ନୂଆଦିଲ୍ଲୀ: ସୋମାଲିଆରୁ ଆସିଥିବା ସଶସ୍ତ୍ର ଆତଙ୍କବାଦୀମାନେ କେନିୟା-ସୋମାଲିଆ ସୀମା ନିକଟସ୍ଥ ଏକ ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ଜଣ କେନିୟା ପୋଲିସ ରିଜର୍ଭିଷ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସବୁଠୁ ବଡ କଥା ହେଉଛି ଆତଙ୍କୀମାନେ ପୋଲିସଙ୍କୁ ହତ୍ୟା କରିବାପରେ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି। ଏହି ଘଟଣା ରବିବାର ସକାଳେ ଗାରିସା କାଉଣ୍ଟିରେ ଘଟିଥିବା ନେଇ କେନିୟା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ପୋଲିସ ମୁଖପାତ୍ର ମାଇକଲ ମୁଚିରିଙ୍କ ଦେଇଥିବା ସୂଚନା ଅନୁସାରେ, ଆଲ-କାଇଦା ସହ ଜଡ଼ିତ ଆଲ-ଶାବାବ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ରିଜର୍ଭିଷ୍ଟମାନଙ୍କୁ ପ୍ରଥମେ ଗୁଳି କରିବା ପରେ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଆକ୍ରମଣରେ ୪ ଜଣ ଅନ୍ୟ ରିଜର୍ଭିଷ୍ଟ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀମାନେ କ୍ୟାମ୍ପକୁ ଧ୍ୱଂସ କରି ଅସ୍ତ୍ରଶସ୍ତ୍ର ନେଇ ଫେରାର ହୋଇଯାଇଥିଲେ। ମୁଚିରି ଆହୁରି କହିଛନ୍ତି ଯେ, ଏହି ଘଟଣାରେ କିଛି ସଂଖ୍ୟକ ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଏଯାଏଁ କେତେଜଣ ଆତଙ୍କୀଙ୍କ ମୃତ୍ୟୁର ଘଟିଛି ତାହା ଜଣାପଡି ନାହିଁ।
ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଅତିରିକ୍ତ ପୋଲିସ ବାହିନୀ ମୁତୟନ କରାଯାଇଛି। କେନିୟା-ସୋମାଲିଆ ସୀମା ଅଞ୍ଚଳ ଦୀର୍ଘ ଦିନ ଧରି ଏକ ଅସୁରକ୍ଷିତ ସ୍ଥାନ ଭାବେ ପରିଗଣିତ ହୋଇ ଆସୁଛି। ଯେଉଁଠାରେ ଆତଙ୍କବାଦୀମାନେ ବାରମ୍ବାର ପ୍ରବେଶ କରି ଆକ୍ରମଣ କରୁଛନ୍ତି। ଗତ ସପ୍ତାହରେ ଆମେରିକା ଦୂତାବାସ ଏହି ଅଞ୍ଚଳକୁ ଯାତ୍ରା ନ କରିବା ପାଇଁ ଆମେରିକୀୟ ନାଗରିକମାନଙ୍କୁ ସୂଚନା ପ୍ରଦାନ କରିଥିଲା। କାରଣ ଏହି ଅଞ୍ଚଳରେ ଆକ୍ରମଣ ଓ ଅପହରଣର ଆଶଙ୍କା ରହିଛି।
ସୂଚନାଯୋଗ୍ୟ ଯେ, ସୋମାଲିଆ ୨୦୨୨ ପରଠାରୁ ଆଲ-ଶାବାବ ଆତଙ୍କବାଦୀଙ୍କ ବିରୁଦ୍ଧରେ ସୁରକ୍ଷା ଅଭିଯାନକୁ ତୀବ୍ରତର କରିଛି। ଏହି ସଂଗଠନ ସୋମାଲିଆର କିଛି ଗ୍ରାମାଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଛି। ସୀମାଞ୍ଚଳରେ ଥିବା ଦୁର୍ବଳତାକୁ ସୁଯୋଗ ଉଠାଇ ଏପରି ଆକ୍ରମଣ ଜାରି ରଖିଛି।