ନୂଆଦିଲ୍ଲୀ ୦୭/୧୦: ଏବେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ନେଇ  ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି ।  କେବଳ ଦେଶର ସହରାଞ୍ଚଳ ନୁହେଁ  ଛୋଟ ସହର ଗୁଡିକରୁ ମଧ୍ୟ ନିବେଶକ ଏ  କ୍ଷେତ୍ରରେ ବେଶ ସକ୍ରିୟତା ଦେଖାଉଛନ୍ତି ।  ପ୍ରତି ମାସ ଏହି ସଂଖ୍ୟାରେ ବୃଦ୍ଧି ହେଉଛି ।  ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟ ଅବଧିରେ  ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ସହ ୨.୩ କୋଟି  ନିବେଶକ ଯୋଡି ହୋଇଛନ୍ତି । ଏହା  ମଧ୍ୟରେ ଛୋଟ ସହରର ଅଂଶ ୫୦%  ରହିଥିବା ଜିରୋଧା ଫଣ୍ଡ ହାଉସ ପକ୍ଷରୁ  ସୂଚନା ମିଳିଛି । 

ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ମୋଟ  ପରିଚାଳନା ସମ୍ପତ୍ତିକୁ ଦେଖିଲେ ଛୋଟ  ସହର ଗୁଡିକର ଅଂଶ ୧୯% ରହିଛି । ଏହାକୁ ଦେଖିଲେ ଏବେ ଏସବୁ ସହରରୁ ଅଧିକ ନିବେଶକ ମ୍ୟୁଚୁଆଲ ଫଣ୍ଡ ପ୍ରତି  ଆକୃଷ୍ଟ ହେଉଛନ୍ତି । ସେହିଭଳି ସହରାଞ୍ଚଳ  ତୁଳନାରେ ମଧ୍ୟ ହାରାହାରି ନିବେଶ ଅଧିକ ରହୁଛି । ଏସବୁ ଛୋଟ ସହର  ଗୁଡିକୁ ବି-୩୦ ସହର ଭାବେ ବିବେଚିତ କରାଯାଇଥିବା ଆସୋସିଏସନ ଅଫ୍‌  ମ୍ୟୁଚୁଆଲ ଫଣ୍ଡ୍‌ସ ଇନ୍‌ ଇଣ୍ଡିଆ ପକ୍ଷରୁ  କୁହାଯାଇଛି । ୨୦୨୪ ଅଗଷ୍ଟ ସୁଦ୍ଧା ସମସ୍ତ  ଏସ୍‌ଆଇପି ଆକାଉଣ୍ଟ ମଧ୍ୟରୁ ଛୋଟ  ସହର ଗୁଡିକର ଆକାଉଣ୍ଟ ସଂଖ୍ୟା ରହିଛି  ୫୪% । ସରଳ ଭାବେ କହିବାରେ ଗଲେ  ଏସବୁ ସହର ଗୁଡିକରେ ବୃହତ୍ତ ସଂଖ୍ୟକ  ଏସ୍‌ଆଇପି ଆକାଉଣ୍ଟ ଖୋଲାଯାଉଛି ।  

ଚଳିତ ବର୍ଷ ଏପ୍ରିଲ ଅଗଷ୍ଟ ଅବଧିରେ  ଇଣ୍ଡେକ୍ସ ଫଣ୍ଡ କ୍ଷେତ୍ରରେ ଛୋଟ ସହରର  ଏସ୍‌ଆଇପି ଆକାଉଣ୍ଟ ଅଭିବୃଦ୍ଧି ହାର  ରହିଛି ୧୮.୭% । ଯାହା ଅନ୍ୟ ବର୍ଗର ଆକାଉଣ୍ଟ ତୁଳନାରେ ଅଧିକ । ଏହି  ସହର ଗୁଡିକର ୭୯% ଆକାଉଣ୍ଟ ଅଭିବୃଦ୍ଧି ଏବଂ ଇକ୍ୱିଟି ଭିତ୍ତିକ ସ୍କିମରେ ନିବେଶ ହେଉଥିବା ଜିରୋଧା ପକ୍ଷରୁ ପ୍ରକାଶ ।