ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

କାର୍ଯ୍ୟକ୍ଷମ ହେଉନି ସିର୍ତିଗୁଡ଼ା ଗ୍ରିଡ୍, ସଫଳ ହେବ ତ ଇନଭେଷ୍ଟ କନ୍ଧମାଳ ?

Published By : Prameya | May 6, 2025 11:40 AM

ଦାରିଙ୍ଗବାଡ଼ି, ୬।୫: ଶିଳ୍ପ ପ୍ରତିଷ୍ଠା ପାଇଁ ବିଦ୍ୟୁତ୍ ବ୍ୟବସ୍ଥା ହେଉଛି ପ୍ରଥମ । ବିନା ବିଦ୍ୟୁତ୍‌ରେ ଶିଳ୍ପ ଚାଲିବା ଅସମ୍ଭବ । ହେଲେ ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରତିଦିନ ଯେଭଳି ବିଦ୍ୟୁତ୍ ବିଭ୍ରାଟ ଓ ଭୋଲ୍ଟେଜର ସମସ୍ୟା ଦେଖାଦେଉଛି ଦାରିଙ୍ଗବାଡିରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ହେବା ପରେ କାର୍ଯ୍ୟକାରୀ ଉପରେ ସନ୍ଧେହ ସୃଷ୍ଟି ହେଉଛି । ନୂଆଗାଁ ବ୍ଲକ ସିର୍ତ୍ତିଗୁଡ଼ାଠାରେ ୧୦୦ କୋଟି ଟଙ୍କାରେ ନିର୍ମିତ ୨୨୦/୩୩ ଗ୍ରୀଡ୍ ସବଷ୍ଟେସନ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ୨୦୧୬ ମସିହା ଫେବୃୟାରୀ ମାସରେ ତତ୍କାଳୀନ ଶକ୍ତିମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ବ୍ୟୟ ଅଟକଳ ୧୦୨ କୋଟି ଟଙ୍କା ଥିଲା । ଯୋଜନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗ୍ରୀଡ୍‌ରୁ ଏଠାକୁ ବିଦ୍ୟୁତ୍ ଆସି ବାଲିଗୁଡ଼ା ଉପଖଣ୍ଡକୁ ଯୋଗାଣ ହୋଇଥାନ୍ତା । ୨୦୧୮ ମାର୍ଚ୍ଚ ମାସରୁ ଉକ୍ତ ଗ୍ରୀଡ୍‌ରୁ ବିଦ୍ୟୁତ୍ ଯୋଗାଇ ଦେବାର ଲକ୍ଷ୍ୟ ରହିଥିଲା । ଉଦ୍ଦେଶ୍ୟ ଥିଲା ବାଲିଗୁଡ଼ା, ଦାରିଙ୍ଗବାଡ଼ି, କୋଟଗଡ଼, ରାଇକିଆ, କେ ନୂଆଗାଁ, ତୁମୁଡ଼ିବନ୍ଧ ବ୍ଲକକୁ ଆବଶ୍ୟକ ଅନୁଯାୟୀ ବିଦ୍ୟୁତ୍ ଯୋଗାଇ ଦେବା । ଧାର୍ଯ୍ୟ ସମୟ, ଅର୍ଥାତ୍ ୨୦୧୮ ମସିହାରୁ ସବଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ସମସ୍ତ ଯନ୍ତ୍ରପାତି ସ୍ଥାପନ ସହିତ କୋଠାବାଡ଼ି କାମ ବି ସରିଛି । କିନ୍ତୁ, ଇତି ମଧ୍ୟରେ ୯ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରିନି । 

