ଭୁବନେଶ୍ୱର,୧୮/୦୪(ବିଜୟ ମିଶ୍ର): ପ୍ରାଚୀନ ଐତିହ୍ୟକ୍ଷେତ୍ର ଶିଶୁପାଳଗଡ଼ର ମୁକ ସାକ୍ଷୀ ଭାବେ ଦଣ୍ଡାୟମାନ ୧୩ ଖମ୍ବର ସ୍ଥିତି ସଂକଟରେ । ସମୁଦାୟ ୧୬ ଖମ୍ବ ଭିତରୁ ୩ଟି ମାଟି ତଳେ । କିଛି ଖମ୍ବରେ ବଣବୁଦା ମାଡ଼ିଗଲାଣି । ବାକି ଖମ୍ବ ଚାରିପଟେ ଆରମ୍ଭ ହେଲାଣି ଘରଦ୍ୱାର । ଫଳରେ ବର୍ଷା ଦିନେ ପାଣି ନିଷ୍କାସନ ନ ହୋଇପାରି ଖମ୍ବ ମୂଳରେ ଜମିବା ଆଶଙ୍କା ଉପୁଜିଛି । ଯାହାକି ଖମ୍ବ ମୂଳଦୁଆକୁ ବିପନ୍ନ କରିବା ଥୟ ହୋଇଛି ।
ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡ. ବି ବି ଲାଲ ୧୯୪୮ ମସିହାରେ ଶିଶୁପାଳଗଡ଼ ଖନନ କାର୍ଯ୍ୟ କରି ଏହି ଅମୂଲ୍ୟ ଐତିହାସିକ ସମ୍ପଦକୁ ଲୋକଲୋଚନକୁ ଆଣିଥିଲେ । ଖନନ ସମୟରେ ୧୬ ଖମ୍ବ ଦେଖାଯାଇଥିଲା । ୧୪ଟି ଖମ୍ବ ଦଣ୍ଡ।।ୟମାନ ଥିଲା । ଆଉ ୨ଟି ଖମ୍ବ ଭାଙ୍ଗି ଯାଇଥିଲା । ପ୍ରତି ଖମ୍ବ କେବଳ ଗୋଟିଏ ମାଙ୍କଡ଼ା ପଥରରେ ନିର୍ମିତ ହୋଇଥିଲା । ଏହି ବିଶାଳକାୟ ଖମ୍ବର ମୋଟେଇ ଅଢ଼େଇ ଫୁଟ ବର୍ଗାକାର ଓ ଲମ୍ବ ପ୍ରାୟ ୨୧ ଫୁଟ ଥିଲା । ସେଥିରୁ ମାଟି ଉପରକୁ ପ୍ରାୟ ୧୫ଫୁଟ ଠିଆ ହୋଇଥିଲା । ପୂର୍ବ କାଳରେ ପ୍ରାୟ ୭୨୦୦ ବର୍ଗଫୁଟ ଅଞ୍ଚଳକୁ ଘୋଡ଼ାଇ ସାମିଆନା(ଛାମୁଣ୍ଡିଆ) ନିର୍ମାଣ ପାଇଁ ଏହି ଖମ୍ବ ଗୁଡ଼ିକ ବ୍ୟବହାର ହେଉଥିଲା ବୋଲି ଶ୍ରୀ ଲାଲ ଅନୁମାନ କରିଥିଲେ । ତେବେ ସ୍ଥାନୀୟ କିଛି ପୁରୁଖା ଲୋକ ଏହି ଖମ୍ବ ଗୁଡ଼ିକରେ ଲୋକଙ୍କୁ ଫାଶୀ ଦିଆଯାଉଥିଲା ବୋଲି କହନ୍ତି । ତେଣୁ ସ୍ଥାନୀୟ ଲୋକକଥାରେ ଏହାକୁ ଫାଶୀଦିଆ ଖୁଣ୍ଟ ବୋଲି ପ୍ରଚଳିତ ରହିଆସିଛି ।
ଶିଶୁପାଳଗଡ଼ ସଭ୍ୟତାର ପ୍ରମୁଖ ଅଂଶ ସବୁ ମାଟି ତଳେ ରହିଛି । କେବଳ ଏହି ୧୩ଟି ଖମ୍ବ ଆମ ସମୃଦ୍ଧ ଇତିହାସର ପ୍ରମାଣ ଭାବେ ଠିଆ ହୋଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଶିଶୁପାଳଗଡ଼ ସଂରକ୍ଷଣ ଦିଗରେ ଧ୍ୟାନ ଦେଉନାହିଁ । ଫଳରେ ୮ ବର୍ଷ ତଳେ ଜମି ବେପାରୀ ଡୋଜର ଲଗାଇ ଗୋଟିଏ ଖମ୍ବ ଭାଙ୍ଗି ଦେବାର ଅଭିଯୋଗ ହୋଇଥିଲା । ଏଏସ୍ଆଇ କେବଳ ଧଉଳି ଥାନାରେ ଏତଲା ଖଣ୍ଡେ ଦେଇ ଚୁପ୍ ବସିପଡ଼ିଲା । ଏଭଳି ଜଘନ୍ୟ କାଣ୍ଡ ବିରୋଧ ସେମିତି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ବର୍ତ୍ତମାନ ଥିବା ୧୩ ଖମ୍ବ ମଧ୍ୟରୁ ୩ଟି ବଣବୁଦା ଭିତରେ ଘୋଡ଼ାଇ ହୋଇଗଲାଣି । ବାକି ଥିବା ୧୦ଟି ଖମ୍ବ ନିକଟରେ ପ୍ଲଟିଂ ସ୍କିମ୍ ଜୋରସୋରରେ ଚାଲିଛି । ସେଥିରେ ଘର ନିର୍ମାଣ ହେଲେ ବର୍ଷା ପାଣି ନିଷ୍କାସନର ବାଟ ରହିବ ନାହିଁ । ବର୍ଜ୍ୟଜଳ ବି ଜମିବ । ଫଳରେ ଖମ୍ବ ଗଡ଼ିପଡ଼ିବା ଆଶଙ୍କାକୁ ଏଡ଼ାଇ ହେବନାହିଁ । ଏ ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍ କୌଣସି ଉତ୍ତର ଦେବାକୁ ଏଡ଼ାଇ ଯାଇଥିଲେ ।