ଭୁବନେଶ୍ୱର, ୭/୧୨ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌)ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ମାର୍ଗଶିରର ମହକର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି । ଏକ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ତଥା ଓଡ଼ିଆ ସଂସ୍କୃତି ପରମ୍ପରା ଆଧାରିତ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ମାର୍ଗଶିର ଝୋଟି ଓ ଓଡ଼ିଆ ବକ୍ତୃତା ଅନୁଷ୍ଠିତ ହେବ । ମାର୍ଗଶିର ମାସର ଶେଷ ଗୁରୁବାର ଅପରାହ୍ନରେ ଏହି କାର୍ଯ୍ୟକ୍ରମର ଅନ୍ତିମ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ପ୍ରଖ୍ୟାତ ଗାୟିକା ଗୀତା ଦାଶ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଆ ସଂସ୍କୃତି, ପରମ୍ପରା, ପର୍ବପର୍ବାଣି ଓ କୃଷିକୁ ଜୀବିତ କରି ରଖିବା । ଏହି ପ୍ରତିଯୋଗିତାରେ ଆଇଏଏସ୍‌ ଓ ସୋଆ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ (ସ୍ନିଲ୍‌)ର ଛାତ୍ରଛାତ୍ରୀମାନେ ଭାଗ ନେଇଥିବାବେଳେ ବିଚାରକ ଭାବେ ଆଇଏଏସ୍‌ର ପ୍ରଫେସର ବିବୁଧ ପରାଶର, ପ୍ରଫେସର ପ୍ରଭାତ ଷଡ଼ଙ୍ଗୀ, ଡକ୍ଟର ସତ୍ୟ ନାରାୟଣ ଶତପଥୀ ଓ ପ୍ରଫେସର ରୁଦ୍ରନାରାୟଣ ସାହୁ ଯୋଗଦେଇଥିଲେ । ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ଓଡ଼ିଆ ପର୍ବପର୍ବାଣି ଓ କୃଷି ବିଜ୍ଞାନ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା । 

ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଅନୁ୍‌ଷ୍ଠିତ ଏହି ପ୍ରତିଯୋଗିତାରେ ଲୋପାମୁଦ୍ରା ମହାନ୍ତି, ଡକ୍ଟର ରାକେଶ ରୋସନ୍‌ ଶତପଥୀ, ଡକ୍ଟର ସୁବ୍ରତ ସେନାପତି, ଡକ୍ଟର ବିଦ୍ୱାନ ରଞ୍ଜନ ସାହୁ, ଡକ୍ଟର ମୁକେଶ ପାତ୍ର, ମାନସ ଦାସ, ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଶିଷ ପ୍ରତୀକ ବିଶ୍ୱାଳ, ସଲୋନି ଶ୍ରୀୟାଶ୍ରି ଜେନା ଓ ଆଦିତ୍ୟ ନାରାୟଣ ପରିଚାଳନା କରିଥିଲେ ।