ନୂଆଦିଲ୍ଲୀ,୨୧/୦୮:ଆଇସ୍‌କ୍ରିମ୍‌ ଖାଇବାକୁ ସମସ୍ତେ ଭଲପାଆନ୍ତି । କିନ୍ତୁ ଶୀଘ୍ର ତରଳି ଯାଉଥିବାରୁ ଲୋକେ ଅଧିକ ସମୟ ପର୍ଯ୍ୟନ୍ତ ଏହାର ମଜା ନେଇପାରନ୍ତି ନାହିଁ । ଏବେ ବୈଜ୍ଞାନିକମାନେ ଏଭଳି ଏକ ଆଇସ୍‌କ୍ରିମ୍‌ ପ୍ରସ୍ତୁତିର ଉପାୟ ବାହାର କରିଛନ୍ତି, ଯାହା ଶୀଘ୍ର ତରଳିବ ନାହିଁ । ଜାପାନର କମ୍ପାନି କାନାଜାୱା ଆଇସ୍‌ ଏହାର ଉପାୟ ଖୋଜିପାଇଛି । ଏହି କମ୍ପାନିର ଆଇସ୍‌କ୍ରିମ୍‌ ଆଦୌ ତରଳୁ ନାହିଁ । ଏହାର କାରଣ ‘ପଲିଫିନଲ୍‌’ ନାମକ ପଦାର୍ଥ । ଏହା ଫଳରେ ଥିବା ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ୍‌ । 

ଆଇସ୍‌କ୍ରିମ୍‌ରେ ପ୍ରୋଟିନ୍‌ ସହ ମିଶିଥିବା ଏହି ପଲିଫିନଲ୍‌ ଏକ ଜାଲ ଭଳି କବଚ ସୃଷ୍ଟି କରେ । ଯେତେବେଳେ ଆଇସ୍‌କ୍ରିମ୍‌ ତରଳିବାକୁ ଲାଗେ, ଏହି ଜାଲ ତା’ର ଫ୍ୟାଟ୍‌କୁ ବୋହିବାରୁ ରୋକେ । କ୍ୟାମରୁନ୍‌ ୱିକ୍ସ ନାମକ ଜଣେ ବୈଜ୍ଞାନିକ ଏହା ଉପରେ ଅଧ୍ୟୟନ କଲେ । ସେ ଆଇସ୍‌କ୍ରିମ୍‌ରେ ଟାନିକ୍‌ ଏସିଡ୍‌ ମିଶାଇଲେ । ଅଧିକ ମାତ୍ରାରେ ମିଶାଇବା ଦ୍ୱାରା ଆଇସ୍‌କ୍ରିମ୍‌ ଖୁବ୍‌ କଠିନ ହୋଇଗଲା । ଫଳରେ ଏହାକୁ ଛୁରିରେ କାଟିବାକୁ ପଡ଼ିଲା । ଏହି ଆଇସ୍‌କ୍ରିମ୍‌ ତରଳି ପାଣି ହୁଏ ନାହିଁ, ବରଂ ରବର ଭଳି ବା ପୁଡିଂ ଭଳି ହୋଇଯାଏ । ଲମ୍ବା ଯାତ୍ରାରେ ଆଇସ୍‌କ୍ରିମ୍‌କୁ ତରଳିବାରୁ ରୋକିବା ବୈଜ୍ଞାନିକଙ୍କ ଉଦ୍ଦେଶ୍ୟ ।