ନୂଆଦିଲ୍ଲୀ : ବ୍ରାଜିଲର ରିଓ ଡି ଜେନେରିଓ ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ମଧ୍ୟରୁ ଗୋଟିଏ ହେଲିକପ୍ଟର ଏକ କାର ଡିଲରସିପ୍‌ରେ ଧକ୍କା ଦେବାରୁ ଅନେକ ଯାନରେ ନିଆଁ ଲାଗିଯାଇଛି। ଦୁର୍ଘଟଣାର ତଦନ୍ତ ଚାଲିଛି।

ଅଗ୍ନିଶମ କର୍ମଚାରୀ ମାନେ ରିପୋର୍ଟ କରିଛନ୍ତି ଯେ, ରବିବାର ସକାଳେ ରିଓ ଡି ଜେନେରିଓ ଉପରେ ଦୁଇଟି ହେଲିକପ୍ଟର ଧକ୍କା ହୋଇଥିଲା। ଧକ୍କା ପରେ, ସହରର ପଶ୍ଚିମ ଭାଗରେ ଉଭୟ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଛି ।

ରିଓ ଡି ଜେନେରିଓର ସାମରିକ ଅଗ୍ନିଶମ ବିଭାଗ ରିପୋର୍ଟ କରିଛି ଯେ ଗୋଟିଏ ହେଲିକପ୍ଟର ଏକ କାର ଡିଲରସିପ୍‌ରେ ଧକ୍କା ଖାଇଛି, ଯେଉଁଠାରେ ଅନେକ ବୈଦ୍ୟୁତିକ ଯାନ ପାର୍କିଂ କରାଯାଇଥିଲା, ଯାହା ଫଳରେ ନିଆଁ ଲାଗିଯାଇଥିଲା ଏବଂ ପରେ ଲିଭାଇ ଦିଆଯାଇଥିଲା। ଅଧିକାରୀ ମାନେ କହିଛନ୍ତି ଯେ ଧକ୍କାର କାରଣ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଚାଲିଛି।

ପାକିସ୍ତାନୀ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…

ଏପଟେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଏକ ପାକିସ୍ତାନୀ ସେନାର Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ଅଧିକାରୀ ସମେତ ଅତି କମରେ ୨୨ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନୀ ସେନା ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛି ଯେ, ବୁଧବାର ପିଓକେର ମୁଜାଫରାବାଦ ନିକଟରେ "ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି" ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ସମସ୍ତ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।