ଜୟପୁର,୦୫/୦୬; କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭୁଲ ଇଞ୍ଜେକସନ୍ରୁ ୬ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି । ଚୂଡାନ୍ତ ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୁରୁବାର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବା ପରେ ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ମନ୍ତ୍ରୀ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ ରେ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପହଞ୍ଚିଥିଲେ । ବିଭିନ୍ନ ୱାର୍ଡ ବୁଲି ରୋଗୀ ଏବଂ ଅଭିଭାବଙ୍କ ସହ କଥା ହୋଇଥିଲେ । ଏଥି ସହ କଲେଜର ସଭା ଗୃହରେ ରାଜ୍ୟ ସ୍ତରୀୟ ୫ ଜଣିଆ ତଦନ୍ତ କମିଟି, ଜିଲ୍ଲାପାଳ ଭି. କ୍ରିତିବସନ, କଲେଜ ଅଧୀକ୍ଷକ ପ୍ରୋଫେସର ସୁଶାନ୍ତ ସାହୁ ଏବଂ ଅନ୍ୟ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ । ସ୍ଥିତି ସମୀକ୍ଷା ପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏକକାଳୀନ ୬ ଜଣଙ୍କ ମୃତ୍ୟୁ ଘଟଣା ଉଦ୍ବେଗର ବିଷୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ସେ ମେଡିକାଲ କଲେଜରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟର ସମୀକ୍ଷା କରାଯିବ । ଏଥି ସହ ବିଶେଷଜ୍ଞ କମିଟିର ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟରେ ଅବହେଳା ହୋଇଥିଲେ, ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କଲେଜରେରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯିବ । ମେଡିକାଲ କଲେଜ ଅଧୀକ୍ଷକ ପ୍ରୋଫେସର ସୁଶାନ୍ତ ସାହୁ କହିଛନ୍ତି, ସରକାରଙ୍କ ଗାଇଡ ଲାଇନକୁ କଡା କଡି ପାଳନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀ ମୃତ୍ୟୁ ପଛରେ କୌଣସି ଅବହେଳା ଥିବା ନେଇ ଏ ପର୍ଯ୍ୟନ୍ତ ପ୍ରମାଣ ମିଳିନାହିଁ । ତଦନ୍ତ କମିଟିର ରିପୋର୍ଟ ପରେ ଚିତ୍ର ସ୍ପଷ୍ଟ ହେବ ।