ବରଗଡ/ବରପାଲି,୧୨/୦୩: ବରପାଲି ନୃପରାଜ କ୍ଲବ୍ ଭଣ୍ଡାର ଗୃହ ପରିସରରେ ବରପାଲିର ଆଗାମୀ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରଣ କାର୍ଯ୍ୟକ୍ରମ ବୁଧବାର ବିଜ୍ଞ ପଣ୍ଡିତମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଯାଇଛି । ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଚଳିତ ବର୍ଷ ଯାତ୍ରା ମହୋତ୍ସବ ଆସନ୍ତା ଜୁନ ୧୫ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ନୀତିନିୟମ ଓ ପାରମ୍ପରିକ ରୀତିନୀତି ସହ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଏପ୍ରିଲ ୨୦ ତାରିଖ ସୋମବାର ଅକ୍ଷୟ ତୃତୀୟା ଅବସରରେ ଯାତ୍ରା ପାଇଁ ଶୁଭ ଲଗ୍ନରେ ଥାଳ ଉଠିବା କାର୍ଯ୍ୟକ୍ରମ ହେବ ।
କାର୍ଯ୍ୟସୂଚୀ ଅନୁଯାୟୀ ଜୁନ ୧୫ ତାରିଖରେ ବାବା ଶ୍ରୀଶ୍ରୀ କପିଳେଶ୍ୱର ଓ ଜଗତ୍ ଜନନୀ ମାତା ପାର୍ବତୀ ଙ୍କୁ ଶୋଭାଯାତ୍ରାରେ ଯାତ୍ରା ମଣ୍ଡପକୁ ଆଣି ଭଣ୍ଡାର ଗୃହରେ ସଂସ୍ଥାପନ କରାଯିବ । ୧୬ ତାରିଖରେ ରୁଦ୍ରଯଜ୍ଞ ଆରମ୍ଭ ସହ ସନ୍ଧ୍ୟା ସମୟରେ ହିମାଦ୍ରି ନଗରକୁ ଶୋଭାଯାତ୍ରା ଓ କନ୍ୟା ମନୋନୟନ (ପତରପେଣ୍ଡି) ସମ୍ପନ୍ନ ହେବ । ସେହିକ୍ରମରେ ୧୭ ତାରିଖରେ ବାବା ଭୈରବଙ୍କ ଦ୍ୱାରା ଦେବନିମନ୍ତ୍ରଣ ଶୋଭାଯାତ୍ରା(ଭୈରୋବୁଲା), ୧୮ ତାରିଖରେ ତୈଳ/ହରିଦ୍ରା ଗଣସନ/ଅଳଙ୍କାର ଧାରଣ/ବରଧରା/ବିରାଟ ବରାନୁଗମନ ଶୋଭାଯାତ୍ରା ହେବ । ୧୯ ତାରିଖରେ ଶିବ ପାର୍ବତୀଙ୍କ ପବିତ୍ର ବିବାହ ପାଣିଗ୍ରହଣ ପରେ ବୈଠକି ଯାତ୍ରା ଅନୁଷ୍ଠିତ ହେବ । ୨୦ ତାରିଖରେ ରୁଦ୍ରଯଜ୍ଞ ପୂର୍ଣ୍ଣାହୁତି ଓ ମା ପାର୍ବତୀଙ୍କ ଶ୍ୱଶୁରାଳୟ ଆଗମନ ସହ ଶତ ଆରତୀ ସମ୍ବର୍ଦ୍ଧନା ଓ ଲମ୍ବାନୀ ଶୋଭାଯାତ୍ରା ତଥା ନଗର ପରିକ୍ରମା ହେବ । ଏବଂ ୨୧ ତାରିଖରେ ଶିବ ପାର୍ବତୀଙ୍କ ପ୍ରତ୍ୟାବର୍ତନ ଶୋଭାଯାତ୍ରା, ରାଜବାଟିରେ ମହତି ଭୋଗ ଅର୍ପଣ ଓ ମନ୍ଦିର ପ୍ରବେଶ ସହ ଯାତ୍ରା ମହୋବର ସମାପନ ହେବ ବୋଲି ପଣ୍ଡିତ ମଣ୍ଡଳୀଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଯାତ୍ରା କମିଟି ତରଫରୁ ଘୋଷଣା କରାଯାଇଥିଲା । ଏହି ଅବସରରେ ପଣ୍ଡିତ ମଣ୍ଡଳୀର ସଦସ୍ୟଗଣ ରବୀନ୍ଦ୍ର ଦାଶ, ଡ଼.ସରୋଜ କୁମାର ଦାଶ, ପିନାକୀ ଦାଶ, ସଦାନନ୍ଦ ଦାଶ, ହେମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ :- ଗ୍ୟାସ ସଙ୍କଟ ଆଳରେ ଏଣିକି ପାଟିରେ ବାଜିବ କାଠ ଚୁଲା ରୋଷେଇ ଖାଦ୍ୟ, ଘରୋଇ ଅନୁଷ୍ଠାନ ଓ ହୋଟେଲକୁ ବିଏମ୍ସିର ଅନୁମତି