ନୂଆଦିଲ୍ଲୀ,୨୮/୧୧ : ଉତ୍ତର ପ୍ରଦେଶର ଗଙ୍ଗା ଏକ୍ସପ୍ରେସଓ୍ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାର ସହ ପରିବା ବୋଝେଇ ପିକ୍ଅପ୍ ଗାଡି ମୁହାଁମୁହିଁ ଧକ୍କା । ଫଳରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାରେ ଅମରୋହା ଜିଲ୍ଲାର ଆଦମପୁର ନିବାସୀ ରୋହିତଙ୍କ ପତ୍ନୀ ରେଣୁ , ପୁଅ ଭାସ୍କର , ଝିଅ ରିୟା, ଭଉଣୀ ଦେବବତି, ଭାଉଜ ଗୀତା ଓ ଶଳାଙ୍କ ପୁଅ କପିଲଙ୍କ ମୃତ୍ୟୁ ହୋଇଛି। ରୋହିତ ଓ ତାଙ୍କ ବଡ଼ ପୁଅ ଜୟ ଗୁରୁତର ଅଛନ୍ତି। ସେହିପରି ପିକ୍ଅପ୍ର ଡ୍ରାଇଭର ଓ ହେଲପର ମଧ୍ୟ ଗୁରୁତର ଅଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ଦୁଇଟି ପୂରା ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣାର ଶବ୍ଦ ଶୁଣି ଆଖପାଖ ଲୋକ ରାସ୍ତା ଉପରକୁ ଆସିଯାଇଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏନେଇ ଖବର ପାଇ ଅତିରିକ୍ତ ଏସ୍ପି କୁଲଦୀପ ସିଂହ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଜିଲ୍ଲାହସ୍ପିଟାଲ ନେବାକୁ ବ୍ୟବସ୍ଥା କରିଥିଲେ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। କାରରେ ୭ରୁ ୮ ଜଣ ଲୋକ ଥିବାବେଳେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସମ୍ଭଲ ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।