ରାଉରକେଲା,୧୧/୦୭: ଜୁନ୍‌ ୨୯ । ସବୁଦିନ  ପରି ଖାଇପିଇ ଶୋଇଥିଲେ ଶୁକଦେବ ଓରାମଙ୍କ ୧୨  ବର୍ଷର ଝିଅ ରଶ୍ମି । ରାତି ଅଧରେ ହଠାତ୍‌ ବେକରେ ଆରମ୍ଭ ହେଲା ଜଳାପୋଡ଼ା । ସାପ କାମୁଡ଼ିଥିବା ଜଣାପଡ଼ିବା ପରେ ପରିବାର ଲୋକେ ଧାଇଁଲେ  ଡାକ୍ତରଖାନା । ହେଲେ ବିଳମ୍ବ ହୋଇସାରିଥିଲା । ରକ୍ତରେ ମିଶି ସାରିଥିଲା ବିଷ । ଡାକ୍ତରଖାନାରୁ ଶବ ହୋଇ  ଫେରିଲେ ରଶ୍ମି ।  

ସେହି ରାତିରେ ଘଟିଥିଲା ଆଉ ଏକ  ଅଘଟଣ । ୪୨ ବର୍ଷୀୟ ଅଜିତ୍‌ ଓରାମ୍‌ ପରିସ୍ରା  କରିବାକୁ ବାହାରକୁ ଆସିଥିବାବେଳେ ସାପ କାମୁଡ଼ାର  ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର  ମୃତ ଘୋଷଣା କରିଥିଲେ । ଗୋଟିଏ ରାତିରେ ଏଭଳି ଦୁଇଟି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନାଞ୍ଚଳରେ  ଚର୍ଚ୍ଚାର ବିଷୟ ସାଜିଥିଲା ।   

କେବଳ ରଶ୍ମି କିମ୍ବା ଅଜିତ୍‌ ନୁହନ୍ତି³ ଜିଲ୍ଲାରେ  ଗତ ମାସକରେ ସାପ କାମୁଡ଼ାରେ ୧୫ ଜୀବନ ଦୀପ  ଲିଭିଯାଇଥିବା ସରକାରୀ ତଥ୍ୟ କହୁଛି। ଖଣିଖାଦାନ  ଭରା ଜିଲ୍ଲାରେ ସାପକାମୁଡ଼ାର ଏଭଳି ଉଦ୍‌ବେଗଜନକ  ଚିତ୍ର ଚିନ୍ତା ବଢ଼ାଇଛି । ସାପ କାମୁଡ଼ିଲେ ପରିବାର  ଲୋକେ ରୋଗୀଙ୍କୁ ଡାକ୍ତରଖାନା ନେବା ବଦଳରେ  ଝଡ଼ାଫୁଙ୍କା କରୁଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ  ସ୍ୱାସ୍ଥ୍ୟକେନ୍ଦ୍ର ଆଣୁଛନ୍ତି । ବିଳମ୍ବିତ ଚିକିତ୍ସା ଯୋଗୁ  ରୋଗୀ ଜୀବନ ବଞ୍ଚାଇବା ସମ୍ଭବ ହେଉନାହିଁ । 

ଗତ ମାସକ ଭିତରେ ଜିଲ୍ଲାରେ ସାପ  କାମୁଡ଼ାରେ ୪ ଶିଶୁ, ୨ ନାବାଳିକା, ୫ ମହିଳାଙ୍କ  ସମେତ ଅନ୍ୟୂନ ୧୫  ଜ ଣ ଙ୍କ ମୁତ୍ୟୁ ଘଟିଲାଣି । ମେ ୩୧ରେ  ଲହୁଣିପଡ଼ା ଥାନା ଅନ୍ତର୍ଗତ ହାତୀବାହାଲ ଗ୍ରାମର  ଲକ୍ଷ୍ମୀ ମୁଣ୍ଡା, ୮ତାରିଖରେ ତଲସରା ଥାନା ଅନ୍ତର୍ଗତ  କଇଁସରା ଗ୍ରାମର ଉପାସୀ ବାଡ଼ା, ୧୩ ତାରିଖରେ  ତଲସରା ଥାନା ଅନ୍ତର୍ଗତ ଟିକିଲିପଡ଼ା ଗ୍ରାମର ଅଜୟ  କୁଜୁର, ୧୮ ତାରିଖରେ ବଣାଇଁର ଟିକାୟତପାଲି  ଥାନା କଣ୍ଢେଇପୋଷ ଗ୍ରାମର ସୌଦାମିନୀ ମୁଣ୍ଡା,  ୨୦ ତାରିଖରେ କିଞ୍ଜିରକେଲା ଥାନା ଡୁମେରଗୁଡ଼ା  ଗ୍ରାମର ସୁନିତା ଖଡିଆ, ୨୧ ତାରିଖରେ କୁତ୍ରା ବ୍ଲକ୍‌  ଅନ୍ତର୍ଗତ ବିରତୋଲା ଗ୍ରାମର ବୃଦ୍ଧା ହେମବତୀ  ବାଙ୍କରା(୭୩)ଙ୍କ ମୃତ୍ୟୁ ଘଟିଥିଲା ।