ଫଳରେ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ଠାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ହୋଇଥିବା ଇନଭେଷ୍ଟ କନ୍ଧମାଳ କେତେ ସଫଳ ହେବ ତାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି । ଗତ ଫେବୃୟାରୀ ୨୭ ତାରିଖ ଦିନ ୨ ଦିନ ଧରି ଇନଭେଷ୍ଟ କନ୍ଧମାଳ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାରେ ପର୍ଯ୍ୟଟନ, ଏଗ୍ରୋ ଟୁରିଜମ୍‌, ହସ୍ପିଟାଲିଟି, ଖାଦ୍ୟ ପ୍ରକ୍ରିୟାକରଣ ଓ ଏନର୍ଜି ଶିଳ୍ପ ପ୍ରତିଷ୍ଠା ପାଇଁ ୫୨୦ କୋଟି ଟଙ୍କାର ଇନଭେଷ୍ଟ କରିବା ପାଇଁ ପୁଞ୍ଜିପତିମାନେ ରାଜି ହୋଇଥିଲେ । ୫୨୦ କୋଟି ମାଧ୍ୟରୁ ଖାଲି ଦାରିଙ୍ଗବାଡ଼ିରେ ପାଖାପାଖି ୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ରହିଛି । ହେଲେ ଦାରିଙ୍ଗବାଡ଼ି ଅଞ୍ଚଳରେ ଯେଭଳି ବିଦ୍ୟୁତ୍ ବିଭ୍ରାଟ ହେଉଛି ତାକୁ ନେଇ ଇନଭେଷ୍ଟ କନ୍ଧମାଳ କେତେ ସଫଳ ହେବ ତାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି । ଯେଉଁ ପୁଞ୍ଜିପତିମାନେ ଦାରିଙ୍ଗବାଡ଼ିଠାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଇଚ୍ଛୁକ ଅଛନ୍ତି ବିଦ୍ୟୁତ୍‌ର ଲୁଚକାଳି ଖେଳରେ ଶିଳ୍ପ ଅନେକ ସମୟରେ ବନ୍ଦ ରହିବା ଅନୁମାନ କରାଯାଉଛି । 

ଖାଲି ଯେ, ବର୍ଷା ପବନ ହେଲେ ବିଦ୍ୟୁତ୍ କାଟ ହେଉଛି ତାହା ନୁହଁ ବରଂ ବିନା କାରଣରେ ମଧ୍ୟ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ହେଉଛି । ଦିନରେ ଅଧା ସମୟ ବିଦ୍ୟୁତ୍ ରହିଲେ ଅଧା ସମୟ ରହୁନାହିଁ । ଭୋଲଟେଜର ମଧ୍ୟ ସମସ୍ୟା ରହିଛି । ଯଦି ଉକ୍ତ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହୁଏ ତାହାଲେ ୨୪ ଘଣ୍ଟାରେ ଅଧା ସମୟ ଶିଳ୍ପ ଚାଲିଲେ ଅଧା ସମୟ ବନ୍ଦ ରହିବା ଏକ ପ୍ରକାର ସୁନିଶ୍ଚିତ ହେବ । ଲୋଭୋଲ୍ଟେଜ୍ ହେଉ ଅବା ବିଦ୍ୟୁତ୍ ବିଭ୍ରାଟକୁ ରୋକିବାକୁ ହେଲେ ସିର୍ତିଗୁଡ଼ା ଗ୍ରିଡ୍ କାର୍ଯ୍ୟକ୍ଷମ ଏକାନ୍ତ ଆବଶ୍ୟକ ରହିଛି । ଯଦି ଏହି ଗ୍ରିଡ୍ କାର୍ଯ୍ୟକ୍ଷମ ହୁଏ ତା’ହାଲେ ଲୋଭୋଲ୍ଟେଜର ସମସ୍ୟା ସହ ବିଦ୍ୟୁତ୍ କାଟ ସମସ୍ୟା ରହିବ ନାହିଁ । ଫଳରେ ଯେଉଁ ପୁଞ୍ଜିପତି ମାନେ ଦାରିଙ୍ଗବାଡ଼ିଠାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ସେମାନଙ୍କ ଆଗ୍ରହ ବୃଦ୍ଧି ପାଇବ । ଏଣୁ ଇନଭେଷ୍ଟ କନ୍ଧମାଳକୁ ସଫଳ କରିବାକୁ ହେଲେ ସିର୍ତିଗୁଡ଼ା ଗ୍ରିଡ୍ କାର୍ଯ୍ୟକ୍ଷମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସିର୍ତିଗୁଡ଼ା ଗ୍ରିଡ୍‌କୁ କିଭଳି କାର୍ଯ୍ୟକ୍ଷମ କରାହେବ ତାକୁ ନେଇ ଉଦ୍ୟମ କରିବା ଜରୁରୀ ବୋଲି ପୁଞ୍ଜିପତି ସହ ଅଞ୍ଚଳବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.