ନୂଆଦିଲ୍ଲୀ,୧୮।୧୧: ୬ ମାସରୁ ଅଧିକ ସମୟ ବିତି ସାରିଛି ଭାରତର ଅପରେସନ୍ ସିନ୍ଦୂର। ଏହା ପରେ ବି ପାକିସ୍ତାନ ଏପର୍ଯ୍ୟନ୍ତ ଆକ୍ରମଣରୁ ହୋଇଥିବା ସାମରିକ କ୍ଷତି ସମ୍ପୂର୍ଣ୍ଣ ଭାବରେ ଭରଣା କରିପାରିନି। ଏଭଳି ଏକ ଦାବି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ଓପନ ସୋର୍ସ ଇଣ୍ଟେଲିଜେନ୍ସ (OSINT)ବିଶେଷଜ୍ଞ ଡେମିୟନ ସାଇମୋନ୍ କହିଛନ୍ତି। ସେ ନିକଟରେ ଏକ୍ସରେ ସେୟାର କରିଥିବା ସାଟେଲାଇଟ୍ ଫଟୋ ଆଧାରରେ କହିଛନ୍ତି, ପାକିସ୍ତାନର ଏବେ ବି ବହୁ ଗୁରୁତ୍ବପୂର୍ଣ୍ଣ ସାମରିକ ଆଡ୍ଡାର ମରାମତି ଜାରି ରହିଛି। ଏହି ଆଡ୍ଡା ଉପରେ ଭାରତ ମଇ ୨୦୨୫ ରେ ୪ ଦିବସୀୟ ସଂଘର୍ଷ ବେଳେ କରିଥିଲା ଜୋରଦାର ପ୍ରହାର।

ସାଇମୋନ୍ର ସୂଚନା ଅନୁସାରେ, ‘ଅପରେସନ୍ ସିନ୍ଦୂର’ ରେ ଟାର୍ଗେଟ କରାଯାଇଥିବା ରାଓ୍ବଲପିଣ୍ଡି ସ୍ଥିତ ନୁର ଖାନ୍ ଏୟାରବେସ୍ରେ ପାକିସ୍ତାନ ଏକ ନୂଆ ଢାଞ୍ଚା ତିଆରି କରିବା ଆରମ୍ଭ କରିଦେଇଛି। ସେ ୧୬ ନଭେମ୍ବରରେ ପୋଷ୍ଟରେ ଲେଖିଥିଲେ ସାଟେଲାଇଟ୍ ଫଟୋ ଦେଖାଉଛି ଯେ, ପାକିସ୍ତାନ ନୁର୍ ଖାନ୍ ଏୟାରବେସ୍ର ସେହି ସ୍ଥାନ ଉପରେ ନୂଆ ଭାବରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଛି। ଯେଉଁଠି ଭାରତ ମଇ ୨୦୨୫ ସଂଘର୍ଷ ବେଳେ ହମଲା କରିଥିଲା। ଏହି ଏୟାରବେସ୍ ଷ୍ଟ୍ରାଟେଜିକ୍ ପ୍ଲାନ୍ ଡିଭିଜନ୍ (ଏସ୍ପିଡି) ମୁଖ୍ୟାଳୟର ଖୁବ୍ ନିକଟରେ ରହିଛି। ସେଭଳି ସଂସ୍ଥା ଯାହା ପାକିସ୍ତାନ ପରମାଣୁ ହତିଆର କାର୍ଯ୍ୟକ୍ରମ ଉପରେ ନଜର ରଖିଛି। ଏଭଳି ସ୍ଥିତିରେ ଏହି ଆଡ୍ଡା ଉପରେ ଭାରତୀୟ ଆକ୍ରମଣକୁ ସାମରିକ ଦୃଷ୍ଟିରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେକରାଯିବ।

ଉତ୍ତର ସିଦ୍ଧ ସ୍ଥିତ ଜାକୋବାବାଦ୍ ଏୟାରବେସ୍‌ ଭାରତର ଆକ୍ରମଣରେ କ୍ଷତିଗ୍ରସ୍ତ ହେଙ୍ଗରର ସ୍ଥିତି ଏବେ ବି ସୁଧୁରି ନାହିଁ। ସାଇମୋନ୍ଙ୍କ କହିବା ଅନୁସାରେ, ଏହାର ଛାତକୁ ପର୍ଯ୍ୟାୟକ୍ରମେ ହଟାଯାଇଛି। ଫଳରେ ଆଭ୍ୟନ୍ତରୀଣ କ୍ଷତିର ଆକଳନ କରିହେବ। ସେ ଏକ ପୋଷ୍ଟରେ ଲେଖିଛନ୍ତି, ଗତ କିଛି ମାସର ଫଟୋରୁ ଜଣାପଡୁଛି ଜାକୋବାବାଦ ଏୟାରବେସ୍ରେ ଭାରତ ଦ୍ବାରା ଟାର୍ଗେଟ କରାଯାଇଥିବା ହ୍ୟାଙ୍ଗର ଏବେ ବି ମରାମତି ପକ୍ରିୟାରେ ଅଛି। ଉଲ୍ଲେଖନୀୟ ଯେ, ଭାରତୀୟ ବାୟୁସେନା ସାମରିକ ପ୍ରତିଷ୍ଠାନ ଓ ନାଗରିକ କ୍ଷେତ୍ର ଉପରେ ପାକିସ୍ତାନ ଆକ୍ରମଣର ପାଲଟା ଜବାବ ଦେଇଥିଲା। ଏଥିରେ ୧୧ଟି ପ୍ରମୁଖ ସାମରିକ ଆଡ୍ଡା ରହିଥିଲା। ଏହା ଭିତରେ ଥିଲା ନୁର ଖାନ୍ ଏୟାରବେସ୍ (ରାଓ୍ବଲପିଣ୍ଡି), ଜାକୋବାବାଦ୍ ଏୟାରବେସ୍( ସିଦ୍ଧ), ମୁରିଦକେ,ରଫିକି, ମୁଶାଫ, ଭୋଲାରୀ, କାଦିରିମ୍, ସିୟାଲକୋଟ୍, ସୁକ୍କୁର ଏବଂ କିରାନା ହିଲ୍ସରେ ଥିବା ପରମାଉ ସମ୍ପର୍କିତ ସାମରିକ ସ୍ଥଳ।