ମୀର ଆନ୍ଦ୍ରିଭା, ଆଲିସିଆ ପାର୍କ୍ସ, ଡାଏନେ ପାରି ପ୍ରମୁଖ ନଜରରେ ରହିଛନ୍ତି ।