ୱାଶିଂଟନ୍‌, ୨୩/୦୧: ଆମେରିକାର ଅନେକ ଦକ୍ଷିଣ ରାଜ୍ୟରେ ଭୀଷଣ ତୁଷାରଝଡ଼ ଜାରି ରହିଛି । ଏଥିଯୋଗୁ  ଅଦ୍ୟାବଧି ୧୦ ଜଣଙ୍କ ମୃତ୍ୟୁ ଘଟିଲାଣି । ୨୧ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ  ହୋଇଛି । ମିସିସିପି, ଅଲବାମା, ଫ୍ଲୋରିଡା,  ଜର୍ଜିଆ ଏବଂ ଲୁଇସିୟାନା ଆଦି ରାଜ୍ୟରେ  ଏମର୍ଜେନ୍ସି ଘୋଷଣା କରାଯାଇଛି । ଅନେକ  ସ୍ଥାନରେ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ  ବନ୍ଦ କରାଯାଇଛି । ବହୁ ସ୍ଥାନରେ ସଡ଼କ ବନ୍ଦ ହେବା ଯୋଗୁ ଟେକ୍ସାସ୍‌ରୁ ଫ୍ଲୋରିଡା ପର୍ଯ୍ୟନ୍ତ ଜନଜୀବନ ବାଧାପ୍ରାପ୍ତ  ହୋଇଛି । ବିଦ୍ୟୁତ୍‌ ଯୋଗାଣ ଠପ୍‌ ହୋଇଛି । ଏପରିକି ବରଫପାତ ବନ୍ଦ  ହେବା ପରେ ବି ସଡ଼କ ଖୋଲିବା, ଏୟାର ସର୍ଭିସ୍‌ ଆରମ୍ଭ ହେବାକୁ  କିଛି ଦିନ ଲାଗିପାରେ । 

ରିପୋର୍ଟ ଅନୁସାରେ, ଟେକ୍ସାସ୍‌ ରାଜପଥରେ  ବରଫପାତ ଯୋଗୁ ଏକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି  ଅଲବାମାରେ ୨ ଜଣ ପ୍ରାଣ ହରାଇଛନ୍ତି । ପ୍ରବଳ ଥଣ୍ଡାରେ ଜର୍ଜିଆରେ  ଜଣଙ୍କ ମୃତ୍ୟୁ ହୋଇଛି । ବରଫଝଡ଼ ଯୋଗୁ ଦକ୍ଷିଣ ରାଜ୍ୟଗୁଡ଼ିକରେ  ରାତି ସମୟ ବେଶ୍‌ କଷ୍ଟକର ହୋଇପଡ଼ିଛି । ଲୁଇସିଆନାରେ ପ୍ରବଳ  ବରଫପାତ ସହ ୬୦ କିମି ବେଗରେ ବରଫଝଡ଼ ହେବାର ଚେତାବନୀ  ରହିଛି । ଭର୍ଜିନିଆରେ ୩ କୋଟି ଲୋକଙ୍କୁ ବରଫଝଡ଼ରୁ ସୁରକ୍ଷିତ ରହିବା  ଲାଗି ସତର୍କ କରାଯାଇଛି । ମଙ୍ଗଳବାର ରାତିରେ ଲୁଇସିଆନାର ଏକାଧିକ ଅଞ୍ଚଳରେ ୧୦ ଇଞ୍ଚ ପର୍ଯ୍ୟନ୍ତ ବରଫ ଜମି ଥିଲା।