ଅନୁରୂପ ଭାବେ  ୨୩ ତାରିଖରେ ରାଜଗାଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ  ରାଣୀବନ୍ଧ ଧୋବାପଡ଼ାର ୧୦ ବର୍ଷର ଶିଶୁକନ୍ୟା ଲଳିତା ସିଂମିଶ୍ରମ୍‌, ୨୪ ତାରିଖରେ ରାଜଗାଙ୍ଗପୁର ବ୍ଲକ  ବିଜାଖମନ ଗ୍ରାମର ୧୭ ବର୍ଷୀୟ ସଞ୍ଜୁ ଲାକ୍ରା, ୨୫  ତାରିଖରେ କୁଆଁରମୁଣ୍ଡା ବ୍ଲକ୍‌ ପୁଟୁରିଖମନ୍‌ ଗ୍ରାମର  ଜୟସ ଟେଟେଙ୍କ ୭ବର୍ଷର ଝିଅ ଅନାମିକା, ୨୬  ତାରିଖରେ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଇଲମା  ଗ୍ରାମର ଦେବାନନ୍ଦ ମହାକୁଲଙ୍କ ୧୪ ବର୍ଷୀୟା ଝିଅ  ନଳିନୀ ମହାକୁଲ, ୨୭ ତାରିଖ ଦିନ ଧରୁଆଡିହି  ଥାନା ଅନ୍ତର୍ଗତ ତିଲେଇମଲ୍‌ଟି ଗ୍ରାମର ଲିଙ୍ଗରାଜ  ଡିଲାଙ୍କ ୯ ମାସର ଝିଅ ଚିନ୍ମୟୀ ଡିଲା, ୨୮ ତାରିଖ  କେ. ବଲାଙ୍ଗ ଥାନା ନୂଆତନ୍ତରା ଗ୍ରାମର ଶୁକଦେବ  ନାଏକ, ୨୯ ତାରିଖରେ ବଣାଇଁ ଥାନା କଟୁରିଧୁଆଁ  ଗ୍ରାମର ଶୁକଦେବ ଓରାମଙ୍କ ଝିଅ ରଶ୍ମି ଏବଂ ବଡପଡ଼ା  ଗ୍ରାମର ଅଜିତ ଓରାମଙ୍କ ମୃତ୍ୟୁ ଘଟିଛି । ଜୁଲାଇ ୧ରେ  ବିଷଧର ସାପ କାମୁଡ଼ାରେ ଲାଠିକଟା ବ୍ଲକ୍‌ ବିରକେରା  ପଞ୍ଚାୟତ ଅନ୍ତର୍ଗତ ସାଲିଆଟୋଲାର ଚାଉଆ ଏକ୍କାଙ୍କ  ପୁଅ ରାଜେଶଙ୍କ ଜୀବନ ଯାଇଛି । 

ଗ୍ରାମାଞ୍ଚଳ ସ୍ଥିତି ଉଦ୍‌ବେଗଜନକ 

ସହରାଞ୍ଚଳରେ ସାପକୁ ନେଇ ଜନସାଧାରଣ ବେଶ୍‌  ସତର୍କ । ଘରେ ସାପ ପଶିଲେ ସ୍ୱେଚ୍ଛାସେବୀ ସାପ  ଧରାଳି କିମ୍ବା ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟଙ୍କ  ସହାୟତା ଲୋଡୁଛନ୍ତି ଲୋକେ । ସାପକୁ  ସୁରକ୍ଷିତ ଭାବେ ଉଦ୍ଧାର କରି ପ୍ରାକୃତିକ  ଆବାସସ୍ଥଳୀରେ ଛାଡ଼ି ଦିଆଯାଉଛି । ଅଘଟଣ ଘଟିବା ନଜିର ନାହିଁ । କିନ୍ତୁ ଗ୍ରାମାଞ୍ଚଳରେ  ସ୍ଥିତି ପୂରା ଓଲଟା । ପାହାଡ଼ିଆ ଅଞ୍ଚଳ  ସର୍ପପ୍ରବଣ । ଅନେକ ଦୁର୍ଗମ ଗ୍ରାମରେ  ଏଯାଏ ବିଜୁଳି ଆଲୋକ ପହଞ୍ଚିପାରିନାହିଁ ।  ଲୋକେ ଚଟାଣରେ ଶୋଉଛନ୍ତି । ଫଳରେ ରାତିରେ  ସର୍ପଦଂଶନ ଆଂଶଙ୍କା ରହୁଛି । ଗ୍ରାମାଞ୍ଚଳରେ ସଚେତନ ଅଭାବରୁ ଲୋକେ ଏବେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ  ସାପକାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ବଦଳରେ ଗୁଣିଆ  ପାଖକୁ ନେଉଛନ୍ତି । ଝଡ଼ାଫୁଙ୍କା କରୁଛନ୍ତି । ସେଠାରୁ ନିରାଶ  ହେଲେ ଅତି ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନା ଆଣୁଛନ୍ତି ।  ସେତେବେଳକୁ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହୋଇଯାଉଛି ।