ବେଜିଂ - ଶୁକ୍ରବାର ସନ୍ଧ୍ୟାରେ ବେଜିଂରେ ଏକ ଦୁର୍ଘଟଣା ଘଟିଛି। ଏକ ଛୋଟ ବିମାନ ରାଜଧାନୀର ଉଚ୍ଚତମ ନଭଶ୍ଚୁମ୍ୱି ବିଲ୍ଡିଂ ସହ ଧକ୍କା ହୋଇଥିଲା, ଯେଉଁଥିରେ ଆତଙ୍କ ଖେଳି ଯାଇଥିଲା। ବିମାନଟି ସ୍ଥାନୀୟ ସମୟାନୁସାରେ ପ୍ରାୟ ୬ଟା ସମୟରେ କେନ୍ଦ୍ରୀୟ ବ୍ୟବସାୟିକ କ୍ଷେତ୍ର (ସିବିଡି) ସ୍ଥିତ ୧୦୯ ମହଲା ଚାଇନା ଜୁନ୍ ଟାୱାରରେ ଖସି ମାଡ଼ ହୋଇ ଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ, କୋଠାର ଦୁଇଟି ଝରକା ଭାଙ୍ଗି ଯାଇ ଥିଲା ଏବଂ ବିମାନର ଅନେକ ଅଂଶ ତଳେ ଥିବା ରାସ୍ତାରେ ପଡି ଥିଲା। ଘଟଣାର ତୁରନ୍ତ ପରେ ବିଲ୍ଡିଂକୁ ସତର୍କତାମୂଳକ ଭାବେ ଖାଲି କରାଯାଇ ଥିଲା ଏବଂ ଆଖପାଖ ଅଞ୍ଚଳରେ ଜରୁରୀକାଳୀନ ସେବା ନିୟୋଜିତ କରାଯାଇ ଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଧକ୍କା ପରେ ବିମାନର ଭଗ୍ନାବଶେଷ ତଳେ ପଡ଼ୁଛି। କୋଠାର ତଳ ଅଂଶରୁ ଧୂଆଁ ବାହାରୁଛି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଏହା ଏକ B-12PP ମଡେଲ ବିମାନ ଥିଲା। ଶିଫୋସି ବିମାନବନ୍ଦରରୁ ଉଡ଼ାଣ ଭରିବାର ପ୍ରାୟ ୩୦ ମିନିଟ୍ ପରେ ବେଜିଂର ପୂର୍ବ ପଞ୍ଚମ ରିଙ୍ଗ ରୋଡ୍ ନିକଟରେ ଏହାର ରାଡାରରୁ ଯୋଗାଯୋଗ କଟି ଯାଇଥିଲା। ଏହାର କିଛି ସମୟ ପରେ, ଏହା ଟାୱାର ସହିତ ଧକ୍କା ହୋଇଥିବା ସୂଚନା ମିଳିଥିଲା।
CITIC ଟାୱାରକୁ ଚାଇନା ଜୁନ୍ ମଧ୍ୟ କୁହାଯାଏ, ପ୍ରାୟ ୧୭୦୦ ଫୁଟ ଉଚ୍ଚ ଏବଂ ଏହାକୁ ବେଜିଂର ସବୁଠାରୁ ଉଚ୍ଚ କୋଠା ଭାବରେ ଜଣାଯାଏ। ଦୁର୍ଘଟଣା ପରେ, ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ଏବଂ ସମଗ୍ର ପରିସରକୁ ସରୁକ୍ଷା ଘେରରେ ରଖାଯାଇ ଥିଲା। କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତକଙ୍କ କିମ୍ବା ଆହତଙ୍କ ସଂଖ୍ୟା ଆନୁଷ୍ଠାନିକ ଭାବରେ ସ୍ପଷ୍ଟ କରି ନାହାଁନ୍ତି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦୁର୍ଘଟଣାର କାରଣ ଜାଣିବାରେ ଲାଗି ପଡ଼ିଛନ୍ତି। ଏହା ମଧ୍ୟ ଯାଞ୍ଚ କରାଯାଉଛି ଯେ, ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା ନା ଅନ୍ୟ କୌଣସି କାରଣ ଏହି ଦୁର୍ଘଟଣା ପଛରେ ଥିଲା।
ବର୍ତ୍ତମାନ ଚୀନ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବିସ୍ତୃତ ସରକାରୀ ବିବୃତ୍ତିକୁ ଅପେକ୍ଷା କରାଯାଇଛି। ସୋସିଆଲ ମିଡିଆରେ ଉକ୍ତ ଘଟଣାର ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ବିମାନ ଧକ୍କା ହେବା ପରେ ଭଗ୍ନାବଶେଷ ପଡ଼ିବା ଏବଂ କୋଠା ଚାରିପାଖରେ ଆତଙ୍କିତ ଦୃଶ୍ୟ ଦେଖା ଯାଉଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଏତେ ଉଚ୍ଚ କୋଠା ସହିତ ବିମାନ ଧକ୍କା ହେବା ଏକ ବିରଳ ଘଟଣା। ଏଥିପାଇଁ ତଦନ୍ତ ରିପୋର୍ଟ ହିଁ ଦର୍ଶାଇବ ଏହି ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଛି।
ଏହାସହ ମଧ୍ୟ ପଢନ୍ତୁ : Venezuela Earthquake: ଭେନେଜୁଏଲାରେ ଭୂମିକମ୍ପ; ତୈଳ ସଙ୍କଟ ଭୟରେ ଭାରତ, ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର !