ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି କରନ ଦେବଙ୍କ ହତ୍ୟା ଅଭିଯୋଗରେ ତାଙ୍କ ପତ୍ନୀ ସୁଷ୍ମିତା ଦେବୀ (୩୫) ଏବଂ ତାଙ୍କ ଭାଇ ରାହୁଲ ଦେବ (୨୪)ଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଏହି ହତ୍ୟା ପଛରେ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଏବଂ ବ୍ଲାକମେଲିଂ ମୁଖ୍ୟ କାରଣ ଥିବା ନେଇ ଅଭିଯୋଗ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ଗତ ଜୁଲାଇ ୧୩ ତାରିଖରେ ଉତ୍ତମ ନଗରର ମାତା ରୂପରାଣୀ ମାଗୋ ହସ୍ପିଟାଲରୁ କରନ ଦେବଙ୍କ ଅସ୍ୱାଭାବିକ ମୃତ୍ୟୁ ସମ୍ପର୍କରେ ଖବର ଆସିଥିଲା। ପ୍ରାରମ୍ଭିକ ସ୍ତରରେ ସୁସ୍ମୀତା, ରାହୁଲ ଓ କରଣଙ୍କ ବାପା ଏହାକୁ ବିଦ୍ୟୁତ୍ ଆଘାତ ଜନିତ ଦୁର୍ଘଟଣା ବୋଲି ଦାବି କରିବା ସହ ପୋଷ୍ଟମର୍ଟମ କରିବାକୁ ଅସ୍ୱୀକାର କରିଥିଲେ। କିନ୍ତୁ, ଏହା ଏକ ଅସ୍ୱାଭାବିକ ମୃତ୍ୟୁ ହୋଇଥିବାରୁ ଡାକ୍ତରଖାନା କତ୍ତୃପକ୍ଷ ପୁଲିସ ସହାୟତାରେ ପୋଷ୍ଟମର୍ଟମ କରାଇଥିଲେ।
ଏହାପରେ ପୁଲିସ ଏହି ଅପମୃତ୍ୟୁ ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ବହୁ ଜଲଦି ଏହି ତଦନ୍ତରେ ଏକ ବଡ଼ ମୋଡ଼ ଆସିଥିଲା, ଯେତେବେଳେ କରନଙ୍କ ଭାଇ କୁନାଲ ଦେବ ସୁଷ୍ମିତା ଓ ରାହୁଲଙ୍କ ମଧ୍ୟରେ ହୋଇଥିବା ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ଚାଟର ସ୍କ୍ରିନସଟ ପୁଲିସକୁ ପ୍ରଦାନ କରିଥିଲେ। ଏହି ଚାଟରେ ହତ୍ୟାର ଏକ ସୁପରିକଳ୍ପିତ ଯୋଜନାର ଖୁଲାସା ହୋଇଥିଲା। ଚାଟ ଅନୁଯାୟୀ, ସୁଷ୍ମିତା ଜୁଲାଇ ୧୨ ତାରିଖ ରାତିରେ କରନଙ୍କ ଖାଦ୍ୟରେ ୧୫ଟି ନିଦ ଔଷଧ ମିଶାଇ ଦେଇଥିଲେ। ଔଷଧ କାମ ନ କରିବାରୁ ସେ ରାହୁଲଙ୍କୁ ବିଦ୍ୟୁତ୍ ଆଘାତ ଦେବାକୁ ପରାମର୍ଶ ମାଗିଥିଲେ। ଏହାପରେ ରାହୁଲ ତାଙ୍କ ଫ୍ଲାଟକୁ ଆସି ଏହି ହତ୍ୟାର ରୂପରେଖ ଦେଇଥିଲେ।
ସୂଚନା ଅନୁସାରେ, ହତ୍ୟା ପରେ ସୁଷ୍ମିତା ତାଙ୍କ ଶାଶୁଘର ଲୋକଙ୍କୁ କରନଙ୍କ ବିଦ୍ୟୁତ୍ ଆଘାତ ହେତୁ ମୃତ୍ୟୁ ହୋଇଥିବା କଥା କହିଥିଲେ। କିନ୍ତୁ କୁନାଲଙ୍କ ଅଭିଯୋଗ ଓ ଚାଟ ପ୍ରମାଣ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଜେରା ବେଳେ ଅପରାଧ ସ୍ୱୀକାର କରିଛନ୍ତି। ସୁଷ୍ମିତା କହିଛନ୍ତି ଯେ କରନ ତାଙ୍କୁ ପ୍ରାୟ ସମୟରେ ମାରପିଟ ଓ ଅପମାନ ଦେଉଥିଲେ। ଏବଂ ଅନେକ ସମୟରେ ତାଙ୍କ ନିକଟରୁ ଅର୍ଥ ଦାବି କରୁଥିଲେ, ଆଉ ରାହୁଲ ତାଙ୍କୁ ବ୍ଲାକମେଲ କରୁଥିଲେ।
ଡିସିପି ଦ୍ୱାରକା ଅଙ୍କିତ ସିଂହ କହିଛନ୍ତି, ତଦନ୍ତ ଜାରି ରହିଛି ଏବଂ ସମ୍ପତ୍ତି ବିବାଦ ସମେତ ଅନ୍ୟାନ୍ୟ ଘଟଣା ଉପରେ ମଧ୍ୟ ଅନୁସନ୍ଧାନ ଚାଲିଛି। କରଣଙ୍କ ପରିବାର ଉଭୟଙ୍କ ଉପରେ ଅନୌତିକ ସମ୍ପର୍କ ରଖିବା ଓ ପାରିବାରିକ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ ପାଇଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ପୁଲିସକୁ ସୁଚନା ପ୍ରଦାନ କରିଛନ୍ତି। ଏହି ଘଟଣା ବର୍ତ୍ତମାନ ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